ଭୁବନେଶ୍ବର : ନିୟମଗିରି ସୁରକ୍ଷା ପାଇଁ ଆନ୍ଦୋଳନରତ ଆଦିବାସୀ ଓ କର୍ମୀଙ୍କ ଉପରେ ପୁଲିସର ଦମନଲୀଳା ପ୍ରତିବାଦରେ ଶତାଧିକ ଆଦିବାସୀ ଓ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୨୦୦୩ ମସିହାରୁ ନିୟମଗିରି ପାହାଡ଼ର ସୁରକ୍ଷା ନେଇ ‘ନିୟମଗିରି ସୁରକ୍ଷା ସମିତି’ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଆସୁଛି। କିନ୍ତୁ ବିଭିନ୍ନ ସମୟରେ ପୁଲିସ ଓ ପ୍ରଶାସନ କମ୍ପାନି ଓ ଶିଳ୍ପ ସଂସ୍ଥାର ସ୍ବାର୍ଥକୁ ଗୁରୁତ୍ବ ଦେଇ ଆନ୍ଦୋଳନରତ ଆଦିବାସୀଙ୍କ ଉପରେ ଦମନଲୀଳା ଚଳାଇ ଆସୁଛନ୍ତି। ଆନ୍ଦୋଳନ ସମୟରେ ଆଦିବାସୀମାନେ କୌଣସି ହିଂସାତ୍ମକ ପନ୍ଥା ଅବଲମ୍ବନ କରୁ ନଥିବା ବେଳେ ପୁଲିସ ବିନା ଦୋଷରେ ସେମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ନିୟମଗିରି ସୁରକ୍ଷା ଆନ୍ଦୋଳନର ଆବାହକ ପ୍ରଫୁଲ୍ଲ ସାମନ୍ତରା ଅଭିଯୋଗ କରିଛନ୍ତି।
ଗତ ସପ୍ତାହରେ ନିୟମଗିରିରେ ଡଙ୍ଗରିଆ ନେତା ଦଦି କାଡ୍ରାକାଙ୍କୁ ପୁଲିସ ଗାଁରୁ ଉଠାଇ ନେଇ ମାଡ଼ ମାରିଥିଲା। ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେହିଭଳି ଗତ ୨୦ ତାରିଖ ଦିନ ଲାଞ୍ଜିଗଡ଼ରୁ ଲଦ ସିକକାଙ୍କୁ ପୁଲିସ ଉଠାଇ ନେଇ ମୁନିଗୁଡ଼ା ଥାନାରେ ମାରଧର କରିଥିଲା। ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ବିରୋଧ କରି ନିୟମଗିରି ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶ୍ବପିୟ କାନୁନଗୋ, ତୁଷାରକାନ୍ତ, ସ୍ବାଧୀନ ପଟ୍ଟନାୟକ, ସନ୍ଦୀପ କୁମାର ପଟ୍ଟନାୟକ, ପ୍ରିୟ ରଂଜନ ସାହୁ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଆବାହକ ଦେବରଂଜନ, ଅଭିମନ୍ୟୁ ବିଶ୍ବାଳ, ‘ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ’ର ଆବାହକ ନରେନ୍ଦ୍ର ମହାନ୍ତି, ସୁଧୀର ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ବେଳେ ଉପସ୍ଥିତ ଥିଲେ।