ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଭିତ୍ତିଭୂମି ବିକାଶ କରାଯିବ। ଛାତ୍ରଛାତ୍ରୀଙ୍କ ରହଣୀ ପାଇଁ ଛାତ୍ରାବାସ/ଛାତ୍ରୀନିବାସ ସମେତ ଅନ୍ୟାନ୍ୟ ସୁବିଧା କରିବାକୁ ଦୁଇ ସଂସ୍ଥା ଆଗେଇ ଆସିଛନ୍ତି। ମହାନଦୀ କୋଲ୍‌ଡ ଫିଲ୍‌ଡସ ଲିମିଟେଡ୍‌(ଏମ୍‌ସିଏଲ୍‌) ଓ ହାଇଅର୍‌ ଏଜୁକେସନ ଫାଇନାନ୍ସିଂ ଏଜେନ୍ସି(ହେଫା) ପକ୍ଷରୁ ପୃଥକ୍‌ ଭାବେ ପାଖାପାଖି ୨୦୮.୫ କୋଟି ବ୍ୟୟ କରାଯିବ।
Advertisment
ଏମ୍‌ସିଏଲ୍‌ ପକ୍ଷରୁ ସିଏସ୍‌ଆର୍‌ ଯୋଜନାରେ ୪୨.୬୯ କୋଟି ଅନୁଦାନ ଦିଆଯିବ। ଏହି ଅନୁଦାନରେ ୫ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରାଯିବ। ଖୁବଶୀଘ୍ର ଏନେଇ ଏନ୍‌ଆଇଟି ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହେବ। ସେହିଭଳି ହାଇଅର୍‌ ଏଜୁକେସନ ଫାଇନାନ୍ସିଂ ଏଜେନ୍ସି(ହେଫା) ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ଅନୁଷ୍ଠାନକୁ ୧୬୫.୮୧ କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ଅନୁଦାନରେ କ୍ୟାମ୍ପସ୍‌ରେ ଛାତ୍ରାବାସ, ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଆପାର୍ଟମେଣ୍ଟ୍‌ ନିର୍ମାଣ, ସିୱେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ସ୍ଥାପନ ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ଏନେଇ ଏନ୍‌ଆଇଟି୍‌ ଓ ହେଫା ମଧ୍ୟରେ ବାଙ୍ଗାଲୁରୁଠାରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ବେଳେ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, କୁଳସଚିବ ରୋହନ ଧୀମନ ଉପସ୍ଥିତ ଥିଲେ।