ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଛାତ୍ର ପୁଣି ଅନ୍ତର୍ଜାତୀୟସ୍ତରରେ ଚମକିଛନ୍ତି। ଆମେରିକା ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଇଞ୍ଜିନିଅର୍ସ୍(ଏଆଇସିଏଚ୍ଇ) ଅନ୍ତର୍ଜାତୀୟ ‘କେମ୍-ଇ ଜିଓପାର୍ଡି’ ପ୍ରତିଯୋଗିତାରେ ଏହି ଅନୁଷ୍ଠାନର ଚାରି ଜଣିଆ ଛାତ୍ର ଦଳ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ରାଶି ସ୍ବରୂପ ଦଳକୁ ୪ଶହ ଡଲାର ମିଳିଛି। ଏହି ଦଳର ସଦସ୍ୟମାନେ ହେଉଛନ୍ତି ପ୍ରି-ଫାଇନାଲ କେମିକାଲ ଇଞ୍ଜିନିୟରିଂ ଛାତ୍ର ସ୍ୱାଗତ ଶୁଭକାନ୍ତ ଦାସ, ମିଲେନ ସାମନ୍ତରାୟ, ବିରୁପାକ୍ଷ୍ୟ ପାତ୍ର ଓ ସ୍ୱସ୍ତିକ୍ ବ୍ରହ୍ମା।
ପ୍ରକାଶଥାଉକି, ଏଆଇସିଏଚ୍ଇ ହେଉଛି କେମିକାଲ ଇଞ୍ଜିନିଅରମାନଙ୍କୁ ନେଇ ଗଠିତ ବୃତ୍ତିଗତ ସଂଗଠନ। ଏଥିରୁ ପ୍ରାୟ ୧୧୦ଟି ଦେଶର ୬୦ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ଚଳିତ ବର୍ଷ ଏଆଇସିଏଚ୍ଇ ବାର୍ଷିକ ଛାତ୍ର ସମ୍ମିଳନୀ ବୋଷ୍ଟନ୍ରେ ଅଫଲାଇନ୍ରେ ଗତ ୬ ରୁ ୮ ତାରିଖ ଯାଏଁ ଚାଲିଥିବାବେଳେ ଅନଲାଇନ୍ରେ ୧୩ ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ବିଶ୍ଵବିଦ୍ୟାଳୟର ରାସାୟନିକ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦଳ ଫାଇନାଲ ରାଉଣ୍ଡ୍ରେ ଫେଡେରାଲ ୟୁନିଭର୍ସିଟି ଅଫ୍ ରିଓ ଡି’ଜେନେରିଓ(ୟୁ.ଏଫ୍.ଆର୍.ଜେ) ବ୍ରାଜିଲ ଓ ନ୍ୟାସନାଲ ୟୁନିଭରସିଟି ଅଫ୍ ଇଞ୍ଜିନିୟରିଂ(ୟୁଏନ୍ଆଇ), ପେରୁ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।
ଏହି ସଫଳତା ନେଇ ଚାମ୍ପିଅନ ଦଳର ସଦସ୍ୟ ଶୁଭକାନ୍ତ ଦାସ କହିଛନ୍ତି, ଏଆଇସିଏଚ୍ଇ ଏନ୍ଆଇଟି, ରାଉରକେଲା ଦଳ ଚାମ୍ପିଅନ ହେବା ଏକ ବିଶେଷ ଉପଲବ୍ଧି। ଏହି ଦଳ ସମଗ୍ର ଦକ୍ଷିଣ ପୂର୍ବ ଏସିଆର ପ୍ରତିନିଧିତ୍ୱ କରିଥିଲା। ଏହି ସଫଳତା ପଛରେ ଶ୍ରେୟ ଅନୁଷ୍ଠାନର। ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଯୋଗାଇବାଠାରୁ ଆରମ୍ଭକରି ପଞ୍ଜିକରଣ ରାଶି ପ୍ରଦାନ ପର୍ଯ୍ୟନ୍ତ; ଏନ୍ଆଇଟି ରାଉରକେଲା ସମସ୍ତ ସୁବିଧାସୁଯୋଗ ଯୋଗାଇଦେଇଥିଲାବୋଲି କହିଛନ୍ତି। ଏଆଇସିଏଚ୍ଇ, ଏନ୍ଆଇଟି ରାଉରକେଲା ଅଧ୍ୟାପକ ପରାମର୍ଶଦାତା ପ୍ରଫେସର ବିଶ୍ୱଜିତ୍ ସାହା କହିଛନ୍ତି, ବିଶ୍ବସ୍ତରରେ କୃତିତ୍ବ ଅର୍ଜନ କରିବା ନିଶ୍ଚିତଭାବରେ ଖୁସିର ବିଷୟ। ଏହି ସଫଳତା ଅନୁଷ୍ଠାନ ସମେତ କେମିକାଲ ଇଞ୍ଜଜିନିଅରିଂ ବିଭାଗର ସଫଳତା ଫର୍ଦରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛିବୋଲି କହିଥିଲେ।