ରାଉରକେଲା: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାମକରା ରାଉରକେଲା ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)ର ଅନେକ ହଷ୍ଟେଲରେ ଛାତ୍ରଛାତ୍ରୀ ବେଡ୍ ଅଭାବରୁ ତଳେ ଶୋଉଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଏକ ଉଚ୍ଚତର ଶିକ୍ଷାନୁଷ୍ଠାନ ଭାବେ କୋଟି କୋଟି ଟଙ୍କାର ଅନୁଦାନ ପାଉଥିବା ଏନ୍ଆଇଟିରେ ଖାଇବା ସମସ୍ୟାରେ ବି ହଷ୍ଟେଲ ଛାତ୍ର ଛାତ୍ରୀ ଘାଣ୍ଟି ହେଉଛନ୍ତି। ଛାତ୍ରଛାତ୍ରୀମାନେ ବାରମ୍ବାର ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରୁଥିଲେ ହେଁ ସ୍ଥିତି ସୁଧୁରୁନି। ଗତ କିଛି ମାସ ଧରି ହଷ୍ଟେଲଗୁଡ଼ିକରେ ବେଡ୍ ସମସ୍ୟା ଓ ଉପଯୁକ୍ତ ଖାଦ୍ୟ ନ ମିଳିବା ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ତାହାର ସମୟ ଗଡାଇ ଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଛାତ୍ରମାନେ ଅଭିଯୋଗ କରିଛନ୍ତି, ସେମାନଙ୍କୁ ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଉ ନାହିଁ। ଏକଥା ବାହାରେ ପ୍ରକାଶ କଲେ କୁଆଡ଼େ ପରୀକ୍ଷାରେ ଫେଲ୍ କରିବାର ଧମକଚମକ ମଧ୍ୟ ଦିଆଯାଉଛି!
ଉଲ୍ଲେଖନୀୟ ଯେ ରାଉରକେଲା ଏନ୍ଆଇଟିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ, ଏପରିକି ବିଦେଶରୁ ମଧ୍ୟ ମେଧାବୀ ଛାତ୍ର ଛାତ୍ରୀ ପଢ଼ା ଓ ଗବେଷଣା ପାଇଁ ରହିଛନ୍ତି। କିନ୍ତୁ ଏଭଳି ଏକ ଅନୁଷ୍ଠାନରେ ବଡ଼ ହଷ୍ଟେଲଗୁଡ଼ିକର ମେସ୍ରେ ଖାଇବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଖାଦ୍ୟ କାଉଣ୍ଟରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡା ହେବାକୁ ପଡୁଛି। ଶେଷ ସେମିଷ୍ଟାର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜଳଖିଆ ସମୟ ସକାଳ ୮ଟାରୁ ସାଢ଼େ ୯ଟା, ମଧ୍ୟାହ୍ନ ଭୋଜନ ସମୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ରହିଛି। ଏହି ସମୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଠିକ୍ଭାବେ ଖାଇବାକୁ ପାଇପାରୁ ନାହାନ୍ତି। କେବଳ ଏତିକି ନୁହେଁ, ହଷ୍ଟେଲର ଆବଶ୍ୟକ ସଂଖ୍ୟାରେ ବେଡ୍ ନଥିବାରୁ ଅନେକ ଛାତ୍ର ଚଟଣାରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେମିତି କିଛି ଥଣ୍ଡା ଓ ଜ୍ବର ଲାଗି ରହୁଥିବା ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ୍ କରା ଯାଉନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଏଭଳି ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ପ୍ରଫେସର ଆର୍.କେ. ପଟେଲଙ୍କୁ ପଚାରିବାରୁ ସେ କହିଛନ୍ତି, କୋଭିଡରେ ପରେ କିଛି ଛାତ୍ର ହଷ୍ଟେଲରୁ ସେମାନଙ୍କ ଜିନିଷପତ୍ର ନେଇ ନଥିବାରୁ ବେଡ୍ ସମସ୍ୟା ରହୁଛି। ଶେଷ ସେମିଷ୍ଟାର ପରୀକ୍ଷା ଚାଲିଛି। ପରୀକ୍ଷା ପରେ ସବୁ ଠିକ୍ ହୋଇଯିବ। ଖାଦ୍ୟର ମାନକୁ ଏନ୍ଆଇଟି କର୍ତ୍ତୃପକ୍ଷ ସର୍ବଦା ପ୍ରାଥମିକତା ଦେଉଛନ୍ତି। ଅଧିକାଂଶ ହଷ୍ଟେଲର ହଜାରରୁ ଅଧିକ ଛାତ୍ରଛାତ୍ରୀ ରହୁଥିବାରୁ ମେସ୍ରେ ଖାଦ୍ୟ ପରସା ସମୟରେ ସାମାନ୍ୟ ତ୍ରୁଟି ହେଉଛି। ଆଗାମୀ ଦିନରେ ଏଭଳି ସମସ୍ୟା ନ ହେବାକୁ ନିଶ୍ଚିତ ଭାବେ ଧ୍ୟାନ ଦିଆଯିବ। ଖୋଲା ଆଲୋଚନା ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନେ ଆଣୁଥିବା ଅଭିଯୋଗର ସତ୍ୟତା ନାହିଁ। ପରୀକ୍ଷା ସରିବା ପରେ ନିର୍ଦ୍ଦେଶକ ଖୋଲା ଅଧିବେଶନ ନିଶ୍ଚିତ ଭାବେ ଡାକିବେ।
ଏନ୍ଆଇଟିରେ ଲାଗି ରହିଥିବା ଏସବୁ ସମସ୍ୟା ସଂପର୍କରେ ‘ସମ୍ବାଦରେ ଖବର ପ୍ରକାଶିତ ହେବାପରେ ଗତକାଲି କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ। କିନ୍ତୁ ଲୋକ ଦେଖାଣିଆ ଭାବେ ଗୋଟିଏ ହଷ୍ଟେଲରେ ହିଁ ଯାଞ୍ଚ କରା ଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍ଆଇଟିର ମେସ୍ଗୁଡ଼ିକ ବାହାରର ସଂସ୍ଥା ଦ୍ବାରା ପରିଚାଳିତ। ସେଥିପାଇଁ ଟେଣ୍ଡର କରିବାର ନିୟମ ରହିଛି। କିନ୍ତୁ ମେସ୍ ପରିଚାଳନା ଦାୟିତ୍ବରେ ଥିବା ଏନ୍ଆଇଟିର କିଛି କରିତ୍କର୍ମା ଅଧିକାରୀ ନାମକୁ ମାତ୍ର ଟେଣ୍ଡର କରି ନିଜ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ତେଣୁ ସ୍ଥିତିରେ କିଛି ପରିବର୍ତ୍ତନ ଘଟୁନାହିଁ।