ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ। ଏହି ପଦ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବାକୁ ଆଜି ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର। ଶ୍ରୀ ସିଂହଙ୍କୁ ବିଜେଡିର ସମର୍ଥନ ନେଇ ଶ୍ରୀ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୌଣସି ନିଷ୍ପତ୍ତି ନେଇନାହାନ୍ତି। ୨୦୧୮ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସାଂସଦ ଶ୍ରୀ ସିଂହ ଏନ୍ଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ବିଜେଡି ତାଙ୍କୁ ସମର୍ଥନ ଦେଇଥିଲା ଓ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଏ ନେଇ ପ୍ରତିକ୍ରିୟା ଦେଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡ଼ିଛନ୍ତି। ସବୁ ଦିଗରୁ ବିଚାର କରି ବିଜେଡି ସଭାପତି ଏ ସମ୍ପର୍କରେ ଚୂ଼ଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ବିଜେଡି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାହା ଆସନ୍ତା ୧୪ ତାରିଖ ପୂର୍ବରୁ ଜଣାଇ ଦିଆଯିବ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟସଭାରେ ବିଜେଡିର ୯ ଜଣ ସଭ୍ୟ ଅଛନ୍ତି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ୨୪୪ ସଭ୍ୟ ଅଛନ୍ତି। ଏନଡିଏର ସଭ୍ୟ ସଂଖ୍ୟା ୧୧୬ ଥିବାରୁ ଆବଶ୍ୟକ ସମର୍ଥନ ଲାଗି ଏହା ବିଜେଡି ଏବଂ ଅନ୍ୟ କେତେକ ଦଳର ନେତାମାନଙ୍କ ସହିତ ଆଲୋଚନା ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Naveen-and-Nitesh.jpeg)