ଝାରସୁଗୁଡ଼ା: ଏନ୍ଏଲ୍ସି ତଲାବିରା ଖଣିର ୨ ଓ ୩ ନଂ ଖୋଲାମୁହଁ ଖଣି ପାଇଁ ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ୍ ପତ୍ରାପାଲି ଓ ମାଲଦା ପଞ୍ଚାୟତରେ ଗଛକଟା ହେବ। ୨-୪ ଦିନ ମଧ୍ୟରେ ପ୍ରାୟ ୨୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ଏହି ପୁରୁଣା ଶାଳ ଜଙ୍ଗଲ କାଟିବା ପାଇଁ ବନ ବିଭାଗ ପକ୍ଷରୁ ମଞ୍ଜୁରି ଦିଆଯାଇଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାହାର ମୁକାବିଲା କରିବା ପାଇଁ ପୁଲିସ ମଧ୍ୟ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଏନ୍ଏଲ୍ସି ପୂର୍ବରୁ କାଟିଥିବା ଗଛ ବାବଦକୁ ଏଯାଏଁ କ୍ଷତିପୂରଣ ବନୀକରଣ କରିନଥିବା ବେଳେ ଏବେ ପୁଣିଥରେ ଗଛ କାଟିବାକୁ କେମିତି ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଝାରସୁଗୁଡ଼ା ଡିଏଫ୍ଓ ମନୁ ଅଶୋକ ଭଟ୍ଟଙ୍କୁ ପଚରାଯିବାରୁ ଏନ୍ଏଲ୍ସିର ଖଣି ପାଇଁ କୌଣସି ଅନୁମତି ଦିଆଯାଇନଥିବା ବେଳେ ଗୁରୁବାର ଫାଇଲ ଯାଞ୍ଚ କଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି। ସେପଟେ ଏନ୍ଏଲ୍ସିର ସିଜିଏମ୍ ସେରୁକୁ ଦୟାନନ୍ଦଙ୍କୁ ଯୋଗାଯୋଗ କରାଯିବାରୁ ନିୟମ ଅନୁସାରେ ଗଛ କଟାଯାଉଛି ବୋଲି କହିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏନ୍ଏଲ୍ସି ଏହାର ମାଇନିଂ ପ୍ଲାନ୍ରେ ୧୦ ବର୍ଷ ପରେ ମାଲଦା ଓ ପତ୍ରାପାଲି ଅଞ୍ଚଳରେ ଗଛ କାଟିବା ନେଇ ସରକାରଙ୍କୁ ଦର୍ଶାଇଥିଲା। କିନ୍ତୁ ୨ ବର୍ଷରେ ୨ଟି ପର୍ଯ୍ୟାୟରେ ଓବି (ବ୍ୟବହାର ଅଯୋଗ୍ୟ ମାଟି) ପକାଇବାକୁ ସ୍ଥାନାଭାବ ହେଉଥିବା ଦର୍ଶାଇ ପ୍ରାୟ ୧ ଲକ୍ଷ ଗଛ କାଟି ସାରିଲାଣି। ସମ୍ବଲପୁର ଜିଲ୍ଲା ପାର୍ଶ୍ବରୁ ଖଣି ଖନନ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତରେ ପହଞ୍ଚି ସାରିଥିବାରୁ ନୂଆ ଖନନ ପାଇଁ ଗଛ କାଟିବା ଜରୁରି ହୋଇପଡ଼ିଛି। ଏଯାଏଁ ଏନ୍ଏଲ୍ସି ମାଲଦା ଓ ପତ୍ରାପାଲି ଅଞ୍ଚଳର ଅନେକ ଲୋକଙ୍କୁ ବିସ୍ଥାପିତ କରିନଥିବା ବେଳେ କେତେସଂଖ୍ୟକ ଲୋକ ପ୍ରକୃତରେ ବିସ୍ଥାପିତ ହେବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇପାରିନି। ଏବେ କଟିବାକୁ ଥିବା ଶାଳ ଜଙ୍ଗଲ ଏହି ଅଞ୍ଚଳବାସୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ଥିବାରୁ ସେମାନଙ୍କୁ ଥଇଥାନ ପୂର୍ବରୁ କିଭଳି ଏହି ଜଙ୍ଗଲ ଛଡ଼ାଇ ନିଆଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେପଟ ବିଗତ ଦିନରେ କଟିଥିବା ଗଛର ପ୍ରକୃତ ହିସାବ ବନ ବିଭାଗ ପାଖରେ ନାହିଁ। ବନ ବିଭାଗ ପକ୍ଷରୁ ବ୍ଲେଜିଂ କରି ଗଛ ନମ୍ବରିଂ କରିବା ପରେ ତାହା କଟିବା କଥା। କିନ୍ତୁ ବନ ବିଭାଗ ପାଖରେ କର୍ମଚାରୀ ନ ଥିବାରୁ କମ୍ପାନିର କର୍ମଚାରୀ ହିଁ ଗଛ ନମ୍ବରିଂ କରୁଛନ୍ତି। କେବଳ ସେତିକି ନୁହେଁ, ଗତବର୍ଷ ୪୦ ହଜାର ଗଛ ଭରଣା (ବନୀକରଣ) ପାଇଁ ଏନ୍ଏଲ୍ସିକୁ ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାମଧ୍ୟରୁ ଏନ୍ଏଲ୍ସି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬ ହଜାର ଗଛ ଲଗାଇଥିବା ବନ ବିଭାଗର ରେକର୍ଡ କହୁଛି। ବଳକା ୨୫ ହଜାର ଗଛ କମ୍ପାନି ନିଜ ଖଣି ଅଞ୍ଚଳରେ ଲଗାଇଥିବା ଦାବି କରୁଥିବାବେଳେ ଏଯାବତ୍ ତାହାର ଗଣତି ହୋଇନଥିବା ଝାରସୁଗୁଡ଼ା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ଉକ୍ତ ଶାଳ ଜଙ୍ଗଲ ନ କାଟିବାକୁ ମଲଦା ଓ ପତ୍ରାପାଲି ଗ୍ରାମବାସୀ ଦାବି କରିଛନ୍ତି।