ନିଶା ନିବାରଣ ଯୋଜନା କରି ଭୁଲିଗଲେ

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଥିଲା ନିଶା ନିବାରଣ। କୁହାଯାଉଥିଲା, ନିଶାମୁକ୍ତ ସମାଜରେ ହିଁ ଦେଶର ନାଗରିକମାନେ ସ୍ବାଧୀନତାର ବାସ୍ତବ ସ୍ବାଦ ଚାଖି ପାରିବେ। ଗୁଜରାଟ ପରେ ବିହାର ସରକାର ମଦକୁ ନିଷେଧ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ନିଶା ନିବାରଣ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ସରକାର ବଦଳିବା ପରେ ସେସବୁ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ନେତା ବଦଳିଲେ, ନୀତି ବଦଳୁଛି ଓ ଆଭିମୁଖ୍ୟ ବି। କେବଳ ପ୍ରତିବର୍ଷ ଜୁନ୍‌ ୨୬ ତାରିଖରେ ଅନ୍ତଃରାଷ୍ଟ୍ରୀୟ ନିଶା ନିବାରଣ ଦିବସରେ କିଛି କାର୍ଯ୍ୟକ୍ରମ ଭିତରେ ସରକାର ସୀମିତ ରହିଯାଉଛି।

୧୦୨ ବର୍ଷ ତଳର ପୁରୁଣା ବିହାର ଓଡ଼ିଶା ଅବକାରୀ ଆଇନକୁ ଉଚ୍ଛେଦ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ଆଇନ-୨୦୦୮ ପ୍ରଣୟନ କରିଛନ୍ତି। ୨୦୧୭ ଏପ୍ରିଲ୍‌ ପହିଲାରୁ ଏହି ଆଇନ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଏଥିରେ ନିଶା ନିବାରଣ ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କାର୍ଯ୍ୟରେ ଶୂନ। ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଅବକାରୀ କମିସନରଙ୍କ ମତରେ ସରକାରଙ୍କ ନିଶା ନିବାରଣ କେବଳ ପ୍ରହସନରେ ପରିଣତ ହୋଇଛି। ଏଥିପାଇଁ ସରକାର କେବେ ବି ଆନ୍ତରିକତା ଦେଖାଇନାହାନ୍ତି। ଏବେ କରୋନା ମହାମାରୀ ଯେପରି ଆତଙ୍କ ସୃଷ୍ଟି କରିଛି, ଏଭଳି ସମୟରେ ମଦ ଦୋକାନ ଖୋଲିବା ଅନୁମତି ଦେବା ଅର୍ଥ ମଦ ପିଉଥିବା ବ୍ୟକ୍ତିର ଜୀବନକୁ ଅଧିକ ବିପନ୍ନ କରିବା ସହ ସମାନ। ଗୋଟିଏ ପଟେ ସରକାର କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଡାକ୍ତର, ନର୍ସ୍‌, ସ୍ବାସ୍ଥ୍ୟ କର୍ମୀମାନେ ଦିନରାତି ଏକ କରିଦେଇଛନ୍ତି। କରୋନା ଯୁଦ୍ଧରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବି ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ମହିଳାଙ୍କ ସଶକ୍ତୀରଣ ପାଇଁ ସ୍ବତନ୍ତ୍ର ମିସନ ଶକ୍ତି ବିଭାଗ ଗଠନ ହୋଇଛି। ଅଥଚ ଏହି ମହିଳାମାନେ ଅତୀତରୁ ଆଜି ପର୍ଯ୍ୟନ୍ତ ମଦ ପ୍ରଚଳନ ବିରୋରେ କେତେ ଯେ ସଂଗ୍ରାମ କରିଆସୁଛନ୍ତି ସେସବୁର ମୂଲ୍ୟ ସରକାର ବୁଝିବାକୁ ନାରାଜ।

ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସରକାରଙ୍କ ଓଡ଼ିଶା ଯୁବନୀତି-୨୦୧୩ରେ ମଧ୍ୟ ଘୋଷଣା କରାଯାଇଛି। ଯୁବନୀତିର ନବମ ଅନୁଚ୍ଛେଦ ଅନୁଯାୟୀ,’ନିଶାଯୋଗୁଁ ଯୁବସମାଜ ପଥଭ୍ରଷ୍ଟ ହେଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା କରିବା’। କିନ୍ତୁ ଆଜି ଗାଁ ଗାଁରେ ମଦର ପ୍ରସାର ଯୁବକମାନଙ୍କୁ ବାଟବଣା କରିସାରିଲାଣି। ପରିସ୍ଥିତି ଏମିତି ହେଲାଣି, କିଛି ଟିକିଏ ରୋଜଗାର କରିଦେଲେ ମଦ ଦୋକାନରେ ସବୁ ଅର୍ଥ ଦେବାକୁ ଯୁବକମାନେ ପଛାଉନାହାନ୍ତି। ମଦ ପ୍ରଭାବ ଯୋଗୁଁ ଗାଁ ଅର୍ଥନୀତି ଯେ ବହୁଳ ମାତ୍ରାରେ ବିପର୍ଯ୍ୟସ୍ତ ଏକଥା କାହାକୁ ଅଛପା ନାହିଁ। ଖାଲିସେତିକି ନୁହେଁ, ଓଡ଼ିଶା ଯୁବନୀତିରେ ଥିବା ନିଶା ନିବାରଣ ପ୍ରସଙ୍ଗକୁ ନେଇ ବିଧାନସଭାର ପ୍ରତି ଅଧିବେଶନରେ ପ୍ରଶ୍ନ ଆସେ, କିନ୍ତୁ ଅବକାରୀ ବିଭାଗ ତାର କୌଣସି ସନ୍ତୋଷଜନକ ଉତ୍ତର ଦିଏନାହିଁ।

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯାଇ ସରକାର ଅନେକ ଯୋଜନା କରିଛନ୍ତି। ୨୦୧୫ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରେ କେନ୍ଦ୍ରାପଡ଼ାର ନମତାରାରେ ମହିଳାମାନେ ମଦ ଦୋକାନ ଭାଙ୍ଗିବା ଘଟଣା ଆଜି ବି କେହି ଭୁଲିନଥିବେ। ଏହି ଘଟଣାରେ ମହିଳାମାନଙ୍କୁ ଗୁଳିମାଡ଼ ଖାଇବାକୁ ପଡ଼ିଛି। ଘଟଣାର ପ୍ରଶାସନିକ ତଦନ୍ତ ସରିଥିଲେ ବି ଏ ପର୍ଯ୍ୟନ୍ତ ସାଧାରଣରେ ରିପୋର୍ଟ ପ୍ରକାଶ ପାଇଲାନି। ସେଦିନର ଏହି ଘଟଣା ପାଇଁ କେଉଁମାନେ ଦାୟୀ ତାକୁ ଏପର୍ଯ୍ୟନ୍ତ ସରକାର ଲୁଚାଇ ରଖିଛନ୍ତି। ଖାଲି ସେତିକି ନୁହେଁ, ପଞ୍ଚଦଶ ବିଧାନସଭାରେ ସରକାରୀ ଦଳର ଦୁଇ ଜଣ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରବି ନାରାୟଣ ମହାପାତ୍ର ମଦ ଓ ନିଶା ନିବାରଣ ପାଇଁ ଆଣିଥିବା ଦୁଇଟି ପୃଥକ ଘରୋଇ ବିଲ୍‌ ମଧ୍ୟ ଦଳମତ ନିର୍ବିଶେଷରେ ବିଧାନସଭାରେ ଗୃହୀତ ହେଲା। ଅଥଚ ସେସବୁ ନାଲି ଫିତା ତଳେ ରହିଗଲା।

ବରିଷ୍ଠ ଆଇନଜୀବୀ ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ନିଶାମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାସ ୧୯୩୯ ମସିହାରେ ସ୍ବତନ୍ତ୍ର ଆଇନ ଆଣିଥିଲେ। ବିହାର ଓଡ଼ିଶା ଅବକାରୀ ଆଇନ-୧୯୧୫ର ମୂ​ଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ନିଶା ନିବାରଣ। କୌଣସି ପ୍ରକାରେ ନିଶାକୁ ପ୍ରସାର କରିବାକୁ ଦିଆଯିବନି ବୋଲି ଏହି ଆଇନରେ ବ୍ୟବସ୍ଥା ଥିଲା। ଓଡ଼ିଶା ଅବକାରୀ ଆଇନ ୨୦୦୮ର ଧାରା ୯୩ କହୁଛି, ମଦ କାରବାର ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ। ଏହାସହିତ ଆବଶ୍ୟକ ପଡ଼ିଲେ, ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିପାରିବେ। ଏହାସହିତ ବହୁ ପୂର୍ବରୁ ମଧ୍ୟ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୧୯୫୬ ମସିହାରେ ଓଡ଼ିଶା ନିବାରଣ ଆଇନ ବିଧାନସଭାରେ ପାରିତ ହୋଇଥିଲା। ଏହା ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି। କିନ୍ତୁ ସରକାର ଏହାକୁ ଲାଗୁ କରିନାହାନ୍ତି। ସରକାର ଚାହିଁଲେ ଏହି ଆଇନରେ ଥିବା ଦଣ୍ଡବିଧାନ ପରିମାଣକୁ ବୃଦ୍ଧି କରିବା ସଂଶୋଧନ ପ୍ରସ୍ତାବ ଆଣି ଲାଗୁ କରିପାରିବେ। ଏହି ଆଇନଟି ରାଜ୍ୟକୁ ନିଶାମୁକ୍ତ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ଶ୍ରୀ ସିଂହ ମତ ରଖିଛନ୍ତି।

ପୂର୍ବତନ ଅବକାରୀ କମିସନର ତଥା ମିଳିତ ନିଶା ନିବାରଣ ସଂଘ ଉପଦେଷ୍ଟା ସୁଦର୍ଶନ ନାଏକ କହିଛନ୍ତି ‌ଯେ ନିଶା ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର ୭୦% ବୃଦ୍ଧି ପାଉଛି। ପ୍ରତିଦିନ ଘଟୁଥିବା ଦୁର୍ଘଟଣାରେ କେହି ନା କେହି ନିଶାସକ୍ତ ଥିବା ଜଣାପଡ଼ିଛି। କରୋନା ପାଇଁ ଯେପରି ବର୍ତ୍ତମାନ୍‌ ତାଲାବନ୍ଦ କଟକଣା ଜାରି ରହିଛି ସେହି ସୁଯୋଗରେ ରାଜ୍ୟ ସରକାର ଚାହିଁଲେ ମଦକୁ ସମ୍ପୂର୍ଣ୍ଣ ମଦ ନିଷେଧ କରାଯାଇପାରିବ। ଏହାଛଡ଼ା ମଦ ରାଜସ୍ବରୁ ମିଳୁଥିବା ପ୍ରତିବର୍ଷ ୩ ହଜାରରୁ ୪ ହଜାର କୋଟି ଟଙ୍କା ଅନ୍ୟ ବିକଳ୍ପ ସାଧନ ଜରିଆରେ ବି ଆସିପାରିବ। ଏଥିପାଇଁ ସରକାର ଆନ୍ତରିକତାର ସହ ବିଚାର କରିବା ଦରକାର। ମଦ ପ୍ରଚଳନ ଯୋଗୁଁ ଅର୍ଦ୍ଧାଧିକ ଶ୍ରମ ଦିବସ ନଷ୍ଟ ହେଉଛି। ନିଶା ନିବାରଣ ହେଲେ ରାଜ୍ୟରେ ୫୦% ଅପରାଧ ମଧ୍ୟ କମିଯାନ୍ତା। ଓଡ଼ିଶାରେ ନିଶା ନିବାରଣ ପାଇଁ ଅତୀତରେ ବାଲେଶ୍ବର, ପୁରୀ ଓ କଟକ ଜିଲ୍ଲାର ୧୮ଟି ପୁଲିସ୍‌ ଷ୍ଟେସନକୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ନିଶାର ପ୍ରଚାର ପ୍ରସାରକୁ ରୋକିବାରେ ସରକାର ବିଫଳ ହେଲେ। ଏ ନେଇ ୧୯୬୨ରେ ଏଲ୍‌.ଆଇ.ପରିଜା କମିସନ୍ ବସିଥିଲା। ‌ ରିପୋର୍ଟରେ ନିଶା ନିବାରଣ ଫେଲ୍‌ ହେବାର କମିସନ୍‌ ମୁଖ୍ୟତଃ ଦୁଇଟି କାରଣ ଦର୍ଶାଇଥିଲେ, ଗୋଟିଏ ହେଲା ସରକାର ଅବାଧ ମଦ କାରବାର, ଉତ୍ପାଦନ ଓ ବିକ୍ରି ଉପରେ ନିଷେଦ୍ଧାଦେଶ ଦେଲେ। କିନ୍ତୁ ମଦ ପିଉଥିବା ବ୍ୟକ୍ତି ପାଇଁ ଦଣ୍ଡର ବ୍ୟବସ୍ଥା କଲେନାହିଁ। ଫଳରେ ଲୋକଙ୍କ ଭିତରେ ଏ ନେଇ ଗୋଟିଏ ଭୟ ରହିଲାନି। ଦ୍ବିତୀୟ କାରଣ ହେଲା ଲୋକମାନଙ୍କ ମାନସିକତା। ସାଧାରଣରେ ଧାରଣା ସୃଷ୍ଟି ହୋଇଛି, ମଦ ପିଇବା ଏକ ଆଭିଜାତ୍ୟ ପରମ୍ପରା ଓ ରାଜକୀୟ ପ୍ରତୀକ। ଏହାଦ୍ବାରା ଶରୀରରେ ତ୍ବରିତ୍‌ ଶକ୍ତି ସୃଷ୍ଟି ହୁଏ। ଯେ ପର୍ଯ୍ୟନ୍ତ ସରକାର ଏହି ଦୁଇଟି ଦିଗ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ସେ ପର୍ଯ୍ୟନ୍ତ ନିଶା ନିବାରଣ ସମ୍ଭବ ନୁହଁ ବୋଲି କମିସନ କହିଛନ୍ତି। ତେବେ ସରକାର ଚାହିଁଲେ ଗୁଜୁରାଟ ଓ ବିହାର ପରି ରାଜ୍ୟରେ ସମ୍ପୂର୍ଣ୍ଣ ମଦ ନିଷେଧ ସମ୍ଭବ ବୋଲି ଶ୍ରୀ ନାଏକ ମତ ଦେଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶା ରାଜ୍ୟ ମଦ ନିଗମର ସାମାଜିକ ଦାୟିତ୍ବ ପାଣ୍ଠିରୁ ଗତ ୩ ବର୍ଷ ଧରି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୂୁ ପ୍ରାୟ ୧ ଲକ୍ଷ ଟଙ୍କା ଲେଖାଏଁ ନିଶା ନିବାରଣ କାର୍ଯ୍ୟକ୍ରମ କରିବାକୁ ଦିଆଯାଉଛି। ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ରେ ଏପରି ୯୦ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଓଡ଼ିଶା ସରକାର ମଦ ପ୍ରଚଳନ ବନ୍ଦ କରିବାକୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଯେଉଁଠି ଦିନକୁ କୋଟି କୋଟି ଟଙ୍କାର ମଦ କାରବାର ହେଉଛି, ତାକୁ ରୋକିବା ପାଇଁ ସରକାରଙ୍କ ଏପରି ପ୍ରୟାସ କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ।

ସମ୍ବନ୍ଧିତ ଖବର