ନିଶା ମାଫିଆ ଚିତ୍ରସେନର ୨କୋଟିର ସମ୍ପତ୍ତି ଠାବ

ଭୁବନେଶ୍ବର : ନିଶା ମାଫିଆଙ୍କ ଅଣ୍ଟାଭାଙ୍ଗିବାକୁ କ୍ରାଇମ୍‌ବ୍ରାଞ୍ଜ ଏସ୍‌ଟିଏଫ୍‌ ଟିମ୍‌ ଅଣ୍ଟା ଭିଡିଛି। ଜଣକ ପରେ ଜଣେ ମାଫିଆଙ୍କ ଘରେ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରି ବାଜ୍ୟାପ୍ତି କରିଚାଲିଛି। କିଛିଦିନ ତଳେ ମୋଷ୍ଟ ୱାଣ୍ଟେଡ୍‌ ନିଶାମାଫିଆ ଅନିଲ ପାଣ୍ଡି ଓ ସୁନୀଲ ପାଣ୍ଡିଙ୍କ ଘରେ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ବେଳେ ବୁଧବାର ଦିନ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ସହଯୋଗୀ ଚିତ୍ରସେନ ପରିଡ଼ାର ଗଞ୍ଜାମ କୋଦଳା ସ୍ଥିତ ଘରେ ଚଢ଼ଉ କରିଛି। ଚଢ଼ଉ ବେଳେ ଏସ୍‌ଟିଏଫ୍‌ ଟିମ୍‌ ଦୁଇଟି ୩ମହଲା କୋଠା, ‌ଗୋଟିଏ ବସ୍‌, କାର୍‌, ଜମି ଜବତ କରିଛି। କେବଳ ଦୁଇଟି କୋଠାର ମୂଲ୍ୟ ଏକ କୋଟି ୮୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ ସମ୍ପତ୍ତିର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି। ସେହିପରି ଚିତ୍ରସେନର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଜ୍ କରାଯାଇଛି। ଜବତ ସମ୍ପତ୍ତିକୁ ବାଜ୍ୟାପ୍ତି ପାଇଁ ଏସ୍‌ଟିଏଫ୍‌ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି।

ଅନ୍ୟପଟେ ତା ନାଁରେ ଓଡ଼ିଶା ସମେତ ଅନ୍ୟରାଜ୍ୟରେ ୪ଟି ନିଶା କାରବାର ମାମଲା ରହିଛି। ଗୁଜୁରାଟରେ ୩ଟି ମାମଲା ଥିବା ବ‌େଳେ ମାଲକାନଗିରିରେ ଗୋଟିଏ ଥିବା ଜଣାପଡ଼ିଛି। ଯେହେତୁ ଗୁଜୁରାଟରେ ତାର ନିଶା କାରବାର ଥିଲା। ତେଣୁ ସେଠାରେ ତା’ର ସମ୍ପତ୍ତି ଥାଇପାରେ ବୋଲି ଏସ୍‌ଟିଏଫ୍‌ ସନ୍ଦେହ କରିଛି। ଏଥିପାଇଁ ଏସ୍‌ଟିଏଫ୍‌ ଗୁଜୁରାଟ ପୁଲିସ ସହ ଯୋଗାଯୋଗ କରିଛି। ଏନଇେ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉକି, ଚିତ୍ରସେନ, ଅନିଲ ପାଣ୍ଡି ଓ ତା’ ଭାଇ ସୁନୀଲ ପାଣ୍ଡି ନିଶାକାରବାର କରି ପୁଲିସ ନିଦ ହଜାଇ ଦେଇଥିଲେ। ସେମାନେ ଓଡ଼ିଶାରୁ ଗୁଜୁରାଟ, ମହାରାଷ୍ଟ୍ର, କୋଲକାତାକୁ ଗଞ୍ଜେଇ ଚାଲାଣ କରୁଥିଲେ। ୨୦୨୧ ମସିହାରେ ଏମାନେ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ ଚଢ଼ଉ କରି ବାଲେଶ୍ବର ବସ୍ତା ଅଞ୍ଚଳରୁ ୧୦କୁଇଣ୍ଟାଲ୍‌ ଗଞ୍ଜେଇ ଓ ଟ୍ରକକୁ ଜବତ କରିଥିଲ। ତେବ‌େ ପୂର୍ବରୁ ସୁନୀଲ ପାଣ୍ଡିଙ୍କୁ ଗୁଜରାଟ ପୁଲିସ ଗିରଫ କରିଥିବା ବେଳେ ଗତ ୧୦ ତାରିଖ ଦିନ ଏସ୍‌ଟିଏଫ୍‌ ଚିତ୍ରସେନକୁ ବାଲେଶ୍ବରରୁ ଗିରଫ କରିଥିଲା। ହେଲେ ଏବେ ବି ଅନିଲ୍‌ ଫେରାର୍‌ ଅଛି। ଗତ ୭ତାରିଖ ଦିନ ଏସ୍‌ଟିଏଫ୍‌ ମୋଷ୍ଟୱାଣ୍ଟେଡ ଘୋଷଣା କରିଛି। ତାର ଫଟୋ ଜାରି କରିବା ସହ ମୋବାଇଲ୍‌ ନମ୍ବର(୭୮୯୪୪୨୩୬୧୦) ଦିଆଯାଇଛି। ଯେଉଁମାନେ ଅନିଲକୁ ଧରାଇବାରେ ସହଯୋଗ କରିବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର