ଭୁବନେଶ୍ବର : ନିଶା କାରବାର ପାଇଁ ତାକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। କୋର୍ଟଙ୍କ ରାୟ ପ୍ରକାଶ ପରେ ସେଠାରୁ ତାକୁ ଝାରପଡ଼ା ଜେଲ୍ ନେବାକୁ ପୁଲିସ୍ ପ୍ରସ୍ତୁତି ଚଳାଇଥିଲା। ଆସାମୀ ହାତରେ ହାତକଡ଼ି ପଡ଼ିଥିଲା, ୪ ଜଣିଆ ଏସକର୍ଟ ଟିମ୍ ବି ତାକୁ ଘେରି ରହିଥିଲେ। କିନ୍ତୁ ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ଶନିବାର ଦିନ ଜଣେ କୁଖ୍ୟାତ ନିଶାମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଭୁବନେଶ୍ବରସ୍ଥିତ ଖୋର୍ଧା ଜିଲ୍ଲା କୋର୍ଟ ପରିସରରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଆସାମୀଜଣଙ୍କ ହେଲା, ବାଲିପାଟଣା ପଦ୍ମପୁର ଗାଁର ବିଜୟ କୁମାର ମାଣିଆ। କୋର୍ଟ ପରିସରରେ ଏତେ ସଂଖ୍ୟାରେ ପୁଲିସ, କୋର୍ଟ କର୍ମଚାରୀ ଏବଂ ସାଧାରଣ ଲୋକେ ଉପସ୍ଥିତ ଥିବା ସତ୍ତ୍ବେ ସ୍ପଷ୍ଟ ଦିବାଲୋକରେ ଏସକର୍ଟ ଟିମ୍କୁ ଧକ୍କା ମାରି ସେ ଖସିଯିବା, ପୁଲିସ୍ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗଂଜେଇ ବିକ୍ରି ବେଳେ ଧରାପଡ଼ିଥିଲା
ବଡ଼ଗଡ଼ ଥାନାରେ ମାମଲା ରୁଜୁ
ସୂଚନାନୁଯାୟୀ, ୨୦୨୦ ସେପ୍ଟେମ୍ବର ୧୧ ତାରିଖରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍ର ଡିଏସ୍ଇ ଜଗଦୀଶ ଚନ୍ଦ୍ର ସାମଲ ଓ ଏଏସ୍ଆଇ କିଶୋର ଚନ୍ଦ୍ର ରାଉତଙ୍କୁ ନେଇ ଗଠିତ ଟିମ୍ ତାକୁ ବାଲିପାଟଣାର ପଦ୍ମପୁର ଗାଁରୁ ଗିରଫ କରିଥିଲା। ତା’ ପାଖରୁ ୧୦୫ କେଜି ଓଜନର ଗଂଜେଇ ସହ ୪୨ ହଜାର ଟଙ୍କା ଜବତ କରାଯାଇଥିଲା। ନିୟମିତ ବ୍ୟବଧାନରେ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩(ଏଡିଜେ)ରେ ଅନ୍ତିମ ଶୁଣାଣି ଥିଲା। ଏଡିଜେ-୩ ବିଚାରପତି ସସ୍ମିତା ପାଢ଼ୀ ନିଶା କାରବାର ଅଭିଯୋଗରେ ବିଜୟକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଦଣ୍ଡାଦେଶ ଶୁଣାଇଥିଲେ। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ରଶ୍ମିରଂଜନ ବ୍ରହ୍ମା ମାମଲାର ପରିଚାଳନା କରୁଥିଲେ। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ବିଜୟକୁ ସାଙ୍ଗରେ ଆଣି ଆସିଥିବା ଏସକର୍ଟ ଟିମ୍ କୋର୍ଟ ରୁମ୍ ପରିସରରୁ ବାହାରକୁ ଆଣି ଜେଲ୍କୁ ନେଉଥିଲେ। ଏହି ସମୟରେ ବିଜୟ ଏସକର୍ଟ ଟିମ୍କୁ ଧକ୍କା ମାରି ଦୌଡ଼ିବା ଆରମ୍ଭ କରିଥିଲା। ଦାୟିତ୍ବରେ ଥିବା କର୍ମଚାରୀମାନେ ବିଜୟକୁ ଗୋଡ଼ାଇଥିଲେ ହେଁ ସେ ଖସିଯିବାରେ ସକ୍ଷମ ହୋଇଥିଲା। ବିଜୟ ନ ମିଳିବାରୁ ବାଧ୍ୟ ହୋଇ ଏସକର୍ଟ ଟିମ୍ ଏ ସଂପର୍କରେ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ କରିଛି।
/sambad/media/post_attachments/wp-content/uploads/2022/06/badagada-300x160.jpg) bhubaneswarcuttackpolice.gov.in
 bhubaneswarcuttackpolice.gov.inପୁଲିସର ଚେତା ପଶୁନି
ପୁଲିସ୍ ହେପାଜତରୁ କଏଦୀ ଖସିଯିବା ଏବେ ଓଡ଼ିଶା ପୁଲିସ ପାଇଁ ସାଧାରଣ ଘଟଣା ହୋଇଯାଇଛି। ନିୟମିତ ବ୍ୟବଧାନରେ ଏଭଳି ଅଘଟଣ ଘଟୁଥିବା ବେଳେ ଗତ ମେ’ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦ରୁ ଅଧିକ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ୍ ମାରିଥିବା ଜଣାଯାଇଛି। ସେଥିମଧ୍ୟରୁ କେବଳ ଭୁବନେଶ୍ବରରେ ୮ଟି ଘଟଣା ଘଟିଛି।
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର୍ ହାଇଦର୍କୁ ପୁଲିସ ହେପାଜତରେ କଡ଼ା ସୁରକ୍ଷାବଳୟ ମଧ୍ୟରେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସା କରାଯାଉଥିଲା। ମାତ୍ର ପୁଲିସ ଖାଇବାରେ ନିଶା ମିଶାଇ ହାଇଦର୍ ମେଡିକାଲ୍ରୁ ଖସିଯିବାରେ ସକ୍ଷମ ହୋଇଥିଲା। ପରେ ତାକୁ ପୁଲିସ ହାଇଦ୍ରାବାଦ୍ରୁ ଗିରଫ କରିବା ପରେ ଗୋଟିଏ ଜେଲ୍ରୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରୁଥିବା ବେଳେ ସେଠାରେ ମଧ୍ୟ ସମାନ ଅଘଟଣ ଘଟିଥିଲା। ହାଇଦର୍ ପୁଲିସ ବନ୍ଧୁକ ଛଡ଼ାଇ ଆଣି ଗୁଳି ଚଳାଇବାରୁ ଏନକାଉଣ୍ଟର୍ରେ ସେ ନିହତ ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଓଡ଼ିଶା ପୁଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଥିଲା। ସେଥିରୁ ବି ପୁଲିସ୍ କିଛି ଶିଖିଲା ନାହିଁ। ଫଳରେ ଏବେ ବାରମ୍ବାର ଏମିତି ଅଘଟଣ ଘଟୁଛି।
୨୦୨୧ରେ ଭୁବନେଶ୍ବରରୁ ୯ଜଣ ଅଭିଯୁକ୍ତ ପୁଲିସ ହେପାଜତରୁ ଫେରାର୍ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଭୁବନେଶ୍ବରରୁ ପ୍ରାୟ ୮ରୁ ଅଧିକ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ତେବେ କୌଣସି ଘଟଣାରେ ବି କମିସନରେଟ୍ ପୁଲିସ ଦାୟିତ୍ବରେ ଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/bbsr-court.jpg)
