ଆକାଂକ୍ଷା ଜିଲ୍ଲାର ବିକାଶ ପରଖିଲେ ନୀତି ଆୟୋଗ: ଦେଶର ଶ୍ରେଷ୍ଠ ୨୦ ଜିଲ୍ଲାରେ ରାୟଗଡ଼ା

୮ ଜିଲ୍ଲାକୁ ପଛରେ ପକାଇ ଓଡ଼ିଶା ରୢାଙ୍କରେ ଦ୍ବିତୀୟ ସ୍ଥାନ
ଟ୍ବିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ରାୟଗଡ଼ା : କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ଯୋଜନା ତାଲିକାରେ ରାୟଗଡ଼ା ସଫଳତା ହାସଲ କରିଛି। ଯୋଜନାର ସଫଳ ରୂପାୟନ ଯୋଗୁ ସର୍ବଭାରତୀୟ ସ୍ତରରେ ରାୟଗଡ଼ା ୧୬ତମ ସ୍ଥାନରେ ରହିଛି। ରାୟଗଡ଼ାର ଏହି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ପ୍ରଶଂସା କରିବା ସହ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ଆହ୍ବାନ ଦେଇଛନ୍ତି।

୨୦୧୮ ମସିହାରେ ରାୟଗଡ଼ା କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ଯୋଜନା ତାଲିକାରେ ସାମିଲ୍ ହୋଇଥିଲା। ଭାରତରେ ୧୧୨ ଜିଲ୍ଲା, ଓଡ଼ିଶାର ୧୦ ଜିଲ୍ଲା ସରକାରଙ୍କ ଏହି ଯୋଜନାରେ ସାମିଲ୍ ହୋଇଛନ୍ତି। ୨୦୨୨ ସୁଦ୍ଧା ରାୟଗଡ଼ାକୁ ବିକାଶର ଶୀର୍ଷସ୍ତରରେ ପହଞ୍ଚାଇବାକୁ ଆଂକାକ୍ଷା ଯୋଜନାର କାର୍ଯ୍ୟକ୍ରମକୁ ଜଣେ ଆଇପିଏସ୍ ରୢାଙ୍କର ନୋଡାଲ୍ ଅଧିକାରୀ ପ୍ରତି ମାସରେ ତଦାରଖ କରୁଛନ୍ତି। ୨୦୧୮ ମାର୍ଚ୍ଚରୁ ୨୦୨୦ ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ନୀତି ଆୟୋଗ କରିବା ପରେ ଗତ ୨ ବର୍ଷରେ ସ୍ୱାସ୍ଥ୍ୟ ଓ ପୁଷ୍ଟିକରଣ, ଶିକ୍ଷା, କୃଷି, ଜଳସେଚନ, ଦକ୍ଷତା ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ଆଖିଦୃଶିଆ ହୋଇଛି। ଯେଉଁଥିପାଇଁ ସର୍ବଭାରତୀୟସ୍ତରରେ ରାୟଗଡ଼ା ୧୬ତମ ସ୍ଥାନରେ ଥିବାବେଳେ ଓଡ଼ିଶା ରୢାଙ୍କ ତାଲିକାରେ ୧୦ ଜିଲ୍ଲା ମଧ୍ୟରୁ ରାୟଗଡ଼ା ଦ୍ବିତୀୟ ସ୍ଥାନରେ ରହିଛି। ଜୁନ୍ ୧୧ରେ ନୀତି ଆୟୋଗଙ୍କ ପ୍ରକାଶିତ ରିପୋର୍ଟନୁଯାୟୀ, ରାୟଗଡ଼ା ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିଛି।

ସୂଚନାଯୋଗ୍ୟ, ଦ୍ବି-ବାର୍ଷିକ ରିପୋର୍ଟ ପୂର୍ବରୁ ୨୦୨୦ ଅକ୍ଟୋବର ମାସରେ ନୀତି ଆ‌ୟୋଗଙ୍କ ମାସିକିଆ ରିପୋର୍ଟ କାର୍ଡରେ ରାୟଗଡ଼ା ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର