‘ଜାତୀୟ ନ୍ୟୁଟ୍ରି-ସିରିଲ୍‌’ ସମ୍ମିଳନୀରେ ଚମକିଲା ଏନ୍‌ଆଇଟି

ମିଲେଟ୍‌ର ଉତ୍ପାଦନ ଓ ଉତ୍ପାଦ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ, ଦେଶରେ ଶ୍ରେଷ୍ଠ ଅନୁଷ୍ଠାନ ବର୍ଗରେ ପୁରସ୍କୃତ

ରାଉରକେଲା: ଭାରତ ସରକାରଙ୍କ ‘କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ’ ଓ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେ୍‌ଟ ମିଶନ’ ଦ୍ବାରା ଆୟୋଜିତ ଜାତୀୟ ନ୍ୟୁଟ୍ରି-ସିରିଲ୍ ସମ୍ମିଳନୀରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଭାବେ ପୁରସ୍କୃତ କରାଯାଇଛି। ମିଲେଟ୍‌ର ଉତ୍ପାଦନ ଓ ଉତ୍ପାଦ ବୃଦ୍ଧି, ଗବେଷଣା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନର ଫୁଡ୍‌ ପ୍ରୋସେସ୍‌ ଇଞ୍ଜିନିଅରିଂ ବିଭାଗକୁ ‘ପୋଷକ ଅନ୍ନଜ ପୁରସ୍କାର ପ୍ରଦାନ କରାଯାଇଛି। ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଉତ୍ସବରେ ଏନ୍‌ଆଇଟିର ଡିନ୍‌ ପ୍ରଫେସର ଚନ୍ଦନ ସାହୁ ପୁରସ୍କାର ଗ୍ରହଣ କରିଥିଲେ।

ଏହି ସଫଳତା ପାଇଁ ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଫୁଡ୍‌ ପ୍ରୋସେସ୍‌ ଇଞ୍ଜିନିଅରିଂ ବିଭାଗକୁ କୃତଜ୍ଞତା ଜଣାଇବା ସହ ଅଧିକରୁ ଅଧିକ ଗବେଷଣା ଜାରି ରଖିବାକୁ ଆହ୍ବାନ କରିଛନ୍ତି। ଫୁଡ୍‌ ପ୍ରୋସେସ୍‌ ଇଞ୍ଜିନିଅରିଂ ବିଭାଗ ମୁଖ୍ୟ ପ୍ରଫେସର ପରାଗ ପ୍ରକାଶ ସୂତାର କହିଛନ୍ତି, ବାଜରାରେ ପୁଷ୍ଟିକର ମୂଲ୍ୟ ଅଧିକ ଥିବାରୁ ଏହାର ଆବଶ୍ୟକତା ଢ଼େର୍‌ ଅଧିକ। ଦୈନନ୍ଦିନ ଖାଦ୍ୟରେ ବାଜରା ଭିତ୍ତିକ ଉତ୍ପାଦ ତଥା ଗ୍ରାହକଙ୍କ ଗ୍ରହଣୀୟତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ସ୍ବାଦ ପାଇଁ ଯେଭଳି ଗ୍ରାହକଙ୍କ ପସନ୍ଦ ବଦଳିବ ନାହିଁ, ସେଥିପ୍ରତି ଖାଦ୍ୟ ପ୍ରକ୍ରିୟାକରଣ ପରୀକ୍ଷଣ ମାଧ୍ୟମରେ ଆମେ ନିଶ୍ଚିତ କରିଛୁ। ବିଭାଗ ପକ୍ଷରୁ ସଫଳତାର ସହ ମିଲେଟ୍‌ ଆଧାରିତ ଦୁଗ୍ଧ, ମିଲେଟ କ୍ଷୀର ପାଉଡର ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ପ୍ରାଥମିକ ପ୍ରକ୍ରିୟାକରଣ ମୂଲ୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ସ୍ବଳ୍ପ ମୂଲ୍ୟର ସାମଗ୍ରିକ ମିଲେଟ ପ୍ରକ୍ରିୟାକରଣ ଯନ୍ତ୍ରର ବିକାଶ ଉପରେ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର