ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ କୁମାର ମଙ୍ଗଳମ ବିର୍ଲାଙ୍କ ଆହ୍ବାନ : ‘ରାଷ୍ଟ୍ର ବିକାଶର ନେତୃତ୍ବ ନିଅ’

ରାଉରକେଲା : ‘‘ଶିକ୍ଷା ସମାପ୍ତି ପରେ ଶିକ୍ଷାନୁଷ୍ଠାନ ବାହାରେ ଏକ ନୂଆ ପରିବେଶ ଛାତ୍ରଛାତ୍ରୀଙ୍କ ଅପେକ୍ଷାରେ। ଏହାକୁ ଦୃଢ଼ ବିଶ୍ବାସର ସହ ସମ୍ମୁଖୀନ ହୁଅ। କାରଣ ତୁମେମାନେ ହିଁ ପ୍ରଗତିଶୀଳ ଭାରତର ବଳ। ‌କେବଳ ଜଣେ ଇଂଜିନିଅରିଂ ଛାତ୍ର/ଛାତ୍ରୀଭାବେ ନିଜକୁ ବିବେଚନା ନ କରି ପରିବର୍ତ୍ତନର ବାହକ ହୁଅ। ବର୍ତ୍ତମାନର ଯୁବପିଢ଼ିଙ୍କ ଚିନ୍ତାଧାରାରେ ସ୍ପଷ୍ଟତା ଓ ଲକ୍ଷ୍ୟରେ ସ୍ଥିରତା ଅଦ୍ବିତୀୟ। ଏଣୁ ଏହି ଅଦ୍ବିତୀୟ ଯୁବପିଢ଼ିର ନେତୃତ୍ବ ଅପେକ୍ଷାରେ ରାଷ୍ଟ୍ର। ବଡ଼ ବଡ଼ ସ୍ବପ୍ନ ଦେଖ। ନିଷ୍ଠାପର ପରିଶ୍ରମ ବଳରେ ଏହାକୁ ହାସଲ କରିବାରେ ବ୍ରତୀହୁଅ।’’ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଡ. କୁମାର ମଙ୍ଗଳମ ବିର୍ଲା ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ଅନୁଷ୍ଠାନ (ଏନ୍‌ଆଇଟି)ର ୧୬ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଏହି ଆହ୍ବାନ ଦେଇଛନ୍ତି। ଡ. ବିର୍ଲା ଭାରତର ଅର୍ଥନୀତି ଉପରେ ମଧ୍ୟ ବିସ୍ତୃତଭାବେ କହିଥିଲେ। କହିଲେ, ବର୍ତ୍ତମାନ ହେଉଛି ଭାରତର ସମୟ। ୨୦୦୭ ସୁଦ୍ଧା ଭରତର ଅର୍ଥନୀତି ଟ୍ରିଲିଅନ୍‌ ଡଲାର ଛୁଇଁଥିବାବେଳେ ୭ ବର୍ଷ ଭିତରେ ଏହା ଦୁଇଗୁଣ ବୃଦ୍ଧି ପାଇଥିଲା। ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୧୦ ଟ୍ରିଲିଅନ ଡଲାର ହୋଇଯିବ। ଭାରତର ଏହି ସମୃଦ୍ଧି ହାର ଆଗକୁ ଆହୁରି ବୃଦ୍ଧି ହେବ। ୨୦୨୫ ସୁଦ୍ଧା ଭାରତର କର୍ମଜୀବୀଙ୍କ ସଂଖ୍ୟା ମୋଟ୍‌ ଜନସଂଖ୍ୟାର ଦୁଇ ତୃତୀୟ‌ାଂଶ ହେବା ଆଶା କରାଯାଉଛି। ଏଣୁ ଯୁବପିଢ଼ି ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହି ସୁଯୋଗକୁ କରାୟତ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ। ସମାବର୍ତ୍ତନ ଉତ୍ସବରେ ଏନ୍‌ଆଇଟି ନିର୍ଦ୍ଦେଶକ ମଣ୍ଡଳୀ ଅଧ୍ୟକ୍ଷ ଡ. ସନ୍ତୃପ୍ତ ବି. ମିଶ୍ର ଅଧ୍ୟକ୍ଷତା କରିଥିଲେ। ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ ସ୍ବାଗତଭାଷଣ ଦେଇଥିଲେ। ଏହି ଅବସରରେ ମୋଟ୍‌ ୧୫୪୦ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏନ୍‌ଆଇଟି ରାଉରକେଲାର ପୁରାତନ ଛାତ୍ର ଛାତ୍ରୀ, ଯଥା: ସେମି କଣ୍ଡକ୍ଟର ଶିଳ୍ପ କ୍ଷେତ୍ରର ପ୍ରତିଷ୍ଠିତ ଗବେଷକ ଡା. ଓମ୍‌ ଅଗ୍ରୱାଲ, ସଫଳ ଉଦ୍ୟୋଗୀ ସଂଜୟ ମହାନ୍ତି, ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ମୁଖ୍ୟ ବୈଜ୍ଞାନିକ ଡ. ସ୍ବାତୀ ମହାନ୍ତି, ନାଲ୍‌କୋ ଓ ସେଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ସୋମା ମଣ୍ଡଳ ପ୍ରମୁଖଙ୍କୁ ମଧ୍ୟ ଏହି ସମାରୋହରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର