ତାଳଚେର-ଚଣ୍ଡିଖୋଲ ଚାରିଥାକିଆ ରାସ୍ତାର ଶିଳାନ୍ୟାସ : ୧୩୦ କିମି ପାଇଁ ଖର୍ଚ୍ଚ ହେବ ୩୦୦୦ କୋଟି

କାମାକ୍ଷାନଗର : ତାଳଚେର- ଚଣ୍ଡିଖୋଲ ଚାରିଥାକିଆ ସଡ଼କର ଆଜି ଶିଳାନ୍ୟାସ ହୋଇଛି। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ସଡ଼କ ଯୋଗାଯୋଗ ମନ୍ତ୍ରୀ ନିତିନ ଗଡ଼କରୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି। ଏହି ୧୩୦ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ରାସ୍ତା ପାଇଁ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ କାମାକ୍ଷାନଗରଠାରେ ଶିଳାନ୍ୟାସ ଉତ୍ସବର ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଭାଷଣ ପ୍ରସଙ୍ଗରେ ଗତ ସାଢେ ୪ ବର୍ଷରେ ଓଡ଼ିଶାରେ ନିର୍ମିତ ବିଭିନ୍ନ ଜାତୀୟ ରାଜପଥର ଲମ୍ବା ତାଲିକା ଦେବା ସହ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକର ନାମ ମଧ୍ୟ ପଢି ଶୁଣାଇଥିଲେ। ସେ କହିଥିଲେ, ୨୦୧୪ରେ ଓଡ଼ିଶାରେ ୪୬୩୨ କିମି ଜାତୀୟ ରାଜପଥ ରହିଥିଲା ବେଳେ ୨୦୧୮ରେ ଏହା ୯୪୨୬ କିମିକୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଏନଓସି, ଜମି ଅଧିଗ୍ରହଣ, ପରିବେଶ ମଂଜୁରି ତଥା ସିଆରଜେଡ୍‌ ଅନୁମତି ଅଭାବରୁ ୪୫୦ କିଲୋମିଟରର ତଟୀୟ ରାଜମାର୍ଗ, ରାଉରକେଲା ଦ୍ବିତୀୟ ବ୍ରାହ୍ମଣୀ ପୋଲ, ଟାଙ୍ଗି-ଭୁବନେଶ୍ବର ଛଅଥାକିଆ ରାସ୍ତା ସମେତ ସାଢେ୪ ହଜାରରୁ ଉର୍ଦ୍ଧ୍ବ ଦୀର୍ଘବିଶିଷ୍ଟ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ଅଟକି ରହିଛି। ରାଜ୍ୟ ସରକାର ସହଯୋଗ କଲେ ଏହି ସମସ୍ତ ପ୍ରକଳ୍ପ ଆସନ୍ତା ୪ରୁ ୬ ମାସ ମଧ୍ୟରେ ଆରମ୍ଭ ହେବ।

ସେହିଭଳି ବ୍ରାହ୍ମଣୀ, ମହାନଦୀକୁ ନେଇ ପ୍ରସ୍ତାବିତ ଜାତୀୟ ଜଳମାର୍ଗ କାର୍ଯ୍ୟ ମଧ୍ୟ ରାଜ୍ୟର ଏନଓସି ମିଳିଲେ ଆସନ୍ତା ୪ ମାସ ମଧ୍ୟରେ ତ୍ବରାନ୍ବିତ ହେବ। ଏହାଛଡ଼ା ଜଳସଂପଦର ସୁପରିଚାଳନା ଲାଗି ପାୱାର ଗ୍ରିଡ୍‌ ଭଳି ୱାଟର୍‌ ଗ୍ରିଡ୍ ନିର୍ମାଣ ଯୋଜନା ହେଉଛି। ‌କେନାଲ ବଦଳରେ ପାଇପ ଯୋଗେ କୃଷିକାର୍ଯ୍ୟ ଲାଗି ଜଳଯୋଗାଣ ଉପରେ ତାଙ୍କ ସରକାର ଗୁରୁତ୍ବାରୋପ କରୁଛନ୍ତି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର