କରୋନା ମହାମାରୀକୁ ଧନ୍ୟବାଦ ଦେଲେ ଏନ୍ଆଇଟି ଡିନ୍

ଚାରିଆଡ଼ୁ ସମାଲେଚନାପରେ ପୋଷ୍ଟ୍ ଡିଲିଟ୍ କରିଦେଲେ

ରାଉରକେଲା: କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଅସଂଖ୍ୟ ଲୋକଙ୍କ ମୃତ୍ୟୁବରଣ ହୋଇସାରିଥିବା ଅନେକ ଏବେ ଜୀବନ ସହ ଲଢ଼ୁଛନ୍ତି। ଏମିତିକି ବହୁ ଲୋକ ନିଜର ରୋଜଗାର ହରାଇ ଦୁର୍ଦିନରେ ଗତି କରୁଛନ୍ତି। ମୋଟାମୋଟିଭାବେ, କୋଭିଡ୍ ମହାମାରୀ ଯୋଗୁଁ ଜନଜୀବନ ଏବେ ଯାବତୀୟ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏଭଳି ସମୟରେ କରୋନାକୁ ନେଇ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଜଣେ ବରିଷ୍ଠ ପ୍ରଫେସର ତଥା ଡିନ୍(ଏକାଡେମିକ୍ସ)ଙ୍କ ବିବାଦୀୟ ପୋଷ୍ଟ୍, ତାଙ୍କୁ ଚାରିଆଡ଼ୁ ସମାଲୋଚନା ଆଣିଦେଇଛି। କରୋନା ମହାମାରୀକୁ ଧନ୍ୟବାଦ ଜଣାଇ ବିବାଦରେ ଫସିଥିବା ଡିନ୍ ହେଉଛନ୍ତି ପ୍ରଫେସର ସରୋକ କୁମାର ପଟେଲ।
କରୋନା ସଂକ୍ରମଣ ଯୋଗୁଁ ଏବେ ଏନ୍ଆଇଟି ଅନଲାଇନ୍ରେ ଶିକ୍ଷାଦାନ ଚାଲିଛି। ଅନଲାଇନ୍ ଶିକ୍ଷା ପାଇଁ ଏନ୍ଆଇଟି କର୍ତୃପକ୍ଷ ସମସ୍ତ ପ୍ରଫେସର, ପ୍ରାଧ୍ୟାପକଙ୍କୁ ଗୋଟିଏ ଲେଖାଏଁ ଟ୍ୟାବଲେଟ୍ ପ୍ରଦାନ କରିଛନ୍ତି।

ଏହାକୁ କେନ୍ଦ୍ର କରି ପ୍ରଫେସର ପଟେଲ ଗତକାଲି ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ରେ ଏହି ବିବାଦୀୟ ପୋଷ୍ଟ୍ ଅପ୍ଲୋଡ୍ କରିଥିଲେ। ପ୍ରଫେସର ପଟେଲ ଲେଖିଥିଲେ, ଶିକ୍ଷାଦାନ ପାଇଁ ଏନ୍ଆଇଟି କର୍ତୃପକ୍ଷ ସମସ୍ତଙ୍କୁ ଟ୍ୟାବଲେଟ୍ ଯୋଗାଇଦେଇଛନ୍ତି। ଏଥିପାଇଁ କର୍ତୃପକ୍ଷଙ୍କୁ ସାଧୁବାଦ। ଏହାସହ କରୋନା ମହାମାରୀକୁ ମଧ୍ୟ ଧନ୍ୟବାଦ ବୋଲି ପ୍ରଫେସର ପଟେଲ ଉଲ୍ଲେଖ କରିଥିଲେ। ସାମାନ୍ୟ ଟ୍ୟାବଲେଟ୍ ପାଇଲେବୋଲି କରୋନା ମହାମାରୀଙ୍କୁ ଧନ୍ୟବାଦ ଜଣାଇବା କିନ୍ତୁ ପ୍ରଫେସରଙ୍କୁ ବେଶ୍ ମହଙ୍ଗା ପଡ଼ିଥିଲା। ଉକ୍ତ ପୋଷ୍ଟ୍ ସାଙ୍ଗେସାଙ୍ଗେ ଭାଇରାଲ୍ ହୋଇଯାଇଥିଲା। ଏହାକୁ ପୁରାତନ ଛାତ୍ରଛାତ୍ରୀ, ଏବେକାର ଛାତ୍ରଛାତ୍ରୀ କଡ଼ା ସମାଲେଚନା କରିଥିଲେ।

ଏମିତିକି କିଛି ଛାତ୍ର କଟାକ୍ଷ କରିଥିଲେ। ଏନ୍ଆଇଟିର ବଜେଟ୍କୁ ବୃଦ୍ଧି କରି ପ୍ରଫେସରମାନଙ୍କୁ ସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉ, ଯଦ୍ବାରା ଡିନ୍ ଏକାଡେମିକ୍ସ ଆଉ ଯେଭଳି କରୋନା ମହାମାରୀକୁ ସ୍ବାଗତ ନ କରନ୍ତୁବୋଲି ଜଣେ ବ୍ୟକ୍ତି ଟ୍ବିଟ୍ କରିଥିଲେ। ଏନେଇ ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ମନ୍ତ୍ରାଳୟକୁ ମଧ୍ୟ ଦୃଷ୍ଟି ଦେବାକୁ ଟ୍ବିଟ୍ କରିଥିଲେ। ଏହି ପୋଷ୍ଟ୍କୁ କେନ୍ଦ୍ରକରି ବିବାଦ ଘନୀଭୂତ ହେବା ଓ ସବୁ ମହଲରୁ ସମାଲୋଚନା ହେବାପରେ କିନ୍ତୁ ପ୍ରଫେସର ପଟେଲ ଉକ୍ତ ଫେସ୍ବୁକ୍ ପୋଷ୍ଟ୍କୁ ଡିଲିଟ୍ କରିଦେଇଛନ୍ତି। ତେବେ ଏହାକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି।

ସମ୍ବନ୍ଧିତ ଖବର