ଏନ୍‌ଆଇଟି-ରାଉରକେଲାକୁ ୧୩୮ ର‍୍ୟାଙ୍କ୍‌ : ଟାଇମ୍ସ ବିଶ୍ୱବିଦ୍ୟାଳୟ ତାଲିକାରେ ଏକମାତ୍ର ଏନ୍‌ଆଇଟି

ପ୍ରଥମ ୧୦୦ ର‍୍ୟାଙ୍କ୍‌ରେ ମାତ୍ର ୮ଟି ଭାରତୀୟ ଅନୁଷ୍ଠାନ

ରାଉରକେଲା : ଚାରିଟି ମହାଦେଶର ୪୨ଟି ଆର୍ଥିକ ବିକାଶମୁଖୀ ରାଷ୍ଟ୍ରର ବିଶ୍ୱିଦ୍ୟାଳୟଙ୍କୁ ନେଇ ପ୍ରସ୍ତୁତ ‘ଟାଇମ୍ସ ହାୟର ଏଡୁକେଶନ୍‌ ଏମର୍ଜିଂ ଇକ୍‌ନୋମିସ୍‌ ୟୁନିଭରସିଟି ର‍୍ୟାଙ୍କିଙ୍ଗ୍‌-୨୦୧୮’ରେ ଦେଶର ଏକ ମାତ୍ର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ଭାବେ ରାଉରକେଲା ୧୩୮ ର‍୍ୟାଙ୍କ୍‌ ହାସଲ କରିଛି। ଉଚ୍ଚତର ଗବେଷଣା ପାଇଁ ଏନ୍‌ଆଇଟି-ରାଉରକେଲା ଗତ ବର୍ଷ ତୁଳନାରେ ୫୭ଟି ସ୍ଥାନ ଉପରକୁ ଉଠି ଏ ବର୍ଷ ଏହି ର‍୍ୟାଙ୍କ୍‌ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵର୍କ (ଏନ୍‌ଆଇଆର୍‌ଏଫ୍‌)-୨୦୧୮ରେ ଏନ୍‌ଆଇଟି-ରାଉରକେଲା ଇଞ୍ଜିନିୟରିଂ ବର୍ଗରେ ଦେଶରେ ୧୫ ସ୍ଥାନରେ ଥିବା ବେଳେ ସମସ୍ତ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତୁତ ଜାତୀୟ ତାଲିକାରେ ୪୨ ର‍୍ୟାଙ୍କ୍‌ ଅଧିକାର କରିଥିଲା। ସେହିପରି ଏସୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ କିଛି ଦିନ ପୂର୍ବେ ପ୍ରକାଶିତ ଟାଇମ୍ସ ଉଚ୍ଚ ଶିକ୍ଷା ର‍୍ୟାଙ୍କ୍‌-୨୦୧୮ରେ ରାଜ୍ୟର ଏହି ସ୍ୱନାମଧନ୍ୟ ଅନୁଷ୍ଠାନ ୧୨୬ ର‍୍ୟାଙ୍କ୍‌ରେ ଥିଲା। ଏହାଛଡ଼ା ବ୍ରାଜିଲ୍‌, ଋଷିଆ, ଭାରତ, ଚିନ୍‌ ଓ ଦକ୍ଷିଣ-ଆଫ୍ରିକା (ବ୍ରିକ୍ସ) ରାଷ୍ଟ୍ରଗୁଡ଼ିକର ବିଶ୍ୱବିଦ୍ୟାଳୟ ସମୂହକୁ ନେଇ ପ୍ରସ୍ତୁତ ବ୍ରିକ୍ସ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗରେ ଏନ୍‌ଆଇଟି ୧୨୬ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିଲା।

ସମ୍ବନ୍ଧିତ ଖବର