ଗୌହାଟୀରୁ ଧରାପଡ଼ିଲା ନିଶା ବାଦଶାହା ଆଜାଦ୍ ପରଭେଜ: ଅଣ୍ଡରଵାର୍ଲଡ୍, ଆଇଏସ୍ଆଇ ଲିଙ୍କ୍‌ ରହିଛି!

ଗିରଫ କଲା ଏନସିବି, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ପୂର୍ବରୁ ୧୦ ବର୍ଷ ସଜ୍ଜା କାଟି ସାରିଛି

ଭୁବନେଶ୍ବର/ବାଲେଶ୍ବର: ଏକାଧିକ ତଦନ୍ତକାରୀ ସଂସ୍ଥା ପାଇଁ ମୋଷ୍ଟ ଵାଣ୍ଟେଡ ଥିବା ତଥା ତିନି ଦଶନ୍ଧି ଧରି ନିଶା କାରବାରରେ ସକ୍ରିୟ ଥିବା ବାଲେଶ୍ବରର କୁଖ୍ୟାତ ମାଫିଆ ଆଜାଦ୍ ପରଭେଜ୍ ବହୁ ବର୍ଷ ପରେ ଧରାପଡ଼ିଛି। ପରଦା ପଛରେ ରହି ନିଶା କାରବାର ସମ୍ଭାଳୁଥିବା ଆଜାଦ୍ ପରଭେଜକୁ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଆସାମର ଗୌହାଟୀରୁ ଗିରଫ କରିଛି। ତା’ ଠାରୁ ୧ କେଜି ୪୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ଖବର ପାଇବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍ ଗୌହାଟୀ ଯାଇ ଗତକାଲି ଜେଲ୍ ଭିତରେ ଆଜାଦକୁ ଜେରା କରିଛି। ରାଜ୍ୟରେ ବ୍ରାଉନସୁଗାର ସମ୍ପର୍କରେ ତା ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ରାଜ୍ୟ ଭିତରକୁ ବ୍ରାଉନସୁଗାର ଆସିବା ଠାରୁ ଚାଲାଣ ପର୍ଯ୍ୟନ୍ତ ଆଜାଦର ହାତ ଥିବା ଜଣାପଡ଼ିଛି। ଖୁବଶୀଘ୍ର ଏସଟିଏଫ୍ ଆଜାଦକୁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି। ଆଜାଦ୍ ପରଭେଜର ମୁମ୍ବାଇ ଅଣ୍ଡର ଵାର୍ଲଡ୍ ଓ ଆଇଏସ୍ଆଇ ସହ ଲିଙ୍କ୍ ରହିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ନବେ ଦଶକରୁ ବ୍ରାଉନସୁଗାର କାରବାରରେ ସକ୍ରିୟ ଥିବା ଆଜାଦ୍ ପରଭେଜ୍ ବିରୋଧରେ ପ୍ରଥମ ମାମଲା ୧୯୮୭ରେ ବାଲେଶ୍ବର ଟାଉନ୍ ଥାନାରେ ହୋଇଥିଲା। ସେବେଠାରୁ ୨୦୦୬ ଭିତରେ ତା ବିରୋଧରେ ୫ଟି ମାମଲା ରହିଛି।

ଗିରଫ କଲା ଏନସିବି, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ଅଣ୍ଡରଵାର୍ଲଡ୍, ଆଇଏସ୍ଆଇ ଲିଙ୍କ୍‌ ରହିଛି!
ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍
ପୂର୍ବରୁ ୧୦ ବର୍ଷ ସଜ୍ଜା କାଟି ସାରିଛି

ସେହିପରି ଏନସିବି କୋଲକାତା ଶାଖାରେ ତା ବିରୋଧରେ ଦୁଇଟି ମାମଲା ରହିଛି। ୧୯୯୩ ମସିହାର ଏନସିବି ମାମଲାରେ ଆଜାଦକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଦଣ୍ଡ ଭୋଗି ସାରି ସେ ୨୦୧୪ରେ ଜେଲରୁ ମୁକୁଳିଥିଲା। ଏହା ପରେ ନିଶା ଦୁନିଆରେ ଅଧିକ ସକ୍ରିୟ ହୋଇ ଯାଇଥିଲା। ଏକାଧିକ ଏଜେଣ୍ଟ ରଖି ଦେଶର ଏକ କୁଖ୍ୟାତ ନିଶା ବେପାରୀ ପାଲଟି ଯାଇଥିଲା। ଏପରିକି ଜେଲ୍ ଭିତରେ ରହି ମଧ୍ୟ ବ୍ରାଉନସୁଗାର କାରବାରକୁ ନିୟନ୍ତ୍ରଣ କରୁଥିବା କୁହା ଯାଉଥିଲା। ଧରା ନ ପଡ଼ିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲା। ନିଜେ ମୋବାଇଲ ଫୋନ୍ ବ୍ୟବହାର କରୁ ନ ଥିଲା। ଯେଉଁ ଏଜେଣ୍ଟମାନେ ବେପାରୀଙ୍କ ପାଖରେ ବ୍ରାଉନସୁଗାର ପହଞ୍ଚାଉଥିଲେ ସେମାନେ ମଧ୍ୟ ମୋବାଇଲ ଫୋନ୍ ବ୍ୟବହାର କରୁ ନ ଥିଲେ। ଏଜେଣ୍ଟମାନେ ବ୍ରାଉନସୁଗାର କାରବାର କରିବା ବେଳେ ସେମାନଙ୍କ ସହ ଏସକର୍ଟ ଯାଉଥିଲେ। ବାଲେଶ୍ବର ଠାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଭୁବନେଶ୍ବର, ପୁରୀ, ନୟାଗଡ଼କୁ ନିଜ କବ୍‌ଜାକୁ ନେଇ ଯାଇଥିଲା। ଫଳରେ ସହଜରେ ସନ୍ଦେହ ପରିସରକୁ ଆସୁ ନ ଥିଲା ଆଜାଦ୍। ଦେଶରେ ଏକାଧିକ ସ୍ଥାନକୁ ବ୍ରାଉନସୁଗାର ଚାଲାଣ କରୁଥିଲା। ତଦନ୍ତ ଚାଲୁଥିବାରୁ ଏସଟିଏଫ୍ ଏ ସମ୍ପର୍କରେ ଅଧିକ କିଛି ସୂଚନା ଦେଇ ନାହିଁ। କିନ୍ତୁ ଆଗକୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

 

ସମ୍ବନ୍ଧିତ ଖବର