ବାତ୍ୟା ପରେ ମହାପ୍ରଭୁଙ୍କ ନୀତି ବନ୍ଦ ରହିଥିଲା

ଧୂପ-ବେଶ ସବୁ ଅଟକିଗଲା, ରତ୍ନ ସିଂହାସନରେ ପଡ଼ିଲା ପାଣି, ଶ୍ରୀଅଙ୍ଗ ସୁରକ୍ଷିତ

ପୁରୀ : ଯାହା କେବେ ହୋଇନଥିଲା ତାହା ଏଥର କରିଦେଲା ସାମୁଦ୍ରିକ ଝଡ଼ ‘ଫନି’। ୯୯ ମହାବାତ୍ୟା ହେଉ କି ଫାଇଲିନ୍‌, କୌଣସି ସମୟରେ ଠାକୁରଙ୍କ ନୀତି ବନ୍ଦ ହୋଇନଥିଲା। ମାତ୍ର ଏଥର ମଧ୍ୟାହ୍ନ ଧୂପ ସାରି ନୀତି ବନ୍ଦ କରିବାକୁ ବାଧ୍ୟ ହେଲେ ସେବକମାନେ। ମହାପ୍ରଭୁଙ୍କୁ ଛାଡ଼ି ସମସ୍ତେ ପଳାଇଲେ। ମହାପ୍ରଭୁ ଏକା ଏକା ରାତିସାରା ବସିଲେ। ପରଦିନ ସକାଳେ ହେଲା ନୀତି।

ବାତ୍ୟା ସମୟରେ ଶ୍ରୀମନ୍ଦିର ନୀତି ସମ୍ପର୍କରେ ନୀତି ଅଧିକାରୀ କହିଛନ୍ତି, ବାହାରେ ପ୍ରବଳ ପବନ ଓ ବର୍ଷା ସ‌ତ୍ତ୍ବେ ମହାପ୍ରଭୁଙ୍କ ନୀତିକୁ ସେବକମାନେ ଚଳାଇଥିଲେ। ମଧ୍ୟାହ୍ନ ଧୂପ ଯାଏ ନୀତି ହେଲା। ପରମ୍ପରା ଅନୁଯାୟୀ ଦକ୍ଷିଣୀଘର ଭୋଗ ବି ହେଲା। କିନ୍ତୁ ଏହା ପରେ ଆଉ ନୀତି କରିବା ସମ୍ଭବ ହେଲା ନାହିଁ। ଠାକୁରଙ୍କ ନୀତିକୁ ସେହିଠାରେ ବନ୍ଦ ରଖିଲେ ସେବକମାନେ। ଘନ ଅନ୍ଧାର, ଜରୁରୀକାଳୀନ ଆଲୁଅରେ ମଧ୍ୟାହ୍ନ ଧୂପ ନୀତି ପରେ ଆଉ କିଛି ହୋଇ ପାରିଲାନି। ଦୀପ ଆଲୁ‌ଅରେ ନୀତି କରିବା ସମ୍ଭବ ନ ହେବାରୁ ନୀତି ରହିଗଲା। ସେବକମାନେ ଦେଉଳ ଛାଡ଼ି ଚାଲିଗଲେ। ଏହାପରଠାରୁ ସବୁ ନୀତି ବନ୍ଦ ରହିଲା, ଯାହା ଏକ ବିରଳ ଘଟଣା। ଆଜିଯାଏ ଠାକୁରଙ୍କର ଧୂପ ଓ ବେଶ ଭଳି ନୀତି ବନ୍ଦ ହେବାର ରେକର୍ଡ ନାହିଁ। ହେଲେ ଏଥର ‘ଫନି’ ପ୍ରଭାବରେ ଏହା ହେଲା। ତେବେ ପରଦିନ ପୂର୍ବଭଳି ଠାକୁରଙ୍କ ନୀତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ଅଧିକାରୀ ଆର୍‌ଏନ୍‌ ଦାଶ।

ବର୍ଷା ବେଳେ ରତ୍ନ ସିଂହାସନ ଉପରେ ପାଣି ପଡ଼ିଥିଲା। ବଡ଼ ଠାକୁରଙ୍କ ବିଗ୍ରହଠାରୁ ମାତ୍ର କିଛି ଦୂରରେ ଥିବା ଥାଳି ଉପରେ ବର୍ଷା ଟପ୍‌ ଟପ୍‌ ହୋଇ ପଡ଼ିଥିଲା। ଏ କଥା ଶ୍ରୀମନ୍ଦିର ପ୍ରଶାସନକୁ ସେବକମାନେ ଜଣାଇବା ପରେ ଅଧିକାରୀମାନେ ତଦାରଖ କରିଥିଲେ। ଯେହେତୁ ଶ୍ରୀଅଙ୍ଗ ସୁରକ୍ଷିତ ଥିଲା, ସେଥି ପାଇଁ ସେମାନେ ରିପୋର୍ଟ କରି ନିରବ ରହିଥିଲେ। ଏ ସମ୍ପର୍କରେ ନୀତି ଅଧିକାରୀ କହିଛନ୍ତି, ବର୍ଷା ରତ୍ନ ସିଂହାସନ ଉପରେ ପଡ଼ିଥିବାର ରିପୋର୍ଟ ଆସିଛି। ତା’ର ତର୍ଜମା କରାଯିବ। ତେବେ ପ୍ରାଥମିକ ସମୀକ୍ଷା ଅନୁଯାୟୀ, ଦୁଇ ମହଲା ବିଶିଷ୍ଟ ଶ୍ରୀମନ୍ଦିରର ତଳ ମହଲାରେ ମହାପ୍ରଭୁ ବିଜେ କରୁଛନ୍ତି। ପ୍ରଥମ ମହଲା ପରେ ଦ୍ବିତୀୟ ମହଲା ରହିଛି। ତା’ ଉପରେ ବାୟୁ ସଞ୍ଚାଳନ ରାସ୍ତା ରହିଛି। ଦେଉଳ କାନ୍ଥ ୧୮ ଫୁଟ୍‌ ମୋଟା। ତେଣୁ ବର୍ଷା ଭେଦ କରିବା ସମ୍ଭବ ନୁହେଁ। ବାୟୁ ସଞ୍ଚାଳନ ରାସ୍ତା ଦେଇ ପାଣି ଆସି ରତ୍ନ ସିଂହାସନ ଉପରେ ପଡ଼ିଥାଇପାରେ। ଏହାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଯେହେତୁ ପ୍ରବଳ ପବନରେ ବର୍ଷା ଆସି କାନ୍ଥରେ ମାଡ଼ ହେଉଥିଲା, ତେଣୁ ବର୍ଷା ପାଣି କିଛିଟା ପଶିଥାଇପାରେ ବୋଲି ଏଏସ୍‌ଆଇର ଜନୈକ ଅଧିକାରୀ କହିଛନ୍ତି। ତଥାପି ଏହି ସ୍ଥିତିକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର