ନିତିଆୟୋଗର ଆସ୍ପିରେସନାଲ ଜିଲ୍ଲା ତାଲିକା : ପ୍ରଥମ ୫ଟି ସ୍ଥାନରେ ଓଡ଼ିଶାର ନୂଆପଡ଼ା ଓ କୋରାପୁଟ

ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ୨ୟ ଡେଲଟା ର‍୍ୟାଙ୍କିଙ୍ଗ ଫର ଆସ୍ପିରେସନାଲ ଡିଷ୍ଟ୍ରିକ୍ଟସ ତାଲିକା ପ୍ରକାଶ ପାଇଛି । ଜୁନ୧, ୨୦୧୮ରୁ ଅକ୍ଟୋବର ୩୧, ୨୦୧୮ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶନ କରିଥିବା ଜିଲ୍ଲାମାନଙ୍କୁ ଏହି ତାଲିକାରେ ରଖାଯାଇଛି । ସାମଗ୍ରିକଭାବେ ସର୍ବାଧିକ ଉନ୍ନତି ପ୍ରଦର୍ଶନ କରିଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ବିରୁଧୁ ନଗର, ଓଡ଼ିଶାର ନୂଆପଡା(୨ୟ ସ୍ଥାନ), ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର, ବିହାରର ଔରଙ୍ଗାବାଦ ଓ ଓଡ଼ିଶାର କୋରାପୁଟ (୫ମ ସ୍ଥାନ) । ଅର୍ଥାତ ପ୍ରଥମ ୫ଟି ସ୍ଥାନରେ ଓଡ଼ିଶାର ଦୁଇଟି ଜିଲ୍ଲା ରହିଛନ୍ତି ।

ଅନ୍ୟପକ୍ଷରେ ସବୁଠାରୁ ନୈରାଶ୍ୟଜନକ ଅଭିବୃଦ୍ଧି ଲାଭ କରିଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛନ୍ତି ନାଗାଲାଣ୍ଡର କିଫିର(୧୦୭ ତମ ସ୍ଥାନ), ଝାଡ଼ଖଣ୍ଡର ଗିରିଡିହ, ଝାଡ଼ଖଣ୍ଡର ଛତ୍ରା,ଆସାମର ହଇଲାଖଣ୍ଡି ଓ ଝାଡ଼ଖଣ୍ଡର ପାକୁର (୧୧୧ ତମ ସ୍ଥାନ) । ଏହି ର‍୍ୟାଙ୍କିଙ୍ଗ ପାଇଁ ଯେଉଁ ଯେଉଁ କ୍ଷେତ୍ରଗୁଡିକୁ ବିଚାରକୁ ନିଆଯାଇଛି ସେଗୁଡିକ ହେଲା ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳସଂପଦ, ଆର୍ଥକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ ଓ ସାଧାରଣ ଭିତ୍ତିଭୂମି । କିଛିଦିନ ପୂର୍ବେ ନିତି ଆୟୋଗ ପକ୍ଷରୁ ପ୍ରକାଶିତ ଷ୍ଟାର୍ଟ ଅପ ବାତାବରଣ ର‍୍ୟାଙ୍କିଙ୍ଗରେ ମଧ୍ୟ ଓଡ଼ିଶାକୁ ପ୍ରମୁଖ ସ୍ଥାନ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର