ପୁରୀ :‌ ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ଅହେତୁକ ନୀତି ବିଳମ୍ବ ହୋଇଛି। ଯେଉଁଠି ରାତିରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବା କଥା, ସେଠି ଭୋର ୫ଟା ୫ରେ ରାତ୍ର ପହୁଡ଼ ହୋଇଛି। ସେହି ଅନୁସାରେ, ଦ୍ବାରଫିଟା ବି ବିଳମ୍ବ ହୋଇଛି। ସକାଳ ୭ଟା ୨୫ରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଛି। ନିକଟ ଅତୀତରେ ଶ୍ରୀମନ୍ଦିର ଇତିହାସରେ ଏଭଳି ଘଟଣା କେବେ ବି ଦେଖିବାକୁ ମିଳିନି।

Advertisment

ସୂଚନା ଅନୁସାରେ, ଶୁକ୍ରବାର ଭୋର ୪ଟା ୧୦ରେ ବଡ଼ସିଂହାର ବେଶ, ୪ଟା ୪୦ରେ ବଡ଼ସିଂହାର ଭୋଗ ଓ ୫ଟା ୫ରେ ରାତ୍ର ପହୁଡ଼ ହୋଇଥିଲା। ଏହାର ପ୍ରାୟ ଅଢ଼େଇ ଘଣ୍ଟା ପରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ବିଳମ୍ବ ଯୋଗୁ ଶୁକ୍ରବାର ମଧ୍ୟାହ୍ନଧୂପ ୫ଟା ୨୫ରେ ଶେଷ ହୋଇଛି। ସେହି ଅନୁସାରେ, ମହାପ୍ରସାଦ ବି ବହୁ ବିଳମ୍ବରେ ବାହାରିଛି। ସଂଧ୍ୟାଧୂପ ଓ ଅନ୍ୟାନ୍ୟ ନୀତି ବହୁ ବିଳମ୍ବ ହୋଇଛି। କିନ୍ତୁ, ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ସ୍ପଷ୍ଟୀକରଣ ରଖିନି। ସେବାୟତମାନେ କହିଛନ୍ତି, ଗତକାଲି ଅଧିକ ନୀତିକାନ୍ତି ରହିଥିଲା। ଗୋଟିଏ ଦିନରେ ପଦ୍ମବେଶ, ଶ୍ରୀପଞ୍ଚମୀ, ଚାଚେରି ବେଶ, ଗୁରୁବାର ମାଜଣା ଆଦି ନୀତିକାନ୍ତି ରହିଥିଲା। ସେହି ଦୃଷ୍ଟିରୁ ନୀତିକାନ୍ତି ବିଳମ୍ବ ହୋଇଛି।

ଏହିଭଳି ନୀତି ବିଳମ୍ବ ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଲବଲ ହୋଇଛନ୍ତି। ମଙ୍ଗଳ ଆଳତି ପରେ ପରେ ଦର୍ଶନ ଆଶା ନେଇ ବଡ଼ି ଭୋରରୁ ଆସିଥିବା ଭକ୍ତମାନେ ସକାଳ ୮ଟାରେ ମହାପ୍ରଭୁଙ୍କ ଦର୍ଶନ ପାଇଛନ୍ତି। ତେବେ, ଗତ ୨୫ ତାରିଖରୁ ଏହିଭଳି ନୀତି ବିଳମ୍ବ ହୋଇଆସୁଥିବା ଅଭିଯୋଗ ହୋଇଛି।

ଅପରପ‌କ୍ଷେ, ନୀତିକାନ୍ତି ବିଳମ୍ବ ପାଇଁ କାର୍ଯ୍ୟାନୁଷ୍ଠାନ ‌ନିଆଯିବ ବୋଲି ଦୁଇବର୍ଷ ତଳେ ସମସ୍ତ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା, ନୀତି ସମ୍ପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ। କିନ୍ତୁ, ଏହି ନିଷ୍ପତ୍ତି ଚିଠିରେ ସୀମିତ ରହିଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆସି ପାରୁନଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି।