ଚିନ୍ତା ବଢ଼ାଇଲା ନିଜାମୁଦ୍ଦିନ୍ ଲିଙ୍କ୍ : ବାଲେଶ୍ବରରୁ ପଠାଗଲା ଆଉ ୨୬ ସନ୍ଦିଗ୍ଧଙ୍କ ନମୁନା
ଅନୁଗୁଳରେ ୩୧ଜଣଙ୍କୁ ସଙ୍ଗରୋଧରେ ରଖାଗଲା
ବାଲେଶ୍ବର : ଦିଲ୍ଲୀ ନିଜାମୁଦ୍ଦିମ ଧାର୍ମିକ ସମାବେଶ ସଂସ୍ପର୍ଶରେ ଆସିଥିବା ବାଲେଶ୍ବର ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ଖୋଜିବା ପାଇଁ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ। ଗତକାଲି ୧୫ ଜଣ କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯିବା ପରେ ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା ସହ ସ୍ବାବ୍ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା। ଆଜି ପୁଣି ୨୬ ଜଣ ସନ୍ଦିଗ୍ଧଙ୍କୁ ଧରାଯାଇ ସେମାନଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ମୟୂରଭଞ୍ଜରେ କୌଣସି ସନ୍ଦିଗ୍ଧ ରହିଛନ୍ତି କି ନାହିଁ, ତାହାକୁ ନେଇ ପ୍ରଶାସନର ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ଗତକାଲି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନିଜାମୁଦ୍ଦିନ ସମାବେଶ ଲିଙ୍କ୍ରେ ଆସିଥିବା ୧୫ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସେମାନଙ୍କର ସ୍ବାବ୍ ନମୁନା ପଠାଇଥିଲେ। ଏ ପର୍ଯ୍ୟନ୍ତ କାହାରି ରିପୋର୍ଟ ଆସିନାହିଁ। ଆଜି ପୁଣି ୨୬ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ସମସ୍ତଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବାନାର୍ଜୀ ପ୍ରସାଦ ଛୋଟରାୟ କହିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି। ସମ୍ପୃକ୍ତ ସନ୍ଦିଗ୍ଧମାନେ ବାଲେଶ୍ବର ସହର, ଚାନ୍ଦିପୁର, ରେମୁଣା, ବସ୍ତା ଆଦି ଅଞ୍ଚଳର ବୋଲି ସେ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପୁଲିସଫୋର୍ସ ନେଇ ସନ୍ଦିଗ୍ଧମାନଙ୍କୁ ଅଣାଯାଇଥିବା ବେଳେ କରୋନା ଭୟରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଜିଲ୍ଲା ପୁଲିସର ସୂଚନା ମୁତାବକ, ଯେହେତୁ ନିଜାମୁଦ୍ଦିନ ଧାର୍ମିକ ସମାବେଶ ସହ ନିକଟରେ ଯାଜପୁରର ବ୍ରହ୍ମବରଦା ଓ କେନ୍ଦ୍ରାପଡ଼ା ଆଳିରେ ହୋଇଥିବା ମୁସଲିମ୍ ଆନ୍ତର୍ଜାତିକ ସମ୍ମିଳନୀର ସମ୍ପୃକ୍ତି ରହିଛି ଏବଂ ସେଠାକୁ ବାଲେଶ୍ବର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ଯାଇଥିଲେ; ତେଣୁ ସେମାନଙ୍କ ମଧ୍ୟରୁ କାହା ନିକଟରେ କରୋନା ଲକ୍ଷଣ ଦେଖାଯାଉଛି ଓ ସେମାନେ କାହା କାହା ସଂସ୍ପର୍ଶରେ ଆସିଲେଣି ତାହା ଜାଣିବା ମୁସ୍କିଲ ବ୍ୟାପାର। ସେମାନେ ଯଦି ନିଜ ତରଫରୁ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତେ, ତାହାହେଲେ ଶୀଘ୍ର କିଛି ନିରାକରଣ ବ୍ୟବସ୍ଥା କରାଯାଇପାରନ୍ତା ବୋଲି କୁହାଯାଇଛି।
ବୁଧବାର ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ବାଲେଶ୍ବର ଜିଲ୍ଲାକୁ ବାହାରୁ ରାଜ୍ୟରୁ ଆସିଥିବା ୧୫ ହଜାର ୨୬୩ ଓ ବିଦେଶରୁ ଜିଲ୍ଲାକୁ ଫେରିଥିବା ୨୪୮ ଜଣଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କର ଏକାନ୍ତବାସ ସମୟ ସରିଥିବାବେଳେ ଏବେ ଆଉ ୧୫୫ ଜଣ ଏକାନ୍ତବାସରେ ରହିଥିବା ସୂଚନା ଦିଆଯାଇଛି।
୩୧ଜଣଙ୍କୁ ସଙ୍ଗରୋଧରେ ରଖାଗଲା
ଅନୁଗୁଳ : ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ବ୍ୟକ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନେଇ ଅନୁଗୁଳରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ-ପ୍ରଶାସନ ଆଜି ୩୧ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଆଣି ୩ଟି ଜାଗାରେ ସଙ୍ଗରୋଧରେ ରଖାଯାଇଛି।ଏମାନଙ୍କ ମଧ୍ୟରୁ ଅନୁୁଗୁଳ ସରକାରୀ ବାଳିକା ହାଇସ୍କୁଲରେ ୧୨ ଜଣ, କାଣ୍ଡସର ହାଇସ୍କୁଲରେ ନାଲକୋ ଅଂଚଳର ୯ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ବାଳିକା ହାଇସ୍କୁଲର ୨ଟି ପରିବାର ଓ ଜଣେ ମସ୍ଜିଦ ସହ ସଂପୃକ୍ତ ବ୍ୟକ୍ତି ରହିଛନ୍ତି। ସେହିପରି କାଣ୍ଡସରରେ ମଧ୍ୟ ୨ଟି ପରିବାର ରହିଛନ୍ତି। ଗତକାଲି ରାତି ୩ଟାରେ ସହରରେ ଜଣେ ବ୍ୟକ୍ତିଙ୍କ ଘରୁ ୫ଜଣକୁ ଏବଂ ଆଜି ମଧ୍ୟାହ୍ନରେ ମସ୍ଜିଦ୍ ପରିସରରୁ ୫ ଜଣଙ୍କୁ ଆଣିଥିଲେ। ସେହିପରି ଅପରାହ୍ଣରେ ପୁଣି ୨ଟି ପରିବାରକୁ ଆଣି କାଣ୍ଡସର ହାଇସ୍କୁଲରେ ରଖାଯାଇଛି। ଅପରପକ୍ଷରେ ତାଳଚେରରୁ ମଧ୍ୟ ୧୦ ଜଣକୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସେମାନେ ସଙ୍ଗରୋଧରେ ରହିବେ ବୋଲି ଜଣାପଡ଼ିଛି। ଅନୁଗୁଳ ପୌରପାଳିକା ପକ୍ଷରୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଅନୁଗୁଳ ଏସ୍ପି ଜଗମୋହନ ମୀନାଙ୍କୁ ପଚାରିବାରୁ ସେ କହିଲେ, ପଶ୍ଚିମବଂଗର ୧୦ ଜଣ ବ୍ୟକ୍ତି ଗତ ୧୭ ତାରିଖ ଦିନ ଅନୁଗୁଳରେ ପହଂଚିଥିଲେ। ସେମାନଙ୍କ ୨୯ ତାରିଖ ଦିନ ଅନୁଗୁଳ ଛାଡ଼ିଛନ୍ତି। ଲୁଚିକରି ପଶ୍ଚିମବଙ୍ଗ ପଳାଇଥିବା ଜଣାପଡ଼ିଛି। ସଂପୃକ୍ତ ବ୍ୟକ୍ତିମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ଏବେ ୩ଟି ଜାଗାରେ ସଙ୍ଗରୋଧରେ ରଖାଯାଇଛି। ଏ ସଂକ୍ରାନ୍ତରେ ତାଳଚେର ଓ ନାଲକୋନଗର ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ତେବେ ସେହି ୧୦ ଜଣ ବ୍ୟକ୍ତି ବାସ୍ତବରେ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ କି ନାହିଁ, ତାହାର ଏବେ ତଦନ୍ତ ଚାଲିଛି ବୋଲି ଏସ୍ପି ଶ୍ରୀ ମୀନା କହିଛନ୍ତି।