ନିଯୁକ୍ତି କ୍ଷେତ୍ରରେ ଏନ୍‌ଆଇଟିର ସର୍ବକାଳୀନ ରେକର୍ଡ: ସର୍ବାଧିକ ୧୨୭୪ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି

ବାର୍ଷିକ ୪୬.୦୮ ଲକ୍ଷ ଦରମା ପାଇବେ କୋଡ଼ିଏ ଜଣ, ଷ୍ଟାଇପେଣ୍ଡ୍‌ଯୁକ୍ତ ଶିକ୍ଷାନବୀଶଭାବେ ଯୋଗଦେବେ ୪୦୩ ଜଣ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଏଥର ନିଯୁକ୍ତି କ୍ଷେତ୍ରରେ ନୂଆ ଇତିହାସ ରଚିଛି। ଚଳିତବର୍ଷ ଅନୁଷ୍ଠାନର ସର୍ବକାଳୀନ ସର୍ବାଧିକ ୧୨୭୪ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ, ଜାତୀୟ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ମୋଟ୍‌ ୨୦ ଜଣ ଛାତ୍ରଛାତ୍ରୀ ବାର୍ଷିକ ୪୬.୦୮ ଲକ୍ଷ ଦରମାରେ ନିଯୁକ୍ତି ପାଇଥିବାବେଳେ ୧୩୮ ଜଣ ବାର୍ଷିକ ୨୦ ଲକ୍ଷରୁ ଅଧିକ ଦରମା ପାଇବେ। ଏତଦ୍‌ବ୍ୟତୀତ ୪୦୩ ଜଣ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡଯୁକ୍ତ ଶିକ୍ଷାନବୀଶଭାବେ ଯୋଗଦେବେ। ଷ୍ଟାଇପେଣ୍ଡ୍‌ ବାବଦକୁ ସେମାନେ ମାସିକ ୪୦ ହଜାରରୁ ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇବେ। ଅନୁଷ୍ଠାନର ୯୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବାବେବେଳ ମାଇନିଂ ଇଞ୍ଜିନିଅରିଂ ବିଭାଗ ଶତ ପ୍ରତିଶତ ନିଯୁକ୍ତ ରେକର୍ଡ ହାସଲ କରିଛି। ଏଥର ସଫ୍ଟୱେର୍ ଏବଂ ଆଇଟି ସେକ୍ଟରରେ ୩୩.୨୮% ନିଯୁକ୍ତି ପାଇଥିବାବେଳେ କୋର୍‌ ଇଞ୍ଜିନିୟରିଂରେ ୨୫% ଏବଂ ଆନାଲଟିକ୍ସ ଓ କନ୍‌ସଲ୍‌ଟିଂରେ ୧୮.୭୨% ନିଯୁକ୍ତି ପାଇଛନ୍ତି। ଏତଦ୍‌ବ୍ୟତୀତ ଇଲେକ୍ଟ୍ରୋନିକ୍ସ, ଫାଇନାନ୍ସ, ଏଜୁକେସନ୍, ଡିଜାଇନ୍ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପାଇଛନ୍ତି।

ଗତ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅନୁଷ୍ଠାନରେ ଚାଲିଥିବା ନିଯୁକ୍ତି ମେଳାରେ ମୋଟ୍‌ ୩୨୫ ଟି ନାମୀଦାମୀ କମ୍ପାନି ସାମିଲ ହୋଇଥିଲେ। ଏଥର ହାରାହାରି ସିଟିସିରେ ୨୦ ପ୍ରତିଶତ ବୃଦ୍ଧି ସହ ଦରମା ପ୍ୟାକେଜ୍‌ରେ ମଧ୍ୟ ବୃଦ୍ଧି ଘଟିଛି। ଗତ ବର୍ଷ ବାର୍ଷିକ ପ୍ୟାକେଜ୍‌ ହାର ୯ ଲକ୍ଷ ୩୬ ହଜାର ଥିବାବେଳେ ଏଥର ୧୧ ଲକ୍ଷ ୨୦ ହଜାରରେ ପହଞ୍ଚିଛି। ବି.ଟେକ୍‌ କମ୍ପ୍ୟୁଟର୍‌ ସାଇନ୍ସ ଛାତ୍ରଛାତ୍ରୀଙ୍କ ବାର୍ଷିକ ହାରାହାରି ଦରମା ସର୍ବାଧିକ, ଅର୍ଥାତ୍‌ ୨୦ ଲକ୍ଷ ୮୮ ହଜାର ରହିଛି। ଏମାନେ ଗୁଗୁଲ୍‌, ଆମାଜନ, ଓରାକଲ୍‌ ଆଦି କମ୍ପାନିରେ ନିଯୁକ୍ତି ପାଇଛନ୍ତି। ଦ୍ବିତୀୟ ସର୍ବାଧିକ ହାରହାରି ଦରମା ପାଇଥିବା ଛାତ୍ରଛାତ୍ରୀ ହେଉଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ ଇଞ୍ଜିନିଅରିଂ। ଏମାନେ ବାର୍ଷିକ ୧୭ ଲକ୍ଷ ୨୭ ଲକ୍ଷ ଟଙ୍କାରେ କ୍ବାଲ୍‌କମ୍‌, ଟେକ୍ସାସ ଇନ୍‌ଷ୍ଟ୍ରୁମେଣ୍ଟ୍‌, ମାଇକ୍ରନ, ମିଡିଆଟେକ୍‌, ଏଏମ୍‌ଡି, ଇନ୍‌ଟେଲ ଆଦି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏତଦ୍‌ବ୍ୟତୀତ ମାଇକ୍ରୋସଫ୍ଟ, ଟାଟା ଷ୍ଟିଲ୍‌, ଓରାକଲ, କ୍ବାଲକମ୍‌, ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌, ବାର୍‌କ୍ଲେ, ଡିଜନୀ୍‌ ପ୍ଲସ୍‌ ହଟଷ୍ଟାର୍‌, ମ୍ୟାଥ୍‌ୱାର୍କ୍ସ‌୍, ଏସ୍‌ଏପି ଲ୍ୟାବ୍‌, ଆମେରିକାନ ଏକ୍ସପ୍ରେସ୍‌ ଆଦି ସଂସ୍ଥାରେ ଶିକ୍ଷାନବିଶଭାବେ ନିଯୁକ୍ତ ହୋଇଛନ୍ତି।

ମୋଟ୍‌ ୧୪ଟି ବି.ଟେକ୍‌ ବିଭାଗ ମଧ୍ୟରୁ ୧୧ଟି ବିଭାଗ ୯୦ ପ୍ରତିଶତରୁ ଅଧିକ ନିଯୁକ୍ତି ରେକର୍ଡ ହାସଲ କରିଛି। ସେଗୁଡ଼ିକ ହେଲା,-ବାୟୋଟେକ୍ନୋଲୋଜି ଇଞ୍ଜିନିୟରିଂ, ବାୟୋମେଡିକାଲ୍ ଇଞ୍ଜିନିୟରିଂ, ସେରାମିକ୍ ଇଞ୍ଜିନିୟରିଂ, କେମିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, ମାଇନିଂ ଇଞ୍ଜିନିୟରିଂ  ଏବଂ ମେଟାର୍ଲଜି ଆଣ୍ଡ୍‌ ମ୍ୟାଟେରିଆଲ୍‌ ଇଞ୍ଜିନିଅରିଂ ବିଭାଗ। ସ୍ନାତକୋତ୍ତର ଛାତ୍ରଛାତ୍ରୀ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଏହି ବର୍ଗରେ ସର୍ବାଧିକ ୮୭.୫୦ ପ୍ରତିଶତ ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂ ବିଭାଗର ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବାବେଳେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜନିଅରିଂ ବିଭାଗ(୮୪.୮୮%) ଦ୍ବିତୀୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ (୮୧.୪୩%) ତୃତୀୟ ସ୍ଥାନରେ ରହିଛି।

ଏହି ରେକର୍ଡ ନିଯୁକ୍ତି ନେଇ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଲେ, ଗତ ଦୁଇ ବର୍ଷ ଧରି ବୈଶ୍ବିକସ୍ତରରେ ଅପେକ୍ଷାକୃତ କମ୍‌ ନିଯୁକ୍ତି ଦେଖିବାକୁ ମିଳୁଥିଲେ ମଧ୍ୟ ଏଥର ଏହି ଅନୁଷ୍ଠାନ ନିଯୁକ୍ତି କ୍ଷେତ୍ରରେ ଯେଭଳି ସଫଳତା ପାଇଛି; ତାହା ପ୍ରଶଂସନୀୟ। ଏ କ୍ଷେତ୍ରରେ ଅନୁଷ୍ଠାନର ପୁଣିଥରେ ନିଜର ପରାକାଷ୍ଠା ପ୍ରତିପାଦିତ କରିଛି। ଗୁଣାତ୍ମକ ଶିକ୍ଷା, ପ୍ରଫେସର, ଅଧ୍ୟାପକଙ୍କ ଉତ୍ସର୍ଗୀକୃତ ଶିକ୍ଷାଦାନ ଓ ସର୍ବୋପରୀ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ପରିଶ୍ରମ ଯୋଗୁଁ ଏହି ସଫଳ ସମ୍ଭବ ହୋଇପାରିଛି। ଅନୁଷ୍ଠାନର କ୍ୟାରିଅର୍ ଡେଭେଲପ୍‌ମେଣ୍ଟ ସେଣ୍ଟର୍‌ ମୁଖ୍ୟ ପ୍ରଫେସର ଉମେଶ ସି. ପତି କହିଛନ୍ତି, ନିଯୁକ୍ତି କ୍ଷେତ୍ରରେ ଅନୁଷ୍ଠାନ ଏଥର ନୂଆ ଇତିହାସ ରଚିଛି। ଚଳିତବର୍ଷ କେବଳ ଅତୀତର ସମସ୍ତ ନିଯୁକ୍ତିଦାତା ଆସିନଥିଲେ, ବରଂ ଶହେଟି ନୂଆ ସଂସ୍ଥା ମଧ୍ୟ ସାମିଲ ହୋଇଥିଲେ। ଆପଲ୍, ଗୁଗଲ୍, ଭିସା ସମେତ ବିପିସିଏଲ, ଗେଲ୍‌, ଇଆଇଏଲ, ବିଇଏଲ ଆଦି ପ୍ରତିଷ୍ଠିତ ସଂସ୍ଥାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର