ସେ ଜଣେ ଭିନ୍ନ ରାଜନେତା, କ୍ଷମତା ସହ ବଦଳି ନାହାନ୍ତି; ଏଭଳି କହି ନବୀନଙ୍କୁ ପ୍ରଶଂସା କଲେ ନୀତୀଶ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଶଂସା | ଜଣେ ରାଜନେତା ହିସାବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ କ୍ଷମତା ସହ ବଦଳି ନାହାନ୍ତି ବୋଲି ଲେଖିଛନ୍ତି ନୀତୀଶ |

ଏକ  ଜାତୀୟ ଗଣମାଧ୍ୟମରେ  ସେ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସହିତ ମୋର ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ | ସେ ଜଣେ ଭିନ୍ନ ରାଜନେତା | ଗରିବଙ୍କ ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି, ନ୍ୟାୟ ସହିତ ବିକାଶ ପାଇଁ ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଛି | ଯେତେବେଳେ ସେ ରାଜନୀତିରେ ପ୍ରବେଶ କଲେ, ସେତେବେଳେ ସେ “ବିଜୁବାବୁଙ୍କ” ପରିଚୟ ନେଇ ଆସିଥିଲେ। ହେଲେ ଗତ ୨୪ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଲୋକମାନେ ସାଧାରଣତଃ କ୍ଷମତାକୁ ଆସିଲେ ସମୟ ସହିତ ପରିବର୍ତ୍ତନ ହୁଅନ୍ତି | କିନ୍ତୁ ସେ ପୂର୍ବ ଭଳି ରହିଛନ୍ତି। ତାଙ୍କର ରାଜ୍ୟ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ରହିଛି। ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ ବୋଲି ଲୋକେ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି। ମୁଁ ଭାବୁଛି ତା’ର ଉତ୍ତର ସେ ନିଜ ଏକ ସାକ୍ଷାତକାରରେ ଦେଇସାରିଛନ୍ତି | ଏକ ସାକ୍ଷାତକାରରେ ସେ କହିଥିଲେ, “ମୁଁ ନିର୍ବାଚନ ପାଇଁ ନୁହେଁ ଲୋକମାନଙ୍କ ପାଇଁ କାମ କରେ।” ସେ ଓଡ଼ିଶାର ଲୋକଙ୍କୁ ଏହା ଜଣାଇବାରେ ସଫଳ ହୋଇଛନ୍ତି ଯେ ସେମାନେ ତାଙ୍କ ପରିବାର, ଯାହା ପାଇଁ ସେ ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି |

indiatoday.in

ନୀତୀଶ କୁମାର ଆହୁରି ମଧ୍ୟ ଲେଖିଛନ୍ତି ଯେ, ନବୀନ କଥା କମ କାମ ଅଧିକ କରନ୍ତି | ପଞ୍ଚମ ପାଳି ନିର୍ବାଚନ ଲଢ଼ୁଥିବା ବେଳେ ସେ କେବଳ ଗୋଟିଏ ଧାଡ଼ି- ଆପଣମାନେ ଖୁସି ତ? କହି ନିର୍ବାଚନ ଜିତିନେଇଥିଲେ | ଯେତେବେଳେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଓଡ଼ିଶା କଠିନ ସମୟ ଦେଇ ଗତି କରୁଥିଲା। ବିଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁ ସେ ଖୁବ ଭଲ ଭାବରେ ସମ୍ଭାଳି ନେଇଛନ୍ତି | ତାଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପ୍ରଶଂସା ଲାଭ କରିଛି | ତାଙ୍କ ଶସନରେ କ୍ରୀଡା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି ଏବଂ ଅଭିବୃଦ୍ଧି ହାରକୁ ବଜାୟ ରଖିଛି। ଇତିହାସ ତାଙ୍କୁ ଜଣେ ଭଲ ବ୍ୟକ୍ତି, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଆଦର୍ଶ ଓ ପ୍ରତିବଦ୍ଧତା ଥିବା ସମାଜସେବୀ ଭାବରେ ମନେ ରଖିବ |

ସମ୍ବନ୍ଧିତ ଖବର