ଭୁବନେଶ୍ୱର : ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ଆଜି ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମନ୍ବୟ କମିଟି ଡାକରାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨ ହଜାରରୁ ଅଧିକ ନିର୍ମାଣ ଶ୍ରମିକ ମାଷ୍ଟରକ୍ୟାଣ୍ଟିନ୍‌ରୁ ଶୋଭାଯାତ୍ରାରେ ବାହାରି ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଧାରଣା ଦେଇଥିଲେ। ଏଆଇଟିୟୁସି ନେତା ସୁର ଜେନାଙ୍କ ଅଧ୍ୟକ୍ଷତାରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ନେତାମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଶ୍ରମିକ ମାରଣ ନୀତି ତୀବ୍ର ସମାଲୋଚନା କରିଥିଲେ। ସମନ୍ବୟ କମିଟିର ଆବାହକ ବିଜୟ ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ସିଆଇଟିୟୁସି ନେତା ନବକିଶୋର ମହାନ୍ତି, ଏଚ୍‌ଏମ୍‌ଏସ୍‌ ନେତା ଖଗେଶ୍ବର ସେଠୀ, ଏନ୍‌ଏଫ୍‌ଆଇଟିୟୁ ନେତା ଯୁଧିଷ୍ଠିର ମହାରଣା, ପ୍ରଶାନ୍ତ ପାଢ଼ୀ ପ୍ରମୁଖ ବିଜେପି ସରକାରର ଶ୍ରମିକ ବିରୋଧୀ ନୀତି ଉପରେ ଆଲୋକପାତ କରିଥିଲେ। ଆସନ୍ତା ଜାନୁଆରି ୮ ତାରିଖରେ ହେବାକୁ ଥିବା ଦେଶ ବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ।

Advertisment

ସେମାନେ ଅଭିଯୋଗ କରି କହିଛନ୍ତି, ରାଜ୍ୟର ସମସ୍ତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକରଣ, ଛାତ୍ରଛାତ୍ରୀଙ୍କୁ ସହାୟତା, ବିବାହ ସହାୟତା ରାଶି ଓ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି ସଂକ୍ରାନ୍ତ ନିର୍ଦ୍ଦେଶନାମା ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୮ ତାରିଖରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଏ ନେଇ ଯେଉଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଲା ସେଥିରେ ଏହା ମେ ୩୦ ତାରିଖରୁ କାର୍ଯ୍ୟକ୍ଷମ ହେବା ପାଇଁ ସୂଚନା ରହିଥିଲା। ଏଣୁ ଏହି ଯୋଜନା ମାର୍ଚ୍ଚ ୮ ତାରିଖରୁ ହିଁ ଲାଗୁ କରିବାକୁ ସଂଗଠନ ଦାବି କରିଛନ୍ତି। ଅଦ୍ୟାବଧି ବହୁ ଶ୍ରମିକ ପଞ୍ଜୀକୃତ ହୋଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶ୍ରମିକଙ୍କ ତୁଳନାରେ ଶ୍ରମିକ କଲ୍ୟାଣ ବୋର୍ଡରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଶ୍ରମିକଙ୍କ କଲ୍ୟାଣ ପାଇଁ ଉଦ୍ଦି‌ଷ୍ଟ ଏହି ବୋର୍ଡକୁ ସରକାର ଅକାମୀ କରିଦେବାକୁ ବସିଥିବା ସେମାନେ ଅଭିଯୋଗ କରିଥିଲେ।