ଛତିଶାନିଯୋଗର ମୋହର: ଶ୍ରୀଗୁଣ୍ଡିଚାରେ ସାଢ଼େ ୯ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ହେବ। ଛେରା ପହଁରା ପରେ ଚାରମାଳ ଫିଟା ଯାଇ ଘୋଡ଼ା, ସାରଥୀ ଲାଗିବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ବୁଧବାର ଦିନ ଶ୍ରୀମନ୍ଦିର ଛତିଶାନିଯୋଗ ଏହି ନୀତିକାନ୍ତିରେ ମୋହର ମାରିଛି। କେବଳ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ଚୂଡ଼ାନ୍ତ ମୋହର ମାରିବା ବାକି ରହିଛି। ଅନ୍ୟପଟେ ରଥଯାତ୍ରା, ସ୍ନାନଯାତ୍ରା, ସୁନାବେଶ, ବାହୁଡ଼ା ଆଦିରେ କ’ଣ ବ୍ୟବସ୍ଥାବଳୀ ରହିବ, ସେ ଉପରେ ବି ଆଲୋଚନା ହୋଇଛି। କେଉଁଠି କେଉଁ ସେବକ କେଉଁ ନୀତି କରିବେ, କେତେଜଣ ସେବକ କେଉଁ ନୀତିକାନ୍ତିରେ ରହିବେ, କେମିତି ପହଣ୍ଡି, ରଥଟଣା ଓ ଅନ୍ୟାନ୍ୟ ନୀତିକାନ୍ତି ହେବ, ସେ ଉପରେ ବ୍ୟବସ୍ଥାବଳୀର ବିସ୍ତୃତ ତାଲିକା ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ବି ଛତିଶାନିଯୋଗ ସହମତି ଜଣାଇଛି।

ବୁଧବାର ଦିନ ପ୍ରଥମେ ନୀତି ସବ୍‌କମିଟି ବୈଠକରେ ରଥଯାତ୍ରା, ସ୍ନାନଯାତ୍ରା, ସୁନାବେଶ, ବାହୁଡ଼ା ଆଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଛନିଶାନିଯୋଗ ବୈଠକ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଥିଲା। ଯେହେତୁ ଆଉ ମାସେ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ୨୦ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା ସହ ଅନ୍ୟାନ୍ୟ ଯାତ୍ରା ରହିଛି, ତାହା କିଭଳି ଶୃଙ୍ଖଳାର ସହ ‌ଶେଷ ହେବ ସେ ଉପରେ ବିଭିନ୍ନ ନିଯୋଗର ମତାମତ ଲୋଡ଼ା ଯାଇଥିଲା। ଆସନ୍ତା ଜୁନ୍‌ ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଥିବାବ‌େଳେ ଜୁଲାଇ ୧ରେ ରଥଯାତ୍ରା, ଜୁଲାଇ ୯ରେ ବାହୁଡ଼ା ଯାତ୍ରା, ଜୁଲାଇ ୧୦ରେ ସୁନାବେଶ।

ନିଷ୍ପତ୍ତି ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ସାଢ଼େ ୧୨ଟାରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ହାତୀବେଶ ହେବେ। ସଂଧ୍ୟା ୬ଟାରୁ ରାତି ସାଢ଼େ ୯ଟା ସାହାଣ ମେଲା ଦର୍ଶନ ହେବ। ରାତି ୧୦ଟା ପୂର୍ବରୁ ହାତୀ ବେଶ ଓଲାଗି ପରେ ବାହୁଡ଼ା ପହଣ୍ଡି ହେବ। ସେହିଦିନ ରାତି ସାଢ଼େ ୧ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ଦିନ ସକାଳ ୭ଟାରୁ ସାଢ଼େ ୧୧ଟା ଭିତରେ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ଭିତରେ ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ସେହିଭଳି ସୁନାବେଶ ଦିନ ସଂଧ୍ୟା ୫ଟାରୁ ସାଢ଼େ ୬ଟା ଭିତରେ ଶ୍ରୀଜିଉଙ୍କୁ ସୁନାବେଶ ଲାଗି ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆଜି କେବଳ ରଥଯାତ୍ରା, ସ୍ନାନଯାତ୍ରା ଓ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର