ନିଶାନିବାରଣ କେନ୍ଦ୍ରର ଫିଟୁଛି ଗୁମର: ଆଉ ଏକ ମାଡ଼ ଭିଡିଓ ଭାଇରାଲ୍‌, ଅନ୍ତେବାସୀ ଘରକୁ ଯିବା ପରେ ସିଲ୍ ହେବ କେନ୍ଦ୍ର

ବାରିପଦା: ବାରିପଦା ସହର କାଳିକାନଗରସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ଭିତରେ ଚାଲିଥିବା ବେଆଇନ କାର୍ଯ୍ୟର ଗୁମର ଫିଟୁଛି। ଏଠାରେ ନିଶାସକ୍ତମାନଙ୍କୁ କୁଅଭ୍ୟାସରୁ ଦୂରେଇବା ପାଇଁ ଭରସାରେ ଛାଡ଼ିଥିଲେ ପରିବାର ଲୋକ। ଏଥିପାଇଁ ମାସକୁ ମାସ ଟଙ୍କା ଗଣୁଥିଲେ। ହେଲେ କେନ୍ଦ୍ର ପରିଚାଳକ ଅବନୀ ପତି ଓ ତାଙ୍କର ସହଯୋଗୀମାନେ ଅନ୍ତେବାସୀଙ୍କୁ ନିଶାମୁକ୍ତି ନାଁରେ ଅକଥନୀୟ ନିର୍ଯାତନା ଦେଉଥିଲେ। କେହି ପାଟି ଖୋଲିଲେ ମାଡ଼ ମାରି ଲହୁଲୁହାଣ କରିବାକୁ ପଛାଉ ନଥିଲେ। ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରି ପାଦ ଚଟେଇବାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ଗତକାଲି ଅବନୀ ଓ ତାଙ୍କ ସହଯୋଗୀ ପୀତବାସ ରାଉଳଙ୍କୁ ଗିରଫ କରିଥିଲା।ଗୁରୁବାର ଦିନ ଉଭୟଙ୍କ କୋର୍ଟ ଚାଲାଣ କରାଯାଇଛି।

ତେବେ ଏହି କେନ୍ଦ୍ରରେ ଆଉ ଜଣେ ଅନ୍ତେବାସୀଙ୍କୁ ମାଡ଼ ମରାଯିବାର ଏକ ପୁରୁଣା ଭିଡିଓ ଗୁରୁବାର ଦିନ ପୁଣି ଭାଇରାଲ୍‌ ହୋଇଛି।

ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି; ପୀତବାସ ପୂର୍ବରୁ ଏହି କେନ୍ଦ୍ରରେ କାମ କରୁଥିଲେ। କୌଣସି କାରଣରୁ ବିବାଦ ହେବାରୁ ସେ ଏହି କେନ୍ଦ୍ରରୁ ବାହାରି ଯାଇ କରଞ୍ଜିଆରେ ଥିବା ଆଉ ଏକ ନିଶାନିବାରଣ କେନ୍ଦ୍ର‌ରେ କାର୍ଯ୍ୟ କରୁଥିଲେ। ତେବେ ପୀତାବାସ ବର୍ଷେ ପୂର୍ବର ଏହି ମାଡ଼ ଭିଡିଓକୁ ନିଜ ମୋବାଇଲ୍‌ରେ ରଖିଥିଲେ ଏବଂ ଅବନୀଙ୍କ ବିବାଦ ବଢ଼ିବାରୁ ନିଜେ ଏହାକୁ ଭାଇରାଲ୍‌ କରି ଦେଇଥିଲେ। ତେବେ ଏହି କେନ୍ଦ୍ରରେ କେବଳ ଅନ୍ତେବାସୀଙ୍କୁ ନିର୍ଯାତନା ନୁହେଁ ବରଂ ଆଉ କିଛି ବେଆଇନ କାର୍ଯ୍ୟ ଚାଲିଥିବା ପୁଲିସ ସନ୍ଦେହ କରୁଛି। ସେଥିପାଇଁ ପୀତବାସଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ଚିନ୍ତା କରୁଛି। ଅନ୍ୟପଟେ ଏହି କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରି ଦେବାକୁ ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜିଠୁ ଅନ୍ତେବାସୀଙ୍କୁ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ସୁଦ୍ଧା ସବୁ ଅନ୍ତେବାସୀ ଚାଲିଗଲା ପରେ କେନ୍ଦ୍ରକୁ ସିଲ୍ କରିଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର