ସମ୍ବଲପୁର : ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ନିୟମିତ ବିମାନ ବାତିଲ ହେବା ପ୍ରସଂଗ ସଂସଦରେ ଉଠାଇଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଂଗଦେବ। ସଂସଦର ନିୟମ ୩୭୭ରେ ଏହି ପ୍ରସଂଗ ଉଠାଇ ଶ୍ରୀ ଗଂଗଦେବ କହିଥିଲେ ଯେ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରେ ସବୁ ଋତୁରେ ନିୟମିତ ବିମାନ ଚଳାଚଳ କରି ପାରିବା ପାଇଁ ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍‌ଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଏହା ସତ୍ତ୍ବେ ଗତ କିଛି ମାସ ହେଲା ଏଠାରେ ବିମାନ ବାତିଲ ହେବା ଏକ ନିୟମିତ ଘଟଣା ପାଲଟିଛି।

Advertisment

ଝାରସୁଗୁଡ଼ାରୁ ଦିଲ୍ଲୀକୁ ଏୟାର୍ ଇଣ୍ଡିଆର କୌଣସି ସିଧାସଳଖ ବିମାନ ସଂଯୋଗ ନାହିଁ। ଫଳରେ ତାଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ା ବିମାନବନ୍ଦର ଉପରେ ନିର୍ଭର କରୁଥିବା ପଡ଼ୋଶୀ ରାଜ୍ୟର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଦିଲ୍ଲୀ ସମେତ ବାଙ୍ଗାଲୋର, କୋଲାକାତା, ମୁମ୍ବାଇ ଭଳି ଅନ୍ୟ ମେଟ୍ରୋ ସହରକୁ ନିୟମିତ ବିମାନ ଚଳାଚଳ ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ଗଂଗଦେବ ଦାବି କରିଥିଲେ।