କେନ୍ଦୁଝର: ରଥଯାତ୍ରାରେ ଗଡ଼ିପାରିଲାନି ‌କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀବଳଦେବ ଜିଉଙ୍କ ସର୍ବବୃହତ୍‌ ରଥ। ଗୋଟିଏ ଦିନରେ ତିନିତିନିଟି ନୀତି ସରିଲାବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସନ୍ଧ୍ୟା ସାଢ଼େ ୬ଟାବେଳେ ଛେରାପହଁରା ଶେଷ ହୋଇଥିଲେ ବି ରଥ ଟାଣିବାକୁ ଆଉ ସମୟ ନଥିଲା। ତେଣୁ ସୋମବାର ପୂର୍ବାହ୍ନ ୧୦ଟାରେ ରଥଟଣା ହେବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ପାଇଁ ଆଜି ସକାଳୁ ଶ୍ରୀଜିଉମାନଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୫ଟାରେ ଅବକାଶ ନୀତି ପରେ ନେତ୍ରଦାନ, ଉଭା, ସକାଳ ଧୂପ, ଲୁଗାଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଚକାଭିଡ଼ା ଓ ପହଣ୍ଡି ବେଶ ହୋଇଥିଲା। ଦିନତମାମ ନୀତିକାନ୍ତି ଚାଲିବା ପରେ ଅପରାହ୍ନ ସାଢ଼େ ୪ଟାବେଳେ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ପରେ ଶ୍ରୀବଳଦେବ, ମାତା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ରଥ ଚାରିପଟେ ସାତଥର ପ୍ରଦକ୍ଷିଣ କରିବା ପରେ ରଥାରୂଢ଼ କରାଯାଇଥିଲା। ଅପରାହ୍ନ ସାଢ଼େ ୫ ଟାରେ ପହଣ୍ଡି ଶେଷପରେ ଚାରମାଳ ଫିଟାଯାଇ ଘୋଡ଼ାବନ୍ଧା ଓ ରଥ ଉପରେ ଚକାଭିଡ଼ା ଶେଷ ହୋଇଥିଲା। ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଛେରାପହଁରା କରିଥିଲେ।

Advertisment

ଛେରାପହଁରା ଶେଷ ହେଲାବେଳକୁ ସନ୍ଧ୍ୟା ସାଢ଼େ ୬ଟା ହୋଇସାରିଥିଲା। ଗୋଟିଏ ଦିନରେ ନେତ୍ରୋତ୍ସବ, ଉଭାଯାତ୍ରା ଓ ରଥଯାତ୍ରା ପଡ଼ିଥିବାରୁ ସମସ୍ତ ନୀତି ଶେଷ ହେଉହେଉ ସନ୍ଧ୍ୟା ହୋଇଗଲା। ତେଣୁ ସୋମବାର ପୂର୍ବାହ୍ନ ୧୦ଟାରେ ରଥଟଣା ହେବ ବୋଲି ଜିଲ୍ଲାପାଳ ବିଶାଳ ସିଂହ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ରଥଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା। ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଗହଳି ଳଗାଇଥିଲେ। ୪୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଉପସ୍ଥିତ ଥିଲେ। କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପୌରାଧ୍ୟକ୍ଷା ନିକୁ ସାହୁ, କାଉନସିଲର ଶରତ ସାହୁ, ନିହାର ଦାସ, ପଙ୍କଜ ଦ୍ୱିବେଦୀ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ଘୁଙ୍ଗୁର କ୍ଲବ୍‌ରେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଛି। ଇଲେଭେନ୍ ବୁଲେଟ୍ କ୍ଲବ୍‌, ୟଙ୍ଗ ଜିନିଅସ୍‌ କ୍ଲବ୍‌ ଓ କେନ୍ଦୁଝର ଇଞ୍ଜିନିୟରିଂ ସ୍କୁଲ ପକ୍ଷଙ୍କୁ ଭୋଗ ବିତରଣ କରାଯାଇଛି।