ଧର୍ମେନ୍ଦ୍ରଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର : ଜାତୀୟ ଶିକ୍ଷାନୀତି- ୨୦୨୦ର ଯୋଜନାବଦ୍ଧ କ୍ରିୟାନ୍ବୟନ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ନେଇ ବୁଧବାର ଦିନ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କେ ବେରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ଶାସ୍ତ୍ରୀଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ହୋଇଥିବା ଏହି ବୈଠକରେ ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା ସମୟରେ ଡ. ବେରୀ ନୀତି ଆୟୋଗ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମର ବିବରଣୀ ଉପରେ ଆଲୋକପାତ କରିଥିଲେ । ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ ‘ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ’ ରିପୋର୍ଟ ବିଷୟରେ ଡ. ବେରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିସନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଡ. ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ। ବୈଠକରେ ସର୍ବୋଚ୍ଚ ସ୍ତରରେ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧିତ ଖବର