ନିର୍ମାଣ ଶ୍ରମିକ ସେବା ସପ୍ତାହ ଉଦ୍‌ଘାଟିତ : ଦେଶ ଗଠନରେ ଶ୍ରମିକଙ୍କ ତ୍ୟାଗ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ଦେଶ ଗଠନରେ ସେମାନଙ୍କ ତ୍ୟାଗ ଅତୁଳନୀୟ। ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ ‘ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ନିର୍ମାଣ ଶ୍ରମିକ ସପ୍ତାହ ପାଳନର ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥିଲା। ଏହାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ କଲ୍ୟାଣ ପାଇଁ ୧୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି। ୨୨ ହଜାର ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଓ କରି ଚାଲିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେ, ହିତାଧିକାରୀଙ୍କ ସିଧାସଳଖ ମତାମତ ଭିତ୍ତିରେ ପ୍ରଶାସନରେ ଏକ ବୈପ୍ଳବିକ ରୂପାନ୍ତରଣ କରିବା ଲକ୍ଷ୍ୟ ନେଇ ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ସେବାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ସେବାଗୁଡ଼ିକ ହେଲା ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା। ବର୍ତ୍ତମାନ ସୁଦ୍ଧା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ପଞ୍ଜୀକୃତ କରାଯାଇଛି। ପ୍ରଶାସନିକ ସ୍ବଚ୍ଛତା ନିମନ୍ତେ ‘କାର୍ଯ୍ୟକ୍ଷେତ୍ରରେ ପଞ୍ଜୀକରଣ’କୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି।

ନିର୍ମା‌ଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଏଥିରେ ସଭାପତିତ୍ବ କରି କହିଲେ, ଜାତିସଂଘର ମୁଖ୍ୟ ଅନୁଷ୍ଠାନ ଆନ୍ତର୍ଜାତିକ ଶ୍ରମ ସଂଗଠନର ସହ‌େଯାଗରେ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଅନ୍ୟ ରାଜ୍ୟରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ସ୍ଥାପନ କରାଯିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅତିିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ଶ୍ରମ ଆୟୁକ୍ତ ଏନ୍ ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ୨ରୁ ୮ ତାରିଖ ପର୍ଯ୍ୟନ୍ତ ‘ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦’ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର