ଏଲ୍‌ଜିବିଟି ଛାତ୍ରଛାତ୍ରୀ ସମର୍ଥନରେ ଏନ୍‌ଆଇଟି, ଗଠନ ହେଲା ରେନ୍‌ବୋ ଡଟ୍‌ କ୍ଲବ୍‌, ଏଭଳି ପଦକ୍ଷେପ ଦେଶ‌େର ପ୍ରଥମ

ରାଉରକେଲା : ଏଲ୍‌ଜିବିଟିକ୍ୟୁ (ସମଲିଙ୍ଗୀ, ଉଭୟଲିଙ୍ଗୀ ଓ କିନ୍ନର) ବର୍ଗଙ୍କୁ ଏବେବି ସମାଜରେ ସମାନ ଅଧିକାର ମିଳୁନି। ଯଦିଓ ସରକାରଙ୍କ କାଗଜପତ୍ରରେ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତର ବୋଲି ଅବିହିତ କରିଛନ୍ତି; ଅସଲରେ ସେ ସବୁ କିନ୍ତୁ ଦେଖିବାକୁ ମିଳୁନି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ, ସବୁଠାରେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ତେବେ ଏଲ୍‌ଜିବିଟିକ୍ୟୁ କମ୍ୟୁନିଟିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ମାନସିକ ସ୍ତରରେ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏକ ନୂଆ ପଦକ୍ଷେପ ନେଇଛି। ଅନୁଷ୍ଠାନରେ ଥିବା ଏଲଜିବିଟିକ୍ୟୁ କମ୍ୟୁନିଟିର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ବେଷର ଶିକାରରୁ ବଞ୍ଚିତ କରି ଏକ ଉପଯୋଗୀ ପରିବେଶ ଦେବାକୁ ‘ରେନ୍‌ବୋ ଡଟ୍‌ କ୍ଲବ୍‌’ ଗଠନ କରାଯାଇଛି। ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌ (ଏସ୍‌ଏସି) ଅଧିନସ୍ଥ ‘ଲିଟରେସି ଆଣ୍ଡ୍‌ କଲଚରାଲ୍‌ ସୋସାଇଟି’ ଦ୍ବାରା ଏହି ‘ରେନ୍‌ବୋ ଡଟ୍‌ କ୍ଲବ୍‌’ ପରିଚାଳିତ ହେଉଛି। ଏହି କମ୍ୟୁନିଟିର ଛାତ୍ରଛାତ୍ରୀଙ୍କ ସମର୍ଥନରେ କ୍ୟାମ୍ପସ୍‌ ଭିତରେ ଏଭଳି ପଦକ୍ଷେପ ନେବାରେ ରାଉରକେଲା ଏନ୍‌ଆଇଟି ହେଉଛି ଦେଶର ପ୍ରଥମ ଓ ଏକମାତ୍ର ଏନ୍‌ଆଇଟି ତଥା ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ। ଏମିତିକି ସମଗ୍ର ପୂର୍ବ ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ ଏଲ୍‌ଜିବିଟିକ୍ୟୁ ବର୍ଗ ପା‌ଇଁ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି।

ଏହି କ୍ଲବ୍‌ରେ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠାନର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଯୋଡ଼ି ହୋଇସାରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଲା, ଏହି କ୍ଲବ୍‌ରେ କେବଳ ଏଲ୍‌ଜିବିଟିକ୍ୟୁ କମ୍ୟୁନିଟିର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉନି ବରଂ ଯେଉଁମାନେ ଏମାନଙ୍କ ସପକ୍ଷରେ ଅଛନ୍ତି, ସେମାନଙ୍କୁ ମଧ୍ୟ ସାମିଲ କରାଯାଉଛି। କ୍ଲବ୍‌ର ମୂଳ ଲକ୍ଷ୍ୟ ହେଲା, ଏଲ୍‌ଜିବିଟି ବର୍ଗର ଛାତ୍ରଛାତ୍ରୀ ସାମାଜିକ ଭୟ ଯୋଗୁଁ ଖୋଲାଖୋଲି ଭାବେ ନିଜର ପରିଚୟ ପ୍ରକାଶ କରୁନାହାନ୍ତି। ଫଳରେ ସେମାନେ ଚାପି ହୋଇ ରହିବା ସହ ସାମ୍ବିଧାନିକ ଅଧିକାର ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ସେମାନଙ୍କ ମନରେ ପ୍ରଗତିଶୀଳ ଚିନ୍ତାଧାରା ଆଣିବା ଉଦ୍ଦେଶ୍ୟରେ ଏନ୍‌ଆଇଟିର କିଛି ଛାତ୍ରଛାତ୍ରୀ ଏପରି ପଦକ୍ଷେପ ନେଇଛନ୍ତି। ପ୍ରାୟ ୮ ମାସ ଧରି ଅନୁଷ୍ଠାନର କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କୁ ବୁଝେଇବାପରେ ଏହି ଅନୁଷ୍ଠାନ ଜନ୍ମ ନେଇଥିଲା। ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ଛାତ୍ରଛାତ୍ରୀଙ୍କୁ ସମର୍ଥନ ପାଇଁ ଆଗାମୀ ଦିନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି କମ୍ୟୁନିଟିର ଯେଉଁ ଛାତ୍ରଛାତ୍ରୀ ସହପାଠୀ/ସହପାଠିନୀଙ୍କ ଟାହିଟାପରା, ରୢାଗିଂର ଶିକାର ହେଉଛନ୍ତି, କମେଣ୍ଟ୍‌ର ଶିକାର ହେଉଛନ୍ତି, ମାନସିକ ସ୍ତରରେ ସାମାନ୍ୟ ଦୁର୍ବଳ ହୋଇଯାଇଛନ୍ତି; ସେମାନଙ୍କୁ ମନୋବୈଜ୍ଞାନିକ ପରାମର୍ଶ ଦିଆଯିବ। ଏ ନେଇ ‘ରେନ୍‌ବୋ ଡଟ୍‌ କ୍ଲବ୍‌’ର ଉପସଭାପତି ଅଙ୍କିତା ଦାସ କହିଛନ୍ତି, ଅନୁଷ୍ଠାନର ଏଲ୍‌ଜିବିଟି କମ୍ୟୁନିଟିର କିଛି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଥିଲା। ସେମାନେ ମାନସିକ ଅବସାଦରେ ରହୁଥିଲେ। ସେମାନଙ୍କୁ ଏହି ଅନାବଶ୍ୟକ ଦୁଶ୍ଚିନ୍ତାରୁ ମୁକୁଳାଇବା, ନିଜ ଜୀବନ, ପସନ୍ଦ ନାପସନ୍ଦକୁ ଖୋଲାଖୋଲିଭାବେ ପରିପ୍ରକାଶ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ କ୍ଲବ୍‌ ଗଠନ କରାଯାଇଛି। ଚିନ୍ତାଧାରାରେ ପରିବର୍ତ୍ତନ କରି ଏମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ, ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ଏସ୍‌ଏସି ସଭାପତି ପ୍ରଫେସର ସୀମିତା ମହାନ୍ତି, ଡିନ୍‌ ଏକାଡେମି୍‌ ପ୍ରଫେସର ଏସ୍‌.କେ. ପଟେଲ, ପ୍ରଫେସର ସମ୍ବିତ ବକ୍ସି, ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରମୁଖଙ୍କ ଆକୁଣ୍ଠ ସମର୍ଥନ ଯୋଗୁଁ କ୍ଲବ୍‌ ଗଠନ ସ୍ବପ୍ନ ସାକାର ହୋଇ ପାରିଛିବୋଲି କହିଛନ୍ତି।

ସମ୍ବନ୍ଧିତ ଖବର