ବରିଷ୍ଠ ରାଜନେତା, ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ର ଆଉ ନାହାନ୍ତି

ତାଙ୍କ ସମୟରେ ଗୋଲାବାରୁଦ କାରଖାନା, ପାଓମ୍ୟାକ୍ସ ଆଦି ହୋଇଥିଲା

ବଲାଙ୍ଗୀର : ବରିଷ୍ଠ ରାଜନେତା ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ର(୯୫ବର୍ଷ) ଆଉ ନାହାନ୍ତି। ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍‌ ରାକ୍ସମୁଣ୍ଡା ଗାଁ ମୂଳନିବାସୀ ତଥା ସ୍ଥାନୀୟ ରୁଗୁଡ଼ିପଡ଼ା ବାସିନ୍ଦା ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ବହୁବର୍ଷ ଧରି ରହିଥିଲେ।

ପରିବାର ସଦସ୍ୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ୱର୍ଗତ ମିଶ୍ର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ସେ ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅଙ୍କୁ ଛାଡ଼ି ଯାଇଛନ୍ତି।

ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଜିଲ୍ଲାର କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ। ୧୯୭୮ରୁ ୮୧ ମସିହା ଯାଏ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ। ୧୯୮୦ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ବଲାଙ୍ଗୀର ସାଂସଦ ତଥା ଜନତା(ଏସ୍‌) ପ୍ରାର୍ଥୀ ଅଇଁଠୁ ସାହୁଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୪ ମସିହାରେ କଂଗ୍ରେସ ଦଳ ସପକ୍ଷରେ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାଜନିତ ଅନୁକମ୍ପା ହାୱା ବୋହୁଥିଲା। ସେଥର ଜନତା ପାର୍ଟି ପ୍ରାର୍ଥୀ ଅନଙ୍ଗଉଦୟ ସିଂହଦେଓଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ଜନତା ଦଳ ହାୱାରେ ବାଳଗୋପାଳ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ। ତାପରେ ସେ ଆଉ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ। ଏପରିକି ନିର୍ବାଚନ ଲଢ଼ିବାକୁ ଟିକଟ ପାଇଁ ବି ଆଉ ଆବେଦନ କରିନଥିଲେ।

ସ୍ୱର୍ଗତ ମିଶ୍ରଙ୍କ ନେତୃତ୍ୱରେ ଅଶୀ ଦଶକର ପ୍ରଥମ ଭାଗରେ ଜିଲ୍ଲା କଂଗ୍ରେସର ସମସ୍ତ ନେତା ଏକଜୁଟ ହୋଇ କାମ କରୁଥିଲେ। ତେବେ ୧୯୮୪ ମସିହାରେ ସାଂଗଠାନିକ ନିର୍ବାଚନ ମାଧ୍ୟମରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିବା ସ୍ୱର୍ଗତ ମିଶ୍ରଙ୍କ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶେଷ ଭାଗରେ ମତଭେଦ ହେବା ପରେ ଜିଲ୍ଲାର କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଦଳରେ ସେ ବେଶ୍‌ ଦବଦବା ରଖିବା ସହ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବି ଥିଲେ। କିଛି କମିଟିର ନେତୃତ୍ୱ ନେଇ ସେ ତାଙ୍କ ସମୟରେ ଭଲ ପ୍ରଦର୍ଶନ କରୁଥିଲେ। ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ସମୟରେ ବଲାଙ୍ଗୀର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ହୋଇଥିଲା। ଯାହାକି ଜିଲ୍ଲାର ଏକମାତ୍ର ବଡ଼ ଶିଳ୍ପ ପ୍ରକଳ୍ପ ଭାବରେ ଗଣନା ହୋଇଥାଏ। ସେହିପରି ଟିଟିଲାଗଡ଼ ପାଓମ୍ୟାକ୍ସ ଫ୍ୟାକ୍ଟ୍ରି ପ୍ରତିଷ୍ଠାରେ ତାଙ୍କର ଅବଦାନ ଥିଲା। ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ନୂଆ ପାଠ୍ୟକ୍ରମ ପାଇଁ ବିଭାଗଗୁଡ଼ିକ ଖୋଲିଥିଲା। ବଲାଙ୍ଗୀର ମୁଖ୍ୟ ଡାକଘର କୋଠା ବି ତାଙ୍କ ସମୟରେ ନିର୍ମାଣ ହୋଇଥିଲା। ସେ ଜଣେ ସାଧୁ ଓ ସଚ୍ଚୋଟ ରାଜନେତା ଭାବରେ ପରିଚିତ ଥିଲେ। ଷାଠିଏ ଓ ସତୁରୀ ଦଶକରେ ସ୍ୱର୍ଗତ ସତ୍ୟାନନ୍ଦ ମିଶ୍ର, ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ସ୍ୱପ୍ନାନନ୍ଦ ପାଣିଗ୍ରାହୀ, ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ନରସିଂହ ପ୍ରସାଦ ନନ୍ଦଙ୍କ ସହ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ର ପ୍ରମୁଖଙ୍କୁ ଜିଲ୍ଲାର ସଚ୍ଚୋଟ ରାଜନେତା ଭାବରେ ଗଣାଯାଉଥିଲା।

ସମ୍ବନ୍ଧିତ ଖବର