ପୁରୀ :‌ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠଭୋଗ ଉଠାକୁ କେନ୍ଦ୍ର କରି ଆଜି ବିବାଦ ଦେଖାଦେଇଥିଲା। ସୁଆରବଡ଼ୁ ସେବକ ଓ ମହାସୁଆର ସେବକଙ୍କ ମଧ୍ୟରେ ଦେଖା ଦେଇଥିବା ଏହି ବିବାଦ ପାଇଁ ଶ୍ରୀମନ୍ଦିରରେ ଦୁଇଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଏହାର ପ୍ରଭାବ ଭୋଗମଣ୍ଡପ ନୀତି ଉପରେ ମଧ୍ୟ ପଡ଼ିଥିଲା। ଦୁଇଘଣ୍ଟା ବିଳମ୍ବରେ ଏହି ନୀତି ସଂପାଦନ ହେବାରୁ ଭକ୍ତମାନେ ମହାପ୍ରସାଦ ବିଳମ୍ବରେ ପାଇଥିଲେ।

Advertisment

ପ୍ରତିଦିନ ସାଢ଼େ ଗୋଟାଏରୁ ଦୁଇଟା ମଧ୍ୟରେ ମହାପ୍ରସାଦ ବାହାରିଥାଏ। ଆଜି କିନ୍ତୁ ସାଢ଼େ ୩ଟାରେ ଭକ୍ତମାନେ ମହାପ୍ରସାଦ ପାଇଛନ୍ତି। ଏଭଳି ଏକ ବ୍ୟକ୍ତିଗତ ବିବାଦ ପାଇଁ ମହାପ୍ରଭୁଙ୍କ ନୀତି ବନ୍ଦ କରି ଦିଆଯିବା ଓ ମହାପ୍ରସାଦ ବିଳମ୍ବରେ ବାହାରିବାକୁ ଭକ୍ତମାନେ ନାପସନ୍ଦ କରିଛନ୍ତି। ଏଭଳି ସ୍ଥିତିରେ ନୀତି ବିଳମ୍ବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିବା କାର୍ଯ୍ୟାନୁଷ୍ଠାନ ଆଦେଶ କୁଆଡ଼େ ଗଲା ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ଧୂପ ସମୟରେ ମହାପ୍ରଭୁଙ୍କୁ କୋଠଭୋଗ ଲାଗି ହେବା ପରେ ଭୋଗ ଉଠା ପ୍ରସ୍ତୁତି ଚାଲିଥିଲା। କୋଠଭୋଗ ଥାଳି ଉଠି ନଥିବାବେଳେ ସୁଆରବଡ଼ୁ ସେବକ ରାଜାରାମ ମେକାପ ହଠାତ୍ ପାଣି ଢାଳି ଦେଇଥିଲେ। ଏହି ପାଣି ଭୋଗଥାଳିରେ ପଡ଼ିଥିଲା। ସେଠାରେ ଉପସ୍ଥିତ ମହାସୁଆର ସେବକ ରାମି ମହାନ୍ତି ଏହାକୁ କେନ୍ଦ୍ର କରି ସୁଆରବଡ଼ୁ ସେବକଙ୍କୁ ଗାଳିଗୁଲଜ କରିଥିଲେ। ଭୋଗଥାଳି ଉଠି ନଥିବାବେଳେ କାହିଁକି ପାଣି ଢ଼ାଳିଲ ବୋଲି ସୁଆରବଡ଼ୁ ସେବକଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇଜଣଙ୍କ ଭିତରେ ଜୋରଦାର ପାଟିତୁଣ୍ଡ ଲାଗିଥିଲା।

ପରେ ସୁଆର ବଡ଼ୁ ସେବକ ରାଜାରାମ ମେକାପ ନୀତି ବନ୍ଦ କରି ସେଠାରୁ ପଳାଇଥିଲେ। ଯେଉଁଥି ପାଇଁ କୋଠଭୋଗ ଉଠିବା ପରେ ଆଉ ପାଣି ପଡ଼ି ପାରିନଥିଲା। ଫଳସ୍ବରୂପ ଅନ୍ୟ ନୀତି ସଂପାଦିତ ହୋଇପାରିନଥିଲା। କୋଠଭୋଗ ପରେ ଭୋଗମଣ୍ଡପ ନୀତି ରହିଥିଲା। ଏହା ବରାଦି ‌ଭୋଗ ହୋଇଥିବାବେଳେ ଏହି ନୀତି ସଂପାଦନ ପରେ ଭକ୍ତମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇଥାନ୍ତି। କିନ୍ତୁ ପାଣି ନ ପଡ଼ିବାରୁ ଭୋଗମଣ୍ଡପ ନୀତି ଆରମ୍ଭ ହୋଇପାରିନଥିଲା। ଏ ସଂପର୍କରେ ଖବର ପାଇ ଶ୍ରୀମନ୍ଦିର କମାଣ୍ଡର ପହଞ୍ଚି ଦୁଇ ପକ୍ଷଙ୍କୁ ଗାରଦରେ ବସାଇ ଆପୋସ ବୁଝାମଣା କରିଥିଲେ। ତଥାପି ବିବାଦ ସମାଧାନ ନହେବାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ପ୍ରଶାସକ ଜୟନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ହୋଇଥିଲା। ପରେ ନୀତି ସ୍ବାଭାବିକ ହେବା ସହ ଭୋଗମଣ୍ଡପ ନୀତି ସଂପନ୍ନ ହୋଇଥିଲା।