ରାଉରକେଲା : ସୁସ୍ଥ ସମାଜ ଗଠନରେ ଉଚ୍ଚଶିକ୍ଷାର ପ୍ରମୁଖ ଭୂମିକା ରହିଛି। ଏଥିରେ ବିଦ୍ୟାର୍ଥୀଙ୍କର ରହିଛି ଗୁରୁଦାୟିତ୍ବ। ଗୁଣାତ୍ମକ ଶିକ୍ଷା ହିଁ ସଫଳତାର ମନ୍ତ୍ର ବୋଲି ନାକ୍ର ନିର୍ବାହୀ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ବିରନ୍ଦର ସିଂହ ଚୌହାନ ତାଙ୍କ ଦୀକ୍ଷାନ୍ତ ଭାଷଣରେ କହିଛନ୍ତି। ରାଉରକେଲାରେ ଥିବା ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)ର ୧୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଚୌହାନ କହିଛନ୍ତି, ବିଶ୍ବରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ଥାନ ଦ୍ବିତୀୟ। ସ୍ବାଧୀନତା ପରେ ୧୯୪୮ରେ ଦେଶରେ ମାତ୍ର ୨୦ଟି ବିଶ୍ବବିଦ୍ୟାଳୟ ଏବଂ ପ୍ରାୟ ୨୦୦ ଟି କଲେଜ ରହିଥିଲା। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇ ୯୦୦ରେ ପହଞ୍ଚିଛି। ସେହି ଅନୁପାତରେ ଦେଶର ୪୦ ହଜାରରୁ ଅଧିକ କଲେଜ ରହିଛି। ଯେଉଁଠି ୩କୋଟି ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ପାଠ ପଢ଼ୁଛନ୍ତି। ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସବୁ ଛାତ୍ର, ଶିକ୍ଷକ, ପରିବାର ଓ ବ୍ୟକ୍ତିଙ୍କର ସମାଜ ପ୍ରତି ଗୁରୁ୍ଦାୟିତ୍ବ ରହିଛି। ଏ ସମସ୍ତଙ୍କ ସହଯୋଗ ରହିଲେ ଏକ ସୁନ୍ଦର ଓ ବିକାଶଶୀଳ ଭାରତ ଗଠନ ହୋଇପାରିବ ବୋଲି ସେ କହିଥିଲେ।
ଏନ୍ଆଇଟି ପରିଚାଳନା ସମିତିର ଅଧ୍ୟକ୍ଷ ଡ. ସନ୍ତୃପ୍ତ ବି ମିଶ୍ର ଉଦ୍ବୋଧନ ଦେଇ ନେତୃତ୍ବ ନେବାର କଳା ସମ୍ପର୍କରେ ଅବତାରଣା କରିଥିଲେ। ନିଜର ଭବିଷ୍ୟତ ଗଢ଼ିବା ସହ ସମାଜର ବିକାଶ ରଥକୁ ଆଗେଇ ନେବାରେ ସହଯୋଗର ହାତ ବଢ଼ାଇବାକୁ ସେ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ବାସ ସମାବର୍ତ୍ତନ ଉତ୍ସବର ବିବରଣୀ ପ୍ରଦାନ କରିଥିଲେ।
ଏହି ସମାବର୍ତ୍ତନ ଉତ୍ସବରେ ମୋଟ୍ ୧୭୧୮ ଜଣ ସ୍ନାତକ, ୬୦୬ ଜଣ ସ୍ନାତକୋତ୍ତର ଓ ୧୪୧ ଜଣଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯାଇଥିଲା। ଏଥିସହ ମୋଟ୍ ୯ଜଣଙ୍କୁ ସ୍ବର୍ଣ୍ଣ ପଦକ ଏବଂ ୧୧ଜଣଙ୍କୁ ଆଲୁମିନି ଆୱାର୍ଡ ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/nit-f.jpg)