ନିତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚୀ ୨୦୨୦ : ଶୀର୍ଷ ୫ରେ ଓଡ଼ିଶା

ଭୁବନେଶ୍ୱର : ରପ୍ତାନିକାରୀଙ୍କ ପାଇଁ ସୁବିଧା ସୁଯୋଗ ଓ ଭିତ୍ତିଭୂମି ସୃଷ୍ଟି କରିବାରେ ଓଡ଼ିଶା ଦେଶର ଅନ୍ୟ ବିକଶିତ ରାଜ୍ୟଗୁଡ଼ିକ ଠାରୁ ଢେର୍ ଆଗରେ ରହିଛି। ନିତି ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚୀ ୨୦୨୦ରୁ ଏହା ଜଣାପଡ଼ିଛି। ରପ୍ତାନି ପ୍ରସ୍ତୁତି ସୂଚୀରେ ଦେଶର ୫ଟି ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏ କ୍ଷେତ୍ରରେ ଓଡ଼ିଶାକୁ ୫୮.୨୩ ପଏଣ୍ଟ ମିଳିଛି। ଓଡ଼ିଶା ଉପରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ରାଜସ୍ଥାନ ରହିଛନ୍ତି। ଏହି ସୂଚୀରେ ଓଡ଼ିଶା ତେଲେଙ୍ଗାନା, ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶ ଭଳି ଶିଳ୍ପସମୃଦ୍ଧି ରାଜ୍ୟଗୁଡ଼ିକୁ ପଛରେ ପକାଇ ଦେଇଛି। ତେଲେଙ୍ଗାନା ଓ ହରିୟାଣା ଯଥାକ୍ରମ‌େ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି। କର୍ଣ୍ଣାଟକ ନବମ ସ୍ଥାନରେ ଥିବାବେଳେ ଦିଲ୍ଲୀ ପଞ୍ଚଦଶ, ପଞ୍ଜାବ ଅଷ୍ଟାଦଶ ଓ ଆନ୍ଧ୍ରପ୍ରଦେଶ ବିଂଶତମ ସ୍ଥାନରେ ରହିଛନ୍ତି।

କେବଳ ସେତିକି ନୁହେଁ, ନିତି ଆୟୋଗ ପ୍ରସ୍ତୁତ ରପ୍ତାନି ପରି‌ବେଶ ସ୍ତମ୍ଭ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହି ରାଜ୍ୟ ପାଇଁ ପ୍ରଶଂସା ଆଣିଛି। ଓଡ଼ିଶାକୁ ଏ କ୍ଷେତ୍ରରେ ୬୫.୯୪ ପଏଣ୍ଟ ମିଳିଛି।

ଏ କ୍ଷେତ୍ରରେ ଓଡ଼ିଶା ଆଗରେ କେବଳ ମହାରାଷ୍ଟ୍ର ଥିବାବେଳେ ପଛରେ ହରିୟାଣା, ତାମିଲନାଡ଼ୁ, ଗୁଜରାଟ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ସମୃଦ୍ଧ ରାଜ୍ୟ ରହିଛନ୍ତି। ରାଜ୍ୟ ଗୁଡ଼ିକ ପକ୍ଷରୁ ରପ୍ତାନି ଭିତ୍ତିକ ପରିବେଶ ସୃଷ୍ଟି ପାଇଁ ବିକାଶ କରାଯାଇଥିବା ଉନ୍ନତ ପରିବେଶକୁ ମୂଲ୍ୟାୟନ କରାଯାଇ ଏହି ରୢାଙ୍କ ପ୍ରକାଶ କରାଯାଇଛି।

ଏହାବ୍ୟତୀତ ନିତି ଆୟୋଗ ପକ୍ଷର ଉପକୂଳ ରାଜ୍ୟଗୁଡ଼ିକୁ ନେଇ ମଧ୍ୟ ରୢାଙ୍କିଂ ପ୍ରକାଶ କରାଯାଇଛି। ଉପକୂଳ ରାଜ୍ୟଗୁଡ଼ିକର ରପ୍ତାନି ପ୍ରସ୍ତୁତି ସୂଚୀରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶା ଆଗରେ ଯଥାକ୍ରମେ ଦେଶର ଅନ୍ୟ ଉପକୂଳ ରାଜ୍ୟ ଯଥା ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ରହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ପଛକୁ ଏ କ୍ଷେତ୍ରରେ କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡି ସରକାରଙ୍କ ନୀତି ଓ ସରକାରଙ୍କ ୫-ଟି ମନ୍ତ୍ର ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସରକାର କହିଛନ୍ତି। ରାଜ୍ୟର ଶିଳ୍ପ ଓ ଔଦ୍ୟୋଗିକ ପରିବେଶରେ ମଧ୍ୟ ଦ୍ରୁତ ବିକାଶ ଘଟିଛି। ଫଳରେ ରପ୍ତାନି ପ୍ରସ୍ତୁତି‌ର ମଧ୍ୟ ଦ୍ରୁତ ଅଗ୍ରଗତି ହୋଇପାରିଛି। ନିତି ଆୟୋଗ ପକ୍ଷରୁ ଏହି ସୂଚୀ ଏହା ପ୍ରମାଣ କରୁଛି ଯେ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି ଆଦି କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଉତ୍ତମ ରହିଛି। ପୂର୍ବରୁ କୃଷି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସାପତ୍ର ସାଉଁଟି ସାରିଛି। ନିତି ଆୟୋଗ ପକ୍ଷରୁ ପ୍ରକାଶିତ ସଦ୍ୟ ସୂଚୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଆଉ ଏକ ପ୍ରମାଣପତ୍ର ବୋଲି ବିଶେଷଜ୍ଞମାନେ ‌ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର