ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ରାଉକେଲାବାସୀଙ୍କ ସ୍ୱପ୍ନ ଭଙ୍ଗ : ଏନ୍‌ଆଇଟି ମେଡ଼ିକାଲ୍‌ କଲେଜ୍‌ରେ ପୂର୍ଣ୍ଣଚ୍ଛେଦ

ରାଉରକେଲା : ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଉରକେଲାସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ରେ ମେଡ଼ିକାଲ୍‌ କଲେଜ ସ୍ଥାପନ ଚିନ୍ତା କରାଯାଇ ନପାରେ। ଏନ୍‌ଆଇଟି ବୋର୍ଡ଼ ଅଫ୍‌ ଗଭର୍ଣ୍ଣର୍ସ (ବିଓଜି) ଅଧ୍ୟକ୍ଷ ଡ. ସଂତୃପ୍ତ ମିଶ୍ର ଆଜି ପରୋକ୍ଷରେ ଏଭଳି ନାସ୍ତିବାଣୀ ଶୁଣାଇଛନ୍ତି। ଏକ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତିର ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌) ମେଡ଼ିକାଲ୍‌ କଲେଜରେ ରୂପାନ୍ତରିତ ହେବାର ଚିହ୍ନବର୍ଣ୍ଣ ନଥିବା ବେଳେ ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ସ୍ଥାପନକୁ ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଶେଷରେ ଧୂଳିସାତ ହୋଇଛି।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏନ୍‌ଆଇଟି ଅଧ୍ୟକ୍ଷ ଡ. ମିଶ୍ର କହିଲେ, ଏନ୍‌ଆଇଟି ଆଇନରେ ମେଡ଼ିକାଲ କଲେଜ ସ୍ଥାପନ କ୍ଷେତ୍ରରେ ୪ଟି ପ୍ରମୁଖ ପ୍ରତିବନ୍ଧକ ଅଛି। ସେଗୁଡ଼ିକ ହେଲା-ଅର୍ଥ, ଅଧ୍ୟାପକ/କର୍ମଚାରୀ, ଭିତ୍ତିଭୂମି ଓ ଆଇନଗତ ବାଧା। ଏନ୍‌ଆଇଟି ଆଇନରେ ମେଡ଼ିକାଲ କଲେଜ ପରିଚାଳନାର ବ୍ୟବସ୍ଥା ନାହିଁ। ଏଥିପାଇଁ ଆଇନ ସଂଶୋଧନ ଜରୁରି; ଯାହା ସଂସଦ ଉପରେ ନିର୍ଭରଶୀଳ। ଏସବୁ ପ୍ରତିବନ୍ଧକକୁ ଏଡ଼ାଇବା ସହ ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ସ୍ଥାପନ ନିମନ୍ତେ ଦେଶର ବିଭିନ୍ନ ଅନୁଷ୍ଠାନ ସହ ପୁଙ୍ଖାନୁପୁଙ୍ଖ ଆଲୋଚନାର ଆବଶ୍ୟକତା ଅଛି। ଏହି ପ୍ରକ୍ରିୟା ଯଦି ଅନୁକୂଳ ମାର୍ଗରେ ଯାଏ, ତେବେ ଆଗାମୀ ୨୦୧୯ ଜୁନ୍‌/ଜୁଲାଇ ପରେ ଏଠାରେ ମେଡ଼ିକାଲ୍‌ କଲେଜ ସ୍ଥାପନା ଚିନ୍ତା କରାଯିବ। ଅନ୍ୟ ପକ୍ଷରେ ଏମ୍‌ସିଆଇ ନିୟମାବଳୀ ଅନୁଯାୟୀ ୩୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ୍‌ କଲେଜର ଭିତ୍ତିଭୂମି ସକାଶେ ବିପୁଳ ଅର୍ଥ ଆବଶ୍ୟକ। ତା’ ଛଡ଼ା ମେଡ଼ିକାଲ୍‌ ଶିକ୍ଷା ଓ ଗବେଷଣା ନିମନ୍ତେ ଅଧ୍ୟାପକ, ହସ୍ପିଟାଲ ପରିଚାଳନା ଲାଗି ଡ)ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଆଉ ଏକ କଠିନ ପ୍ରକ୍ରିୟା। ଏସବୁ କାରଣରୁ ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ପରିଚାଳନା ଏବେ ସମ୍ଭବ ନୁହେଁ।

ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ଆଶା ମଉଳିବା ପରେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ସେମାନଙ୍କ ପ୍ରତିକ୍ରିୟା ହେଲା-ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଆଇଜିଏଚ୍‌ରେ ମେଡ଼ିକାଲ୍‌ କଲେଜ ସ୍ୱପ୍ନ ଭଙ୍ଗ ହେବାରୁ ଲୋକଙ୍କୁ ଭୂତାଇବା ପାଇଁ କେନ୍ଦ୍ର ସରକାର ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ସ୍ୱପ୍ନ ଦେଖାଇଥିଲେ। ସେହି କେନ୍ଦ୍ର ସରକାରଙ୍କ ଅଲିଖିତ ନିର୍ଦ୍ଦେଶରେ ଏନ୍‌ଆଇଟି କର୍ତ୍ତୃପକ୍ଷ ମେଡ଼ିକାଲ କଲେଜ ପ୍ରସ୍ତାବକୁ ଏଡ଼ାଇବା ପାଇଁ ବିଭିନ୍ନ ଆଳର ଆଶ୍ରୟ ନେଇଛନ୍ତି। ଦୁଇ ବର୍ଷ ପୂର୍ବରୁ ଏନ୍‌ଆଇଟିରେ ମେଡ଼ିକାଲ୍‌ କଲେଜ ସମ୍ଭାବନା ନାହିଁ ବୋଲି ବିଓଜି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର