ଭୀଷଣ ବାତ୍ୟା ରୂପ ନେବ ‘ନିଭାର’

ଭୁବନେଶ୍ୱର : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’। ୨୫ ତାରିଖ ଅପରାହ୍‌ଣରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟା‌‌‌ରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍‌ଣ ସୁଦ୍ଧା କରାଇକାଲ୍‌ ଓ ମାମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୨୫ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ କେ‌ତେକ ଅଞ୍ଚଳ ସହ ରାଜ୍ୟର ବାକି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖକୁ ବର୍ଷା ପରିମାଣ ବଢ଼ିପାରେ। ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘ନିଭାର’ ପ୍ରଭାବରେ ୨୪ ତାରିଖ ସଂଧ୍ୟାରୁ ରାଜ୍ୟରେ ପାଗ ପରିବର୍ତନ ହେବ। ୨୭ ଯାଏ କୋହଲା ପାଗ ରହିବ। ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ଯଥା ଜଗତସିଂହପୁର, ଖୋର୍ଧା, ପୁରୀ ଓ ଗଞ୍ଜା‌ମ ସହ ଆଭ୍ୟନ୍ତରୀଣ ଦକ୍ଷିଣ ସମ୍ବଲପୁରଠାରୁ ପଶ୍ଚିମକୁ ଥିବା ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ପଡ଼ିବ। ୨୬ ତାରିଖ ଦିନ ବିକ୍ଷୀପ୍ତ ବର୍ଷା ହେବ। ବର୍ଷାର ପରିମାଣ ହାଲ୍‌କାରୁ ସ୍ପଳ୍ପ ରହିବ। ୨୪ ତାରିଖରୁ ରାତିର ତାପମାତ୍ରା ବଢ଼ିବ। ଫଳ‌ରେ ଶୀତ କମିବ। ତେବେ ୨୮ ତାରିଖଠାରୁ ରାତିର ତାପମାତ୍ରା କ୍ରମଶଃ କମିବା ଯୋଗୁଁ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି।

ଗତ ୨୪ ଘଣ୍ଟାରେ କେନ୍ଦୁଝର ଜିଲ୍ଲା ଘଟଗାଁଠାରେ ୬.୪ ମିମି ବର୍ଷା ହୋଇଯାଇଛି। ରାଜ୍ୟର ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ୭ ସହର ତାପମାତ୍ରା ୧୫ଡିଗ୍ରି ତଳକୁ ଖସିଛି। ରାଜ୍ୟର ସୋନପୁରଠାରେ ୧୧.୨ ଡିଗ୍ରି ସର୍ବନିମ୍ନ ତାପମାତ୍ରା ‌ରେକର୍ଡ ହୋଇଛି। ଭୁବନେଶ୍ବରଠାରେ ସର୍ବନିମ୍ନ ତାପମାତ୍ରା ୧୮.୧ ଡିଗ୍ରି ରହିଥିବା ଜଣାପଡ଼ିଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବାଭାବିକଠାରୁ ୨-୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି। ବାକି ସମସ୍ତ ଜିଲ୍ଲାର ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିପାରେ।

ସମ୍ବନ୍ଧିତ ଖବର