କୋରାପୁଟ: ବିଶିଷ୍ଟ ସର୍ବୋଦୟ ନେତା ନିଶାକର ଦାସ ଆଉ ନାହାନ୍ତି। ଆଜି ସକାଳ ସାଢ଼େ ୫ଟା ସମୟରେ ୧୦୨ ବର୍ଷ ବୟସରେ ପାଡୁଆସ୍ଥିତ କୁଲାବୀର ଆଶ୍ରମରେ ବିଶିଷ୍ଟ ତାଙ୍କର ପରଲୋକ ହୋଇଛି। ସେ ୧୯୨୧ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଜିଲ୍ଲା ସିଂହପୁରରେ ଜନ୍ମଗ୍ରହଣ କରିଥିଲେ।
ନିଶାକର ଦାସ ଯାଜପୁର ଜିଲ୍ଲାର ସିଂହପୁର ଗ୍ରାମରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦାରିଦ୍ର୍ୟ, ଅସ୍ପୃଶ୍ୟତା, ସାମାଜିକ ଘୃଣା ସତ୍ତ୍ୱେ ସେ ପ୍ରଥମେ ପାଲା ଓ ଯାତ୍ରା ଦଳରେ କାମ କଲେ। ପରେ ମା’ ରମାଦେବୀ, ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ଗାନ୍ଧୀ - ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୪୨ ମସିହାରେ ଯାଜପୁର କଚେରୀ ଘେରାଉ କାର୍ଯ୍ୟରେ ସାମିଲ ହୋଇ ଦେଶ ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଖଦୀ, ସୂତାକଟା, ଲୁଗାବୁଣା, ଆଶ୍ରମ ପ୍ରାର୍ଥନା ଆଦି କାମରେ ପାରଙ୍ଗମ ହୋଇ ପାରିଥିଲେ। ବିନୋବା ଭାବେ ଭୂଦାନ ସଂଗ୍ରହ ପାଇଁ ୧୯୫୫ ମସିହାରେ ପଦଯାତ୍ରାରେ ଓଡ଼ିଶା ଆସିବା ବେଳେ ସେ ବାଲେଶ୍ଵରର ଲକ୍ଷ୍ମଣନାଥ ଠାରୁ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବା ଯାଏ ତାଙ୍କ ସହ ସହଯାତ୍ରୀ ଥିଲେ। ବିନୋବାଜୀଙ୍କ ପଦଯାତ୍ରାରେ ଆଗରେ ଲଣ୍ଠନ ଧରି ଚାଲିବା, ସଭାରେ ସର୍ବଧର୍ମ ପ୍ରାର୍ଥନା ଗାଇବା ତଥା ଅଲସର ପୀଡ଼ିତ ବିନୋବାଙ୍କ ପାଇଁ କ୍ଷୀରରୁ ଲହୁଣୀ ବାହାର କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା ।
ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହେବାରେ ସେ ଯାଜପୁର ଛାଡ଼ି କୋରାପୁଟ ଯାଇ ନନ୍ଦପୁର ବ୍ଲକର କୁଲାବୀର ଗ୍ରାମରେ ଆଶ୍ରମ ନିର୍ମାଣ କରି ଗାଁ ଗାଁରେ ଗ୍ରାମ ସଭା, ଗ୍ରାମ ପାଣ୍ଠି ଗଢ଼ିବା ସହ ଜମି ଉପରେ ବ୍ୟକ୍ତି ମାଲିକାନା ସମାପ୍ତ କରି ଗ୍ରାମସଭାର ସାମୁହିକ ମାଲିକାନାର ବ୍ୟବସ୍ଥା କରାଇଥିଲେ। ଏହି ଆନ୍ଦୋଳନ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପଚସ୍ତରୀ ଭାଗ ଗ୍ରାମରେ ଗ୍ରାମଦାନ ଘୋଷଣା ହୋଇପାରିଥିଲା। ସରଳା ଦେବୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ପଣ୍ଡିତ କୃପାସିନ୍ଧୁ ହୋତା, ଗୁଣନିଧି ମହାନ୍ତି, ବିଶ୍ଵନାଥ ପଟ୍ଟନାୟକ, ଈଶ୍ଵରଲାଲ ବ୍ୟାସ, ଅନ୍ନପୂର୍ଣ୍ଣା ମହାରଣା ଆଦି ସର୍ବୋଦୟ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିମାନଙ୍କର ସେ ଘନିଷ୍ଠ ସହଯୋଗୀ ଅଟନ୍ତି । ଆଚାର୍ଯ୍ୟ ହରିହର ଦାସ ଜୀବନର ଶେଷ ଅବସ୍ଥାରେ ଓଡ଼ିଶାବ୍ୟାପୀ ଯେଉଁ ପଦଯାତ୍ରା କରିଥିଲେ, ସେଥିରେ ନିଶାକର ଦାସ ତାଙ୍କର ସହଯାତ୍ରୀ ରହିଥିଲେ। ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନଠାରୁ ବର୍ତ୍ତମାନର ନବ୍ୟ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଯାଏ ସମସ୍ତ ଆନ୍ଦୋଳନରେ ସେ ଆଗରେ ରହିଥାନ୍ତି ।
ସେ ୧୦୨ ବର୍ଷ ବୟସରେ ସ୍ଵରାଜ୍ୟ ସଙ୍ଗୀତ ଗାନ କରିବା ସହ ଗାଁଗାଁରେ କୋରାପୁଟ ଜିଲ୍ଲାରେ ଗ୍ରାମ ସ୍ଵରାଜ୍ୟର ବାର୍ତ୍ତା ପ୍ରଚାର କାମରେ ଲାଗିରହିଥିଲେ। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ରାଜ୍ୟବ୍ୟାପୀ ଶାନ୍ତି ସଂହତି ସଦଭାବନା ଯାତ୍ରାର ସେ ନେତୃତ୍ଵ ନେଇଥିଲେ ତାଙ୍କ ଆତ୍ମଜୀବନୀ ଖରସୁଆଁରୁ କୁଲାବୀର ଉତ୍କଳ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛି। ଏହି ଆତ୍ମଜୀବନୀ ଇଂରାଜୀ ଭାଷାରେ ମଧ୍ୟ ଅନୂଦିତ ହୋଇଅଛି। ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆଦି ସଂଗଠନର ମାର୍ଗଦର୍ଶକ ରୂପେ ଅଦ୍ୟାବଧି ଅବସ୍ଥାପିତ ଥିଲେ।
Follow Us