ଲିଙ୍ଗରାଜ ଆଜାଦଙ୍କ ଗିରଫ ଅନ୍ୟାୟ

ଭୁବନେଶ୍ବର : ନିୟମଗିରି ଆନ୍ଦୋଳନର ନେତା ତଥା ଜନ ଆନ୍ଦୋଳାନ ରାଷ୍ଟ୍ରୀୟ ସମନ୍ବୟର ଆବାହାକ ଲିଙ୍ଗରାଜ ଆଜାଦଙ୍କୁ କଳାହାଣ୍ଡି ଜିଲ୍ଲା ପୁଲିସ ଯେଉଁ ଭଳି ଢଙ୍ଗରେ ଗିରଫ କରିଛି ତାହା ନିନ୍ଦନୀୟ ଓ ସ୍ବାଧୀନ ନାଗରିକର ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ। ପୁଲିସ ତାଙ୍କୁ ଅଗଣତାନ୍ତ୍ରିକ ଉପାୟ ଓ ମିଥ୍ୟା ମାମଲାରେ ଗିରଫ କରିଛି ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ସମନ୍ବୟର ଉପଦେଷ୍ଟା ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା।

ଆଜି ଲୋହିଆ ଏକାଡେମିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି କି, ନିୟମଗିରି ସୁରକ୍ଷା ସମିତି ଏକ ଗଣତାନ୍ତ୍ରିକ ସଂଗଠନ। ଏହି ସଂଗଠନ ୧୬ ବର୍ଷ ଧରି ବକ୍ସାଇଟ୍‌ ଖଣି ଖନନ ଓ ପ୍ରଦୂଷଣକାରୀ ଆଲୁମିନା କାରଖାନା ବିରୋଧରେ ପ୍ରତିବାଦ କରି ଆସୁଛି। କିନ୍ତୁ ପୁଲିସ ଆଜାଦଙ୍କୁ ଜଣେ ମାଓବାଦୀଙ୍କ ସମର୍ଥକ ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇବା ଏକ ମିଥ୍ୟା ଆରୋପ। ବକ୍ସାଇଟ୍‌ ଖଣି ଖନନକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଏହାକୁ ବିରୋଧ କରାଯାଉଛି। ସୁପ୍ରିମକୋର୍ଟଙ୍କ ନି‌ର୍ଦେଶ ପାଇବା ପରେ ବେଦାନ୍ତ କମ୍ପାନି ସେଠାରୁ ହଟିଯିବା ଉଚିତ। କିନ୍ତୁ ନିୟମଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କମ୍ପାନି ପୁଲିସ ଓ ପ୍ରଶାସନକୁ ହାତ କରି ଏଭଳି ଦମନଲୀଳା ଚଳାଇଛି। ନିର୍ବାଚନ ଶୃଙ୍ଖଳା ନାଁରେ ଯେଉଁଭଳି ଭାବେ ପୁଲିସ ଆଦିବାସୀ ନେତାମାନଙ୍କୁ ଗିରଫ କରୁଛି ତାହା ଅଗଣତାନ୍ତ୍ରିକ।

ତେଣୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ନିୟମଗିରି ସୁରକ୍ଷା ସମିତିର ନେତା ଲିଙ୍ଗରାଜଙ୍କୁ ଅବିଳମ୍ବେ ଖଲାସ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଇନସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ମାନବିକ ଅଧିକାର କର୍ମକର୍ତା ଚନ୍ଦ୍ରନାଥ ଦାନୀ, ଏନ୍‌ଏପିଏମର ରାଜ୍ୟ ଆବାହିକା ମନୋରମା ଖୁଣ୍ଟିଆ, ଗୋପୀକାନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର