ନିଷ୍ଟ୍‌ର ରୌପ୍ୟଜୟନ୍ତୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ: ‘ବିଶ୍ବସ୍ତରରେ ଚର୍ଚ୍ଚିତ ଚେହେରା ହୁଅନ୍ତୁ ଛାତ୍ରଛାତ୍ରୀ’

ଗୋଳନ୍ଥରା : ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରାସ୍ଥିତ ପାଲୁର୍ ହିଲ୍‌ରେ ଥିବା ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ‌ଟେକ୍ନୋଲଜି (ନିଷ୍ଟ୍‌)ର ରୌପ୍ୟ ଜୟନ୍ତୀ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ୍ ମୋଡ୍‌ରେ ଏହାକୁ ଉଦ୍‌ଘାଟନ କରି କହିଲେ, ‘ସାଂପ୍ରତିକ ପରିସ୍ଥିତିରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଏହି ଅନୁଷ୍ଠାନ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପ୍ରତିଯୋଗିତାମୂଳକ ଯୁଗରେ ଏଭଳି ଅନୁଷ୍ଠାନରେ ଜ୍ଞାନ ଆହରଣ କରି ବିଶ୍ବସ୍ତରରେ ଚର୍ଚ୍ଚିତ ଚେହେରା ହୁଅନ୍ତୁ। ଏଥିପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ତଥା ଫାଉଣ୍ଡର ଟ୍ରଷ୍ଟି ଡ. ସୁକାନ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଡ. ମହାପାତ୍ର ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଅନୁଷ୍ଠାନର ୨୫ ବର୍ଷର ଗୌରବମୟ ଅଧ୍ୟାୟକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଅନୁଷ୍ଠାନ ପରିଚାଳନା ଟ୍ରଷ୍ଟ୍ ସଭ୍ୟ ବିମଳ‌ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଜରର ନିର୍ଦ୍ଦେଶକ କେ.ଭି. ଚାରି, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

ଅପରାହ୍‌ଣରେ ଅନୁଷ୍ଠିତ ‘ଉଦୟମାନ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ସିଏସ୍‌ଆଇଆର୍‌ର ବୈଜ୍ଞାନିକ ଡ. ଅଜିତ ପାଣିଗ୍ରାହୀ, ନାଭାଲ ମ୍ୟାଟେରିଆଲ ରିସର୍ଚ ଲାବୋରେଟୋରିର ଡ. ମନୋରଞ୍ଜନ ପତି ଏବଂ ଆମେରିକାର ଜୋନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଡ. ଆଶୁତୋଷ ଦତ୍ତ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର କୁଳସଚିବ କ୍ଷୀରୋଦ ମହାପାତ୍ର ଓ ପ୍ରିନସିପାଲ ପ୍ରିୟଦର୍ଶୀ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

୨୦ ତାରିଖ ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର୍ ଗ‌ଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର