ରାଉରକେଲା ଏନଆଇଟିକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଦାବି ଜୋର ଧରିଲା

୧୯୬୧ ଅଗଷ୍ଟ ୧୫ରେ ଆର୍‌ଇସି ସ୍ଥାପନ କରିଥିଲେ ବିଜୁ ପଟ୍ଟନାୟକ

ରାଉରକେଲା: ଓଡ଼ିଶାରେ ବିକାଶର ମୂଳଦୂଆ ପକାଇଥିଲେ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ନୂଆ ଓଡ଼ିଶା ଗଠନରେ ତାଙ୍କର ଅବଦାନ ଅତୁଳନନୀୟ। ଏହି କ୍ରମରେ ବିଜୁ ବାବୁ ହିଁ ୧୯୬୧ ମସିହା ଅଗଷ୍ଟ ୧୫ ତାରିଖରେ ରାଉରକେଲା‌ରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ(ଏବେକାର ଏନ୍‌ଆଇଟି) ସ୍ଥାପନ କରିଥିଲେ। ଏଣୁ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)କୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଦାବି ହୋଇଛି।
ଏହି ନ୍ୟାଯ୍ୟ ଦାବି ଉଠାଇଛନ୍ତି ଏନ୍ଆଇଟିର ପୁରାତନ ଛାତ୍ର। ଏନ୍‌ଆଇଟି ପୁରାତନ ଛାତ୍ର ସଂସଦ(ନିଟ୍ରା) ସଭାପତି ଫକୀର ଚରଣ ମହାନ୍ତି, ପୂର୍ବ ସଭାପତି ଭାରତ ଭୂଷଣ ମହାନ୍ତି ଓ ନିଟ୍ରା ରାଉରକେଲା ଶାଖା ସଭାପତି ବିମଳ କୁମାର ବିଶି ପ୍ରମୁଖ ଦାବି ପଛରେ ଥିବା ବଳିଷ୍ଠ ଯୁକ୍ତି ଦର୍ଶାଇଛନ୍ତି। କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହି ଅନୁଷ୍ଠାନ ସ୍ଥାପନ କରିଥିବା ଲୋକେ ଜାଣିଛନ୍ତି। ବାସ୍ତବରେ ନେହରୁ ନୁହନ୍ତି, ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହିଁ ଏହି ଅନୁଷ୍ଠାନ ସ୍ଥାପନ କରିଥିଲେ।

ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାପରେ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଜୁ ବାବୁ ନିଷ୍ପତ୍ତି ନେଇଥିଲେ। ପରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ(ଆର୍‌ଇସି) ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡ ପୂରଣ କରି ୧୯୬୧ ମସିହା ଅଗଷ୍ଟ ୧୫ ତାରିଖରେ ରାଉରକେଲାରେ ଆର୍‌ଇସି ସ୍ଥାପନ କରିଥିଲେ। ଖୋଦ୍‌ ବିଜୁ ବାବୁ ସାଧାରଣସଭାରେ ଯୋଗଦେଇ ଅନୁଷ୍ଠାନର ଶୁଭାରମ୍ଭ ହେଲାବୋଲି ଘୋଷଣା ବି କରିଥିଲେ। ପ୍ରାରମ୍ଭରେ ସ୍ଥାନୀୟ ସରକାରୀ ଆଇଟିଆଇ କ୍ୟାମ୍ପସ୍‌ରେ ହିଁ ଆର୍‌ଇସି ଖୋଲିଥିଲା। ଏମିତିକି ପ୍ରଥମ ବର୍ଷରେ ନାମ ଲେଖାଇଥିବା ୬୦ ଜଣ ଓଡ଼ିଆ ଓ ୬୦ ଜଣ ଅଣଓଡ଼ିଆ, ମୋଟ୍‌ ୧୨୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପସ୍‌ରେ ଶିକ୍ଷାଗ୍ରହଣ କରିଥିଲେ।

ତତ୍କାଳୀନ ରାଜ୍ୟ ଶିଳ୍ପ ବିଭାଗର ଇଞ୍ଜିନିଅର ବଳରାମ ମିଶ୍ର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ। ଏହାପରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୯୬୨ ମସିହା ଫେବ୍ରୁଆରୀ ୧୨ ତାରିଖରେ ପ୍ରଥମ ସ୍ଥାୟୀ ଅଧ୍ୟକ୍ଷଭାବେ ପ୍ରଫେସର ଭୁବନେଶ୍ବର ବେହେରା ନିଯୁକ୍ତ ହୋଇଥିଲେ। ତେବେ ସେତେବେଳ ପର୍ଯ୍ୟନ୍ତ ଅନୁଷ୍ଠାନଟି କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତି ପାଇନଥିବାରୁ ଶ୍ରୀ ବେହେରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ଭେଟି ଅନୁଦାନ ମାଗିଥିଲେ। ପରେ କର୍ମଚାରୀଙ୍କ ଦରମା, ନୂତନ କ୍ୟାମ୍ପସ୍‌ ନିର୍ମାଣ, ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହାପରେ ବିଜୁ ବାବୁଙ୍କ ମାର୍ଗଦର୍ଶନ ଓ ଶ୍ରୀ ବେହେରାଙ୍କ ନେତୃତ୍ବରେ ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଥିଲା। କିଛି ଦିନ ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ପ୍ରତିନିଧି ଦଳ କ୍ୟାମ୍ପସ୍‌ରେ ପହଞ୍ଚି ଭିତ୍ତିଭୂମି, ସୁବିଧା ସମୀକ୍ଷା କରି ସ୍ବୀକୃତି ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ସୁପାରିଶ କରିଥିଲେ।

ଏହାପରେ ଅନୁଷ୍ଠାନକୁ ସ୍ବୀକୃତି ମିଳିବା ସହ ଶ୍ରୀ ବେହେରା ହିଁ ଅଧ୍ୟକ୍ଷ ନିୟୋଜିତ ହୋଇଥିଲେ। ବିଜୁ ବାବୁଙ୍କ ଦିଗ୍‌ଦର୍ଶନ, ପ୍ରତ୍ୟକ୍ଷ ସମର୍ଥନ ଓ ଖୋଲିମନରେ ଅନୁଦାନ ମଞ୍ଜୁରୀ ଯୋଗୁଁ ସଂପ୍ରତି ଦେଶର ଶ୍ରେଷ୍ଠ ଏନ୍‌ଆଇଟିଭାବେ ବିବେଚିତ ଏହି ଅନୁଷ୍ଠାନ ଜନ୍ମ ନେଇଥିଲା; ତଥାପି ମୁଖ୍ୟନାୟକ ବିଜୁ ବାବୁଙ୍କୁ ଉପଯୁକ୍ତ ଶ୍ରେୟ ମିଳିପାରୁନି। ଅପରପକ୍ଷରେ ଦେଶର ବିଭିନ୍ନ ଏନଆଇଟିକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ ହୋଇଛି। ଉଦାହରଣ ସ୍ବରୂପ,- ମୋତିଲାଲ ନେହରୁ ଏନ୍‌ଆଇଟି(ପ୍ରୟାଗରାଜ), ମୌଲାନା ଆବୁଲ କଲାମ ଏନ୍‌ଆଇଟି(ଭୋପାଳ), ବିଶ୍ବେଶରାୟ ଏନ୍‌ଆଇଟି(ନାଗପୁର), ବି.ଆର. ଆମ୍ବେଦକର ଏନଆଇଟି(ଜଳନ୍ଧର), ମାଲବିୟା ଏନଆଇଟି(ଜୟପୁର) ଆଦି ଅନ୍ୟତମ। ଏଣୁ ଅନୁଷ୍ଠାନକୁ ବିଜୁ ବାବୁଙ୍କ ନାଁରେ ନାମିତ କରିବାକୁ ଉଭୟ ରାଜ୍ୟ ସରକାର-କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର