ପୁରୀ : ଚଳିତବର୍ଷ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଚୂଡ଼ାନ୍ତ ନୀତିକାନ୍ତିରେ ଉଲ୍ଲେଖ କରିଥିବା ବେଳେ ଜ୍ୟୋତିର୍ବିଦ୍ମାନେ ସୂର୍ଯ୍ୟୋଦୟଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏହି ବିବାଦ ମୁଣ୍ଡ ଟେକିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟି ସୁଧାରିବାକୁ ଯାଉଛି। ଚୂଡ଼ାନ୍ତ ନୀତିକାନ୍ତି ସମୟରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏ ଉପରେ ବିସ୍ତୃତ ଆଲୋଚନା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବ୍କମିଟି ଓ ଛତିଶାନିଯୋଗ ବୈଠକ ଡକାଯାଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏତେବଡ଼ ଭୁଲକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଚୂଡ଼ାନ୍ତ ନୀତିକାନ୍ତିରେ ତ୍ରୁଟି ରହିଯାଇଥିଲା। ଏହାର ସଂଶୋଧନ ପାଇଁ ନଭେମ୍ବର ୧ ଅବା ୨ ତାରିଖରେ ନୀତି ସବ୍କମିଟି ଓ ଛତିଶାନିଯୋଗ ବୈଠକ ଡକାହେବାର କାର୍ଯ୍ୟକ୍ରମ ରହିଛି। ଯେହେତୁ ସୂର୍ଯ୍ୟୋଦୟ ପରଠାରୁ ପାକତ୍ୟାଗ, ଦେବନୀତି ନିଷେଧ ରହିଛି, ଏହା ପୂର୍ବରୁ ହିଁ ସବୁ ନୀତିକାନ୍ତି ସରିବ। ସୂର୍ଯ୍ୟୋଦୟ ପୂର୍ବରୁ ପ୍ରଥମ ଭୋଗମଣ୍ଡପ ଉଠିବ। ସୂର୍ଯ୍ୟପରାଗରେ ଯେଭଳି ରାତିରୁ ମହାପ୍ରସାଦ ପ୍ରସ୍ତୁତି ହୋଇଥିଲା, ଚନ୍ଦ୍ରଗ୍ରହଣରେ ବି ସେଭଳି କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହୋଇ ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହେବ। ଶ୍ରୀ ଦାସମହାପାତ୍ର କହିଛନ୍ତି, ଯେହେତୁ ଏହିଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି, ସେ ଦୃ୍ଷ୍ଟିରୁ ଦେବନୀତି ନିଷେଧ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ ନୀତି ସଂପନ୍ନ ହେବ। ପୂର୍ବଦିନ ରାତିରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ। ଯାହା ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦିତ ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ସକାଳ ୮ଟା ୨୯ ମିନିଟ୍ଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହିଦିନ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ସେହି ଅନୁଯାୟୀ ଶ୍ରୀମନ୍ଦିର ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ପୂର୍ବଦିନ ଅର୍ଥାତ ୭ ତାରିଖ ରାତି ୧୨ଟାରେ ଦ୍ବାର ଫିଟା ପରେ ରାତି ୨ଟାରେ ରୋଷହୋମ, ୨ଟା ୪୦ରେ ସୂର୍ଯ୍ୟପୂଜା, ରାତି ୩ଟାରେ ଦ୍ବାରପାଳ ପୂଜା ଓ ରାଜାଧିରାଜ ବେଶ, ୩ଟା ୩୦ରେ ଗୋପାଳବଲ୍ଲଭ, ୩ଟା ୫୦ରୁ ୪ଟା ୫୦ ସକାଳ ଧୂପ(କୋଠଭୋଗ), ୫ଟାରେ ଭୋଗମଣ୍ଡପ ଉଠିବ, ସାଢ଼େ ୫ଟାରେ ବାଳଧୂପ, ୫ଟା ୪୦ରେ ବନ୍ଦାପନା, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ, ୭ଟା ୪୦ରେ ମଇଲମ ନୀତି କରିବାକୁ ଚୂଡ଼ାନ୍ତ କରାଯାଇଛି। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍ ଡ. ନରେଶ ଚନ୍ଦ୍ର ଦାଶଙ୍କ ମତରେ ଏହିଦିନ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟଦୟଠାରୁ ଅର୍ଥାତ୍ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ। ଏଣୁ ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିବେ। ପରେ ସବୁ ମାରା ବୋଲି ଧରାଯିବ। ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତି ଚୂଡ଼ାନ୍ତ କରି ସେଥିରେ ତ୍ରୁଟି ଥିବା ଡ. ଦାଶ ଦର୍ଶାଇଥିଲେ।