ଯାଜପୁର/କଟକ: ଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରୁ ଫେରିଥିବା ବିଂଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ଵିତ ରାତିରେ ବିଂଝାରପୁର ପ୍ରଶାସନ ଉଠାଇ ନେଇଛି । ସେ ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଞ୍ଚିଥିଲେ । ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି । ପୁଣି ଧାର୍ମିକ ସମ୍ମିଳନୀରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ଵର ହୋଇଥିଲା । ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି । ବିଂଝାରପୁର ତହସିଲଦାର ଅସ୍ମୀତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ରାତି ସାଢେ୧୨ଟାରେ ଶାସନ୍ଦା ଗ୍ରାମରେ ପହଞ୍ଚି ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଛି।
ଅନ୍ୟ ଏକ ଘଟଣାକ୍ରମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅରୁଣ କୁମାର ପାତ୍ରଙ୍କୁ ଅଚାନକ ବଦଳି କରାଯାଇଛି ତାଙ୍କ ସ୍ଥାନରେ ଡା ସୁଧାଂଶୁ ଶେଖର ବଳ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।
ସେହିପରି ନିଜାମୁଦ୍ଦିନ ଲିଙ୍କ୍ରେ ଥିବା ବକ୍ସିବଜାର ପେନ୍ସନ୍ ଲେନର ଜଣେ ୪୦ବର୍ଷର ବ୍ୟକ୍ତିଙ୍କ ସମେତ ୧୮ଜଣଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ପେନ୍ସନ୍ଲେନ୍ର ଉକ୍ତ ବ୍ୟକ୍ତି ଗତ ୧୩ ତାରିଖରୁ କଟକ ଫେରିଥିଲେ ସୁଦ୍ଧା ଏ ସମ୍ପର୍କରେ ପ୍ରଶାସନ, ପୁଲିସ କିମ୍ବା ରାଜ୍ୟ ସରକାରଙ୍କ ୧୦୪ରେ ପଞ୍ଜୀକରଣ କରି ନ ଥିଲେ। ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳରୁ ଖବର ପାଇ ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ବରେ ପୁଲିସ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ ଡାକ୍ତରଖାନାକୁ ନେଇ ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଇଥିଲା। ନିଜାମୁଦ୍ଦିନ୍ ଲିଙ୍କରେ ଥିବା କିଛି ଲୋକଙ୍କ କରୋନା ଲକ୍ଷଣ ଥିବାରୁ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ, ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟ ଆଇସୋଲେସନ୍ରେ ରଖାଯାଇଛି। ସମସ୍ତ ୧୮ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍ସିବି ସୂତ୍ରରୁ ସୂଚନା ମିଳିଛି। ସମାବେଶରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରକୃତରେ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସରକାରୀ ସୂତ୍ରରୁ କିଛି ଜଣାପଡ଼ି ନାହିଁ। ୧୫ ତାରିଖ ପରେ କେତେ ଜଣ ଓଡ଼ିଶା ଫେରିଛନ୍ତି ସେ ସମ୍ପର୍କରେ ଏଠାରେ କୌଣସି ସୂଚନା ନାହିଁ।