ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ନିୟମଗିରି ପାହାଡ଼ ପୁଣି ଚର୍ଚ୍ଚାକୁ ଆସିଛି। ଏଠାରେ ତିନିଦିନ ଧରି ଚାଲିଥିବା ‘ନିୟମ ରାଜା ପରବ’ର ଉଦ୍‌ଯାପନୀ ଉତ୍ସବ ଅବସରରେ ଏହାର ସୁରକ୍ଷା ପାଇଁ ଉପସ୍ଥିତ ଆଦିବାସୀମାନେ ବଜ୍ରଶପଥ ନେଇଛନ୍ତି। ଗତ ୨୫ ତାରିଖରେ ‘ନିୟମ ରାଜା ପରବ’ ଆରମ୍ଭ ହୋଇଥିଲା। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ଶହ ଶହ ଡଙ୍ଗରିଆ ଯୋଗଦେଇଥିଲେ। ‘ନିୟମ ରାଜା’ଙ୍କୁ ଆରାଧନା କରିବା ସହ ବୋଦା, ଘୁଷୁରି, କୁକୁଡ଼ା ଆଦି ବଳି ଦେଇଥିଲେ। ତେବେ, ଏହି ଅବସରରେ ଆଦିବାସୀମାନେ ନିୟମଗିରିର ସୁରକ୍ଷା ପାଇଁ ବଜ୍ରଶପଥ ନେଇଥିଲେ।

Advertisment

ଆଦିବାସୀମାନେ ବଞ୍ଚିଥିବା ପର୍ଯ୍ୟନ୍ତ ନିୟମଗିରିର ମୁଠାଏ ମାଟି ବହୁରାଷ୍ଟ୍ରୀୟ କମ୍ପାନିକୁ ଦିଆଯିବ ନାହିଁ ବୋଲି କହିଥିଲେ। ଅାଦିବାସୀଙ୍କ ଏହିଭଳି ରଣହୁଙ୍କାର ନିୟମଗିରିକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ଏଠାରେ ସୂଚନାଯୋଗ୍ୟ ଯେ ପରବର ପ୍ରଥମଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବାପରେ ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା। ଆଦିବାସୀ ସଂପ୍ରଦାୟଙ୍କ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ସାଧାରଣ ଲୋକେ, ପରିବେଶବିତ୍‌, ଗଣମାଧ୍ୟମ ପ୍ରତିନିଧିମାନେ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ। ନିୟମଗିରି ସୁରକ୍ଷା ସମିତି ଆହ୍ୱାନରେ ଆଦିବାସୀ ନେତା ଓ ସମାଜିକ କର୍ମୀ ଏହାର ନେତୃତ୍ୱ ନେଇଥିଲେ।