ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍ର ବହୁ ପଞ୍ଚାୟତରେ ଏବେ ଚକଡ଼ା ପୋକ ଆତଙ୍କ ସୃଷ୍ଟି କରିଛନ୍ତି। ଧାନ ଫସଲରେ ଏହି ପୋକ ଲାଗିବା ପରେ ହଳଦିଆ ପଡ଼ି ଗଛ ମୂଳରୁ ଗଛ ମରି ଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ରିହାତି ମୂଲ୍ୟରେ ରାସାୟନିକ ସାର, ବିହନ, କୀଟନାଶକ, ଔଷଧ, କୃଷି ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି। ମାତ୍ର କୃଷି ବିଭାଗର ଦାୟିତ୍ବହୀନତା ଯୋଗୁଁ ଚାଷୀମାନେ କ୍ଷତି ସହୁଥିବା ଅଭିଯୋଗ ହେଉଛି। କିଛିଦିନ ହେଲା ନିଶ୍ଚିନ୍ତକୋଇଲି ବ୍ଲକ୍ର ବହୁ ପଞ୍ଚାୟତର ବ୍ୟାପକ ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋକ ଲାଗିବା ପରେ ଧାନଗଛଗୁଡ଼ିକ ହଳଦିଆ ହେବା ସହ ମୂଳରୁ ମରି ଯାଉଛି। ସମ୍ପ୍ରତି ଧାନଗଛ ଗର୍ଭଧାରଣ କରିବାକୁ ଆରମ୍ଭ କରିଛି। ଏଭଳି ସମୟରେ ଗଛରେ ଚକଡ଼ା ପୋକ ଲାଗିବାରୁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ି ଯାଇଛି।
ଅଞ୍ଚଳର ଶହଶହ ଚାଷୀ ଜାତୀୟକରଣ ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀ ସ˚ସ୍ଥା ଓ ଗାଁ ମହାଜନଙ୍କଠାରୁ କରଜ କରି ଧାନଚାଷ କରିଥିଲେ। ଚକଡ଼ା ପୋକ ଲାଗିବା ପରେ ସେମାନେ ବର୍ଷକର ଆହାର କିପରି ପାଇବେ ଏବଂ କିପରି ଋଣ ପରିଶୋଧ କରିବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ଚାଷୀମାନେ ବାରମ୍ବାର ନିଶ୍ଚିନ୍ତକୋଇଲି କୃଷି ବିଭାଗ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ କର୍ମଚାରୀଙ୍କୁ ନ ପାଇ ନିରାଶରେ ଫେରୁଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଚକଡ଼ା ପୋକର ପ୍ରତିଷେଧକ ନିମନ୍ତେ ନିଶ୍ଚିନ୍ତକୋଇଲି ବ୍ଲକ୍କୁ କୀଟନାଶକ ଔଷଧ ଯୋଗାଇ ଦିଆଯାଇଛି। ମାତ୍ର ଚାଷୀଙ୍କ ପାଖରେ ତାହା ପହଞ୍ଚି ନ ଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ବ୍ଲକ୍ରେ ନିଯୁକ୍ତି ପାଇଥିବା କୃଷି ଅଧିକାରୀଙ୍କୁ ଲୋକମାନେ ଦେଖିବାକୁ ପାଉ ନ ଥିବା ଏବଂ ଫୋନ୍ କଲେ ସେ ଉଠାଉ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ନ ଆସିବା ସୁଯୋଗରେ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଦେଖା ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବା ସହ ଚକଡ଼ା ପୋକର ପ୍ରତିଷେଧକ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି। କଟକ ଜିଲ୍ଲାପାଳ ଓ କୃଷି ବିଭାଗ ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/dhan-re-poka_6-1.jpg)