ଆଜି ଆସିବେ ନିତି ଆୟୋଗ ଟିମ୍‌: ସଜେଇ ହେଉଛି ପିପିଲି ଡାକ୍ତରଖାନା

ରାତିରେ ହେଲା ମରାମତି, ଲାଗିଲା ଏସି, ଫ୍ୟାନ୍‌

ପିପିଲି : ଡାକ୍ତରଖାନାର ସ୍ବଚ୍ଛତା ଓ ଭିତିଭୂମି ପରଖିବା ପାଇଁ ନିତି ଆୟୋଗଙ୍କ ଏକ କେନ୍ଦ୍ରୀୟ ଟିମ୍‌ ପିପିଲି ଓ ପାଣିଦୋଳ ହସ୍ପିଟାଲ ଆଜି ପରିଦର୍ଶନରେ ଆସିବେ। ଏଥିପାଇଁ ବ୍ଲକ କର୍ତ୍ତୃପକ୍ଷ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କର ତତ୍ପରତା ପ୍ରକାଶ ପାଇଛି। ତେବେ ଆଜି ରାତି ଅଧରେ ଡାକ୍ତରଖାନା ସଜେଇବା କାମ ଚାଲିଛି। ଅତି ତରବରିଆ ଭାବେ ଡାକ୍ତରଖାନାର ରୋଗୀ କକ୍ଷରେ ୨ଟି ଏସି ଲଗାଯାଇଥିବା ଦେଖିବାକୁ ମିଳିଛି। ରୋଗୀ ପ୍ରତୀକ୍ଷାରତ ସ୍ଥାନରେ ଫ୍ୟାନ୍‌ ଲଗାଯାଇଛି। ଏକ ଏଲଇଡି ମଧ୍ୟ ଲଗାଯାଇଛି। ସେହିପରି ହସ୍ପିଟାଲର ବିଭିନ୍ନ ସ୍ଥାନରେ ମରାମତି କାମ ଚାଲିଛି। ତେବେ ତରବରିଆ ଭାବେ କାର୍ଯ୍ୟ ଚାଲୁଥିବାରୁ ଏହାକୁ ସାଧାରଣରେ ଅନେକ ପ୍ରଶ୍ନ ମୁଣ୍ତ ଟେକିଛି।

ହସ୍ପିଟାଲର ଭିତ୍ତିଭୂମି ଠିକ ନଥିବାବେଳେ କେନ୍ଦ୍ରୀୟ ଟିମ୍‌ର ନଜର ହଟାଇବା ପାଇଁ ରାତି ଅଧିଆ ଏହି କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟରକ୍ଷା ପାଇଁ ସ୍ବଚ୍ଛତା ଓ ପରିଷ୍କାର ପରିଛନ୍ନତା ହସ୍ପିଟାଲ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରୋଗଠାରୁ ରୋଗୀକୁ ସୁରକ୍ଷିତ ରହିବାକୁ ହେଲେ ସହଜ ଓ ସ୍ବଳ୍ପ ଖର୍ଚ୍ଚରେ କରାଯାଉଥିବା ପ୍ରତିଷେଧକ ବ୍ୟବସ୍ଥା ଜରୁରୀ। ଡାକ୍ତରଖାନାକୁ ଆସଥିବା ରୋଗୀଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ରହୁଥିବାରୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ତେଣୁ ଡାକ୍ତରଖାନାଗୁଡିକରେ ରୋଗ ସଂକ୍ରମଣକୁ ରୋକିବାରେ ସ୍ବଚ୍ଛତା ଅଧିକ ପ୍ରଭାବଶାଳୀ ଉପାୟ ହେଉଥିବାରୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦିଆଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ବାସ୍ତବରେ ଏହା କାର୍ଯ୍ୟକାରି ହେଉନଥିବା ବାରମ୍ବାର ଅଭିଯୋଗ ହେଉଛି।

ତେବେ ଏସବୁର ଭିତ୍ତିଭୂମି ପରଖିବା ପାଇଁ ନିତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ଏକ ଟିମ୍‌ ପିପିଲି ଆସୁଥିବାବେଳେ ଉକ୍ତ ଟିମ୍‌କୁ ଖୁସି କରିବା ପାଇଁ ହସ୍ପିଟାଲକୁ ସଜା ଯାଉଛି ବୋଲି କୁହାଯାଉଛି। ନିତି ଆୟୋଗ ଉପାଧ୍ୟକ୍ଷଙ୍କ ସମେତ ଏକ କେନ୍ଦ୍ରୀୟ ଟିମ ପିପିଲି ହସ୍ପିଟାଲ ସମେତ ପିପିଲି ଅନ୍ୟ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ବ୍ଲକ ପ୍ରୋଗ୍ରାମ ହେଲଥ ଅଫିସର(ବିପିଏଚଓ) ଡାକ୍ତର ବିନୟ କୁମାର ପଣ୍ତା କହିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମସ୍ତ କାର୍ଯ୍ୟ ବୁଝୁଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର