ମୁଣ୍ଡ ନୁଆଁଇଲେ ଏନ୍‌ଆଇଟି କର୍ତ୍ତୃପକ୍ଷ, ଅନଲାଇନ୍‌ରେ ହେବ ପରୀକ୍ଷା

ରାଉରକେଲା: ଅନଲାଇନ୍‌ ପରୀକ୍ଷା କରିବା ଦାବିରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଲାଗିରହିଥିବା ଛାତ୍ର ଅସନ୍ତୋଷର ଅନ୍ତ ଘଟିଛି। ଅନୁଷ୍ଠାନରେ କରୋନା ସଂକ୍ରମଣ ୪କୁ ପହଞ୍ଚିଥିବାରୁ ଅଫ୍‌ଲାଇନ୍‌ ବଦଳରେ ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏନେଇ ଆଜି ଜରୁରୀକାଳୀନ ସିନେଟ୍‌‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ଦାବି ଉପରେ ଆଲୋଚନା କରାଯାଇଥିଲା। ପରେ ପିଲାମାନଙ୍କ ଦାବିକୁ କର୍ତ୍ତୃପକ୍ଷ ମାନି ନେଇଥିଲେ। ପରୀକ୍ଷା ସମୟ ଓ ତାରିଖ ନେଇ ଆଉଥରେ ବିଜ୍ଞପ୍ତି ପ୍ରକାଶ କରାଯିବ। ପରିବର୍ତ୍ତିତ ପରୀକ୍ଷା ସୂଚୀ ନେଇ ଆଗୁଆ ଅବଗତ କରାଯିବବୋଲି ଏନ୍‌ଆଇଟି କର୍ତୃପକ୍ଷଙ୍କ ଦ୍ବାରା ଜାରି ଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଏହି ଦାବି ନେଇ ଆଜି ଦିନସାରା ଅନୁଷ୍ଠାନ ପରିସରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏନେଇ ଆଜି ଅପରାହ୍ନରେ ସିନେଯ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ସିନେଟ୍‌ ବୈଠକରେ ଜଣେ ଛାତ୍ର ପ୍ରତିନିଧିଙ୍କ ବ୍ୟତିତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିବାରୁ ନିଷେଧ କରାଯାଇଥିଲା। ଏହାକୁ କେନ୍ଦ୍ର କରି ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଅସନ୍ତୋଷ ଲାଗି ରହିଥିଲା। ଛାତ୍ରଛାତ୍ରୀ କହିଥିଲେ, ଇତିମଧ୍ୟରେ ଅନୁଷ୍ଠାନରେ ୪ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇସାରିଲେଣି।

ପୂର୍ବରୁ ୧୦, ୧୫ ଓ ୨୨ ତାରିଖରେ ତିନିଜଣ ଆକ୍ରାନ୍ତ ହୋଇଥିବାବେଳେ ଗତ ୨୪ ତାରିଖରେ ଆଉ ଜଣେ ଛାତ୍ର ସଂକ୍ରମଣର ଶିକାର ହୋଇଛନ୍ତି। ଏଣୁ ଅଫ୍‌ଲାଇନ୍‌ ପରୀକ୍ଷା ହେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ଅନଲାଇନ୍‌ ପରୀକ୍ଷା ଆୟୋଜନ ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ, ତୃତୀୟ ଓ ଚତୁର୍ଥ ବର୍ଷର ବି.ଟେକ୍‌, ବି.ଆର୍କ‌୍, ଡୁଆଲ ଡିଗ୍ରି ଏବଂ ପ୍ରଥମ ବର୍ଷର ଏମ୍‌ଏସ୍‌ସି, ଏମ୍‌ଏ, ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରିବାକୁ କର୍ତୃପକ୍ଷ ନୋଟିସ୍‌ ଦେଇଥିଲେ। ବିଜ୍ଞପ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ, ଏପ୍ରିଲ ୧ରୁ ଏପ୍ରିଲ ୧୦ ଥିଓରୀ ପରୀକ୍ଷା ଓ ଏପ୍ରିଲ ୧୨ରୁ ୩୦ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ମେ’ ୩ରୁ ୮ ଥିଓରୀ ଓ ପ୍ରାକ୍ଟିକାଲ ୧୯ ଜୁଲାଇରୁ ୬ ଅଗଷ୍ଟ ଯାଏଁ ଚାଲିବ।

ଏଥିପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନରେ ଯୋଗଦେବେ। ଯେଉଁମାନେ ଏଥର ନିର୍ଦ୍ଧାରିତ ସମୟରେ ଅନୁପସ୍ଥିତ ରହିବେ, ତା’ହେଲେ ସେମାନେ ଆସନ୍ତା ଡିସେମ୍ବର ଓ ୨୦୨୨ ଏପ୍ରିଲ/ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଦେବେ। କିନ୍ତୁ ଏହି ନିର୍ଦ୍ଦେଶାନାମାକୁ ଛାତ୍ରଛାତ୍ରୀ ଅଗ୍ରାହ୍ୟ କରିଦେଇଥିଲେ। ଏହାଦ୍ବାରା ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶିତ ନ ହେଲେ ପ୍ରତିଷ୍ଠିତ କମ୍ପାନି ଆୟୋଜିତ ନିଯୁକ୍ତି ମେଳାରେ ସାମିଲ ହେବାର ଆଶଙ୍କା ରହିଥିବା କହି ବାଧ୍ୟହୋଇ ଅନୁଷ୍ଠାନକୁ ଫେରିଆସିଥିଲେ। କିନ୍ତୁ କ୍ୟାମ୍ପସ୍‌ରେ ସଂକ୍ରମଣ ବ୍ୟାପିବାରୁ ଅଫ୍‌ଲାଇନ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର