ଚିତ୍ର କିଛି ବଦଳିନି। ଗତ କିଛି ବର୍ଷ ଧରି ରାଜ୍ୟ ରାଜନୀତିର ଚିତ୍ର ଓ ଚରିତ୍ର ଯାହା ଥିଲା, ୨୦୨୩ରେ ତାହା ହିଁ ରହିଛି। ଓଡ଼ିଶା ରାଜନୀତିର କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପାଖାପାଖି କେହି ନାହାନ୍ତି। ୨୩ ବର୍ଷ ଶାସନ କଲା ପରେ ବି ଲୋକପ୍ରିୟତାରେ ସେ ଅନତିକ୍ରମଣୀୟ। ବର୍ଷତମାମ ସେ ହିଁ ଚର୍ଚ୍ଚାରେ। ନବୀନଙ୍କୁ ଚ୍ୟାଲେଞ୍ଜ୍ ଦେଇ କ୍ଷମତା ଦଖଲ କରିବା ଏତେ ସହଜ ନୁହେଁ, ତାହାକୁ ବିରୋଧୀ ଏକପ୍ରକାର ବୁଝିଯାଇଛନ୍ତି। ସମ୍ଭବତଃ ସେଥିପାଇଁ ବୋଧେ ବିରୋଧୀଙ୍କ ବିରୋଧ ବି ପ୍ରଭାବୀ ହୋଇପାରୁନି। ହଁ, କେନ୍ଦ୍ର ସହ ଅତ୍ୟନ୍ତ ଭଲ ସମ୍ପର୍କ ରଖୁଥିବାରୁ ନବୀନ କେତେବେଳେ କେମିତି ସନ୍ଦେହରେ ରହୁଛନ୍ତି ସତ; ହେଲେ ତାହାର ପ୍ରଭାବ ପଡ଼ୁନି ଭୋଟ୍ ରାଜନୀତିରେ। ନବୀନଙ୍କ ଲୋକପ୍ରିୟତା ଓ ନିର୍ମଳ ଭାବମୂର୍ତ୍ତି ସହ ରାଜ୍ୟ ସରକାରଙ୍କ ‘ଯୋଜନା ବର୍ଷା’ ବିରୋଧୀଙ୍କୁ ପଛକୁ ଫେରିବାକୁ ବାଧ୍ୟ କରୁଛି। ତଥାପି ବିରୋଧୀଙ୍କ ପାଖରେ ପ୍ରସଙ୍ଗର ଅଭାବ ନାହିଁ। ସରକାରଙ୍କ ଦୁର୍ବଳତା ଦେଖାଇ ଘେରିବାକୁ ବର୍ଷତମାମ ଚେଷ୍ଟା କରିଛନ୍ତି। ସରକାର ହଲାପଟା ହୋଇଛନ୍ତି, ହେଲେ କ୍ଷତି ହୋଇନି।
ସବୁ ଋତୁରେ ଯୋଜନା ବର୍ଷା
୨୦୨୪ ପ୍ରଥମାର୍ଦ୍ଧରେ ସାଧାରଣ ନିର୍ବାଚନ। ତେଣୁ ୨୦୨୩ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଆଉ ଷଷ୍ଠ ଥର ପାଇଁ କ୍ଷମତା ଦଖଲ କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ବିଜେଡି ପ୍ରସ୍ତୁତ ନାହିଁ। ୨୦୨୩ରେ ବିଜେଡି ସରକାର ବଡ଼ ବଡ଼ ଯୋଜନା ଘୋଷଣା କରିଥିଲେ। ଅକ୍ଟୋବରରୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ତୃଣମୂଳ ସ୍ତରରେ ଶାସକ ଦଳକୁ ବେଶ୍ ସହାୟକ ହୋଇପାରିଛି। ଏହି ଯୋଜନାରେ ଗାଁ ଗାଁରେ ବିକାଶ ପାଇଁ ଭଣ୍ଡାର ଖୋଲିଦିଆଯାଇଛି। ପୁଣି ବର୍ଷ ଶେଷକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ ସାମିଲ ପାଇଁ ଆରମ୍ଭ ହୋଇଛି ବିଏସ୍କେୱାଇ-ନବୀନ କାର୍ଡ। ଏହା ବାଦ୍ ବର୍ଷତମାମ ସବୁ ବର୍ଗର ଲୋକଙ୍କୁ ନଜରରେ ରଖି ବହୁ ଯୋଜନା ଘୋଷଣା କରାଯାଇଛି। ମିସନ୍ ଶକ୍ତି ସ୍କୁଟର୍, ଲକ୍ଷ୍ମୀ ବସ୍ ଆଦି ଉଲ୍ଲେଖନୀୟ ରହିଛି।
ଘର ସଜାଡ଼ିବା ପାଇଁ ନୂଆ ମୁଖିଆ
ବିଜେପିର ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଓ କଂଗ୍ରେସର ରାଜ୍ୟ ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଥିଲେ। ଉଭୟ ନେତା ଅଭିଜ୍ଞ ଓ ଅନୁଭବୀ। ପୂର୍ବରୁ ମଧ୍ୟ ରାଜ୍ୟ ସଂଗଠନ ଦାୟିତ୍ବ ସମ୍ଭାଳିଛନ୍ତି। ତେଣୁ ସେମାନଙ୍କ ନେତୃତ୍ବରେ ଦୁଇଟି ଯାକ ବିରୋଧୀ ଦଳ ସକ୍ରିୟ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ବର୍ଷ ଶେଷ ସୁଦ୍ଧା ସେମାନେ ସେପରି କିଛି ଚକ୍ମା ଦେଖାଇବାରେ ସକ୍ଷମ ହୋଇ ନାହାନ୍ତି।
କଂଗ୍ରେସର ନୂଆ ପ୍ରଭାରୀ
ଡିସେମ୍ବର ମାସରେ ରାଜ୍ୟ କଂଗ୍ରେସର ପ୍ରଭାରୀ ବଦଳିଛନ୍ତି। ଚେଲ୍ଲା କୁମାରଙ୍କ ବଦଳରେ ଡାକ୍ତର ଅଜୟ କୁମାରଙ୍କୁ ଏଆଇସିସି ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି। ଜାନୁଆରି ମାସରେ ସେ ଓଡ଼ିଶା ଗସ୍ତରେ ଆସି ରାଜ୍ୟ କଂଗ୍ରେସର ଉତ୍ଥାନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ରାଜ୍ୟ ଯୁବ କଂଗ୍ରେସର ନୂଆ ସଭାପତି ଭାବେ ରଞ୍ଜିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
ରାଜନୈତିକ ଇଂନିସ୍ ଆରମ୍ଭ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲା ବେଳେ ଭି କେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଅଭିଯୋଗ ଶୁଣାଣି କରିଥିଲେ। ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିଲା। ଶେଷରେ ଅକ୍ଟୋବର ମାସରେ ଶ୍ରୀ ପାଣ୍ଡିଆନ ଚାକିରି ଛାଡ଼ିଦେଲେ। ତାଙ୍କୁ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା। ସମସ୍ତଙ୍କୁ ଚକିତ କରି ନଭେମ୍ବର ମାସରେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ଏହା ପରେ ପୁଣି ଜିଲ୍ଲା ବୁଲି ସରକାରୀ ପ୍ରକଳ୍ପର ସମୀକ୍ଷା କରିବା ସହ ଦଳୀୟ ସମାବେଶରେ ସାମିଲ ହେଉଛନ୍ତି।
ରାଜନୀତିରେ ମିଶିଲା ପରେ ବିରୋଧୀଙ୍କୁ ଆକ୍ରମଣ କରି ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।
୨୬ ଦିନ ଆଗରୁ ସରିଗଲା ବିଧାନସଭା
ଗତ କିଛି ବର୍ଷ ହେଲା ବିଧାନସଭା ଅଧିବେଶନ ଆଗୁଆ ସାରିଦେବା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ୨୦୨୩ରେ ଏହା ସବୁ ସୀମା ଟପିଗଲା। ୨୬ଟି କାର୍ଯ୍ୟଦିବସ ବାକି ଥାଇ ଅଧିବେଶନ ସାରିଦିଆଗଲା। ନିୟମ ଅନୁଯାୟୀ ବର୍ଷକୁ ବିଧାନସଭା ଗୃହ ୬୦ ଦିନ ଚାଲିବା କଥା। ୨୦୨୩ରେ ବଜେଟ୍ ଓ ମୌସୁମୀ ଅଧିବେଶନରେ ମୋଟ୍ ୩୦ ଦିନ ଗୃହ ଚାଲିଥିଲା। ତେଣୁ ଶୀତ ଅଧିବେଶନରେ ଆଉ ୩୦ ଦିନ ଗୃହ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ହେଲେ ମାତ୍ର ୪ ଦିନରେ ଗୃହ କାର୍ଯ୍ୟ ସାରିଦିଆଗଲା। ସରକାରୀ ଦଳର ଯୁକ୍ତି ଥିଲା, ଆଉ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହ ଚଳାଇବା ଆବଶ୍ୟକ ନାହିଁ। ବିରୋଧୀ ଦଳ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ତାହା ନିଷ୍ଫଳ ହୋଇଥିଲା।
ବାଚସ୍ପତିରୁ ମନ୍ତ୍ରୀ
୨୦୧୯ ନିର୍ବାଚନ ପରେ ଓଡ଼ିଶା ବିଧାନସଭାରେ ତିନି ଜଣ ବାଚସ୍ପତି ହୋଇସାରିଲେଣି। ପ୍ରଥମେ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହୋଇଥିଲେ। ୨୦୨୨ରେ ସ୍ବାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେଲେ। ୨୦୨୩ରେ ମେ’ ମାସରେ ଶ୍ରୀ ଆରୁଖ ନିଜ ପଦବିରୁ ଇସ୍ତଫା ଦେଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା। ଏହାର କିଛି ଦିନ ପରେ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ତାଙ୍କୁ ବାଚସ୍ପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା। ଶ୍ରୀମତୀ ମଲ୍ଲିକ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି।
ଜିଲ୍ଲା ଘୋଷଣାକୁ ଝଟ୍କା
୨୦୨୨ ଡିସେମ୍ବରରେ ପଦ୍ମପୁର ଉପନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥି ପାଇଁ ଏକ ବର୍ଷ ସମୟ ନେଇଥିଲେ। ଏହି ସମୟ ମଧ୍ୟରେ ପ୍ରାଶାସନିକ ପ୍ରକ୍ରିୟା ବି ଆଗେଇଥିଲା। କିନ୍ତୁ କଣ୍ଟ ପୂରିବାକୁ ଆଉ କିଛି ଦିନ ବାକି ଥିଲା ବେଳେ ହାଇକୋର୍ଟ ଏହି ପ୍ରକ୍ରିୟାରେ ଅଙ୍କୁଶ ଲଗାଇଲେ। ଫଳରେ ନୂଆ ଜିଲ୍ଲା ଘୋଷଣା ପ୍ରକ୍ରିୟା ଅଧାରେ ଅଟକିଗଲା। କେବଳ ପଦ୍ମପୁର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ଜିଲ୍ଲା ପାଇଁ ଦାବି ଉଠିଥିଲା। ଏଥି ପାଇଁ ସରକାର ଅଡ଼ୁଆରେ ବି ପଡ଼ିଯାଇଥିଲେ। ଅଦାଲତି ଅଙ୍କୁଶ ନିର୍ବାଚନ ପୂର୍ବରୁ ସରକାରଙ୍କୁ ଆଶ୍ବସ୍ତ କରିଛି ବୋଲି କହିଲେ ଭୁଲ୍ ହେବ ନାହିଁ।
ବିଦେଶରୁ କ୍ୟାବିନେଟ୍
ଜାପାନ ଗସ୍ତରେ ଥିଲା ବେଳେ ହଠାତ୍ କ୍ୟାବିନେଟ୍ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ୍ ମଞ୍ଚରେ ମନ୍ତ୍ରୀମାନେ ବୈଠକରେ ଯୋଡ଼ି ହେଲେ। ଏଥିରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବ ସହ ଆଉ କିଛି ପ୍ରସ୍ତାବରେ ମୋହର ବାଜିଲା। ୨୦୧୭ ଡିସେମ୍ବର ମାସରେ ରାଜଧାନୀ ବାହାରେ(ପୁରୀ) କ୍ୟାବିନେଟ୍ ବୈଠକ ଡାକି ସମସ୍ତଙ୍କୁ ଚକିତ କରିଥିଲେ ନବୀନ। ଏ ବର୍ଷ ବିଦେଶରୁ ବୈଠକ ଡାକି ଆଉ ଏକ ଅଧ୍ୟାୟ ସେଥିରେ ଯୋଡ଼ିଲେ।
ଅଧାରୁ ରୋହିତ ବିଦା
ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ଥିଲା ଚଳିତ ବର୍ଷର ସବୁଠାରୁ ରହସ୍ୟଜନକ ରାଜନୈତିକ ଘଟଣା। ଜୁନ୍ ଦ୍ବିତୀୟ ସପ୍ତାହରେ ‘ଅପାରଗ ମନ୍ତ୍ରୀ’ର ଟ୍ୟାଗ୍ ଲଗାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦା କରିଦେଲେ। ତାଙ୍କୁ ଇସ୍ତଫା ଦେବାକୁ ନ କହି ମୁଖ୍ୟମନ୍ତ୍ରୀ ଯେପରି ଅତର୍କିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ତାହା ରାଜନୈତିକ ମହଲକୁ ଚକିତ କରିଦେଲା। କିଏ କହିଲା, ରାଜନୈତିକ କାରଣ ତ କିଏ କହିଲା, ବିଭାଗରେ ଅନିୟମିତତା ଅଧିକ ହେଲା। ପୁଣି କୁହାଗଲା ଯେ ମନ୍ତ୍ରୀ ଆଦୌ ଲୋକସେବା ଭବନ ଆସି କାମ କରୁ ନଥିଲେ। କିନ୍ତୁ ବହିଷ୍କାର ପଛର ନିର୍ଦ୍ଦିଷ୍ଟ କାରଣ କିଛି ଜଣାପଡ଼ିଲାନି।
ଦୁଇ ମନ୍ତ୍ରୀ ଗଲେ, ୩ ନୂଆ ହେଲେ
୨୦୨୩ ଅଦଳବଦଳେର ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କୁ ଇସ୍ତଫା ଦେବାକୁ କୁହାଗଲା। ଯଦିଓ ସଂଗଠନ ପାଇଁ ଅଧିକ ସମୟ ଦେବେ କହି ସେମାନେ ଇସ୍ତଫା ଦେଇଥିଲେ, କିନ୍ତୁ ତାହା ପ୍ରକୃତ କାରଣ ନ ଥିଲା। ଉଭୟ ମନ୍ତ୍ରୀ ଭିନ୍ନ ଭିନ୍ନ ମାମଲାରେ ବିବାଦୀୟ ହୋଇପଡ଼ିଥିଲେ। ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲା। ଏହା ପରେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ।
କଡ଼ା କଥା କହିଲେ ଜୟନାରାୟଣ
୨୦୨୨ରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ୨୦୨୩ରେ ବର୍ଷତମାମ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଚର୍ଚ୍ଚାରେ ରହିଥିଲା। ବିଧାନସଭାରେ ସେ ଖୁବ୍ କମ୍ ସମୟ କହୁଥିଲେ ମଧ୍ୟ ଅତ୍ୟନ୍ତ ଶାଣିତ ଭାଷାରେ ସରକାରଙ୍କୁ ଆକ୍ରମଣ କରୁଥିଲେ। ବହୁ ପ୍ରସଙ୍ଗରେ ତାଙ୍କର କଡ଼ା ମନ୍ତବ୍ୟ ସରକାରୀ ଦଳକୁ ଅଡ଼ୁଆରେ ପକାଉଥିଲା।
ଧର୍ମେନ୍ଦ୍ରଙ୍କୁ ନେଇ ଅଙ୍କକଷା
୨୦୨୩ ବିଜେପି ରାଜ୍ୟ ସଭାପତି ବଦଳିଲେ। ମନମୋହନ ସାମଲ ସଭାପତି ହେଲେ। କିନ୍ତୁ ରାଜ୍ୟ ବିଜେପିର ଚେହେରା ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଦ୍ଦବା ସହି ସଲାମତ ରହିଛି। ଶ୍ରୀ ପ୍ରଧାନ ସାରା ରାଜ୍ୟରେ ବୁଲିବୁଲି ସାଂଗଠନିକ କାର୍ଯ୍ୟକୁ ଜୋର୍ଦାର ଚଳାଇଛନ୍ତି। ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ହିଁ ବିଜେପି କର୍ମୀଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ସେ ନିଜେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆସନ୍ତା ନିର୍ବାଚନରେ ଶ୍ରୀ ପ୍ରଧାନ ଯେ ବଡ଼ ଭୂମିକା ଗ୍ରହଣ କରିବେ, ତାହା ସ୍ପଷ୍ଟ ହୋଇଛି।