ରାଉରକେଲା : ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗଠନ ହୋଇଛି ଶ୍ରମିକ କଲ୍ୟାଣବୋର୍ଡ। ଏହା ଜରିଆରେ ପ୍ରତିବର୍ଷ ପ୍ରତ୍ୟେକ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପଞ୍ଜିକୃତ ହେବାର ବର୍ଷକ ପରେ ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ସହାୟତା ମାଧ୍ୟମ‌ରେ ସରକାରଙ୍କ ପକ୍ଷରୁ ଏସବୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କାର୍ଯ୍ୟକ୍ଷେତ୍ରକୁ ଯିବାକୁ ସାଇକଲ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ତେବେ ବିଭାଗୀୟ ଅଧିକାରୀମାନଙ୍କ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା‌ରେ ଏହି ଯୋଜନା ବାଟବଣା ହୋଇଛି। ସରକାରଙ୍କ ୫ଟି ଯୋଜନା ଯେମିତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ମୁହଁ ମୋଡିଦେଇଛି।

Advertisment

ସୁନ୍ଦରଗଡ ଜିଲ୍ଳାରେ ଆଜି ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୨୫ ହଜାର ଶ୍ରମିକ ପଞ୍ଜିକୃ୍ତ ହୋଇଛନ୍ତି। ଜିଲ୍ଲାରେ ପ୍ରତିବର୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୧୦ରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ବାବଦରେ ଖର୍ଚ୍ଚ କରାଯାଏ। ଗତବର୍ଷ ସୁନ୍ଦରଗଡ ଜିଲ୍ଲାରେ ୧୦ କୋଟିର ସହାୟତା ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଆବେଦନ କରିଥିବା ଶହ ଶହ ପଞ୍ଜିକୃତ ଶ୍ରମିକଙ୍କୁ ଏଯାଏଁ ଟଙ୍କାଟିଏ ମିଳିନାହିଁ। ମାସ ମାସ ଧରି ଶ୍ରମିକମାନେ କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ ଫଳ ଶୂନ। ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କର ଗତ ୨୦୧୯ ମେ ୩୦ ପୂର୍ବରୁ ମୃତ୍ୟୁ ହୋଇଥିବ, ସେମାନଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଓ ଏହା ପରେ ମୃତ୍ୟୁ ହୋଇଥିଲେ ୨ ଲକ୍ଷ ଟଙ୍କା ମିଳିବାର ନିୟମ କରା ଯାଇଛି। ଆବେଦନ କରିବାର ୬୦ ଦିନ ମଧ୍ୟରେ ମୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଆବେଦନକାରୀ ବର୍ଷ ବର୍ଷ ପୂର୍ବରୁ ଆବେଦନ କରିଥିଲେ ହେଁ ସେମାନଙ୍କୁ ସହୟତା ମିଳୁନି। କାହିଁକି ଓ କ’ଣ ପାଇଁ ଏତେ ବିଳମ୍ବ ହେଉଛି, ପଚାରିଲେ କେହି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି।

publive-image Change.org

ସେମିତି ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୪୦୦ ଅଧିକ ଆବେଦନକାରୀ ମୃତ୍ୟୁକାଳୀନ ସହାୟତା ଅପେକ୍ଷାରେ ରହିଛନ୍ତି। କେବଳ ମୃତ୍ୟୁକାଳୀନ ସହାୟତା ନୁହେଁ, ଶିକ୍ଷା, ବିବାହ, ପ୍ରସୂତିକାଳୀନ ସହାୟତାର ବି ସମାନ ସ୍ଥିତି। ପିଲାଙ୍କ ଶିକ୍ଷା ପାଇଁ ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୩ ହଜାର ଟଙ୍କାରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଏମ୍‌ବିଏ ଓ ଏମ୍‌ସିଏ ଶିକ୍ଷା ପାଇଁ ବର୍ଷକୁ ୪୦ ହଜାର, ବିବାହ ପାଇଁ ୫୦ ହଜାର, ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା ମିଳିଥାଏ। ସେହି ଅନୁସାରେ ଶିକ୍ଷା ସହାୟତା ପାଇଁ ୭୦୦, ବିବାହ ସହାୟତା ପାଇଁ ୧୫୦ରୁ ଅଧିକ, ପ୍ରସୂତିକାଳୀନ ସହାୟତା ପାଇଁ ୫୦ରୁ ଅଧିକ ନିର୍ମାଣ ଶ୍ରମିକ ଆବେଦନ କରିଛନ୍ତି। ଏ ବାବଦରେ ପାଖାପାଖି ୮ କୋଟି ଟଙ୍କା ପ୍ରଦାନ କରାଯିବା କଥା। କିନ୍ତୁ ରାଉରକେଲାସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶହ ଶହ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ ହୋଇଛନ୍ତି।

ବଡଗାଁ, କୁଆରମୁଣ୍ଡା, ନୂଆଗାଁ, ଲହୁଣିପଡା, କୁତ୍ରା, ରାଜଗାଙ୍ଗପୁର, ଲାଠିକଟା, ବିଶ୍ରା ସମେତ ଅନ୍ୟାନ୍ୟ ବ୍ଳକର ଆବେଦନକାରୀ ଶତାଧିକ ପଞ୍ଜିକୃତ ଦୈନନ୍ଦିନ ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଦାୟିତ୍ବରେ ଥିବା ଅଧିକାରୀ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ସମୟ ଗଡାଇ ଚାଲିଛନ୍ତି। ଫଳରେ ଏମାନଙ୍କୁ ମିଳିବାକୁ ଥିବା ପ୍ରାୟ ୮ କୋଟିର ଆର୍ଥିକ ସହାୟତା ଖାତାରେ ଗଡୁଛି। ପିଲାଙ୍କ ପାଠ, ପ୍ରସୂତୀ ବା ବାହାଘର ଆଦି ପାଇଁ ମିଳିବାକୁ ଥିବା ସହାୟତା ବର୍ଷ ବର୍ଷ ପରେ ମିଳିଲେ, ତା’ର ଅର୍ଥ କିଛି ରହୁନାହିଁ। ଟଙ୍କାକୁ ଅଧିକାରୀମାନେ କେଉଁ କାରଣରୁ ଓ କେଉଁ ଅଧିକାରରେ ଚାପି ବସିଛନ୍ତି, ଜଣା ପଡୁନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ରଖିପାରୁ ନାହାନ୍ତି। ଫଳରେ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।