ନିଆଳି-ଓଲଟପୁର ରାସ୍ତା ଦୁଇ ଥାକିଆ ହେବ
ହସ୍ପିଟାଲ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ହେବ

Advertisment

ଭୁବନେଶ୍ବର : ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ୍ ଓ ଗବେଷଣା ପ୍ରତିଷ୍ଠାନ (ନିରତାର୍‌)କୁ ନୂଆ ରୂପ ଦିଆଯିବ। ଏଠାକୁ ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶହଶହ ଲୋକ ଅସ୍ଥି ଚିକିତ୍ସା ପାଇଁ ଆସୁଥିବାବେଳେ ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରୋଗୀମାନେ ଯେପରି ଏଠାରେ ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଓଲଟପୁର ଗସ୍ତ କରି ହସ୍ପିଟାଲ ପରିସର ବୁଲି ଦେଖିବା ସହ ସ୍ଥାନୀୟ ଲୋକ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ।

ରୋଗୀମାନେ ଯେପରି ସୁବିଧାରେ ନିରତାର୍‌ରେ ପହଞ୍ଚିପାରିବେ ସେଥିପାଇଁ ନିଆଳି-ଅଡ଼ଶପୁର ରାସ୍ତାର ବୋଇରାଇ ଛକରୁ ଓଲଟପୁର ନିରତାର୍ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିରତାର୍ ହସ୍ପିଟାଲ ପାର୍ଶ୍ବବର୍ତ୍ତୀ ଜମି ଅଧିଗ୍ରହଣ କରି ସେ ଅଞ୍ଚଳର ବିକାଶ କରାଯିବ, ହଷ୍ଟେଲର ମଧ୍ୟ ଉନ୍ନତୀକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉନ୍ନୟନ ସଚିବଙ୍କ ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।