ଭୁବନେଶ୍ବର: ଓଡ଼ିଶାେର ଦୁଇ କେନ୍ଦ୍ରୀୟ ଉଦ୍ୟୋଗ ନଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନ୍ଏଲ୍ସି) ଓ ମହାନଦୀ କୋଲ୍ ଫିଲ୍ଡସ୍ (ଏମ୍ସିଏଲ୍) ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବେ। ଓଡ଼ିଶାର ଜମି, କୋଇଲା ଓ ପାଣି ବ୍ୟବହାର ହେବ। ଧୂଆଁ, ପ୍ରଦୂଷଣ, ପାଉଁଶ ଗିଳିବେ ରାଜ୍ୟବାସୀ। ହେଲେ ଉପକୃତ ହେବେ ତାମିଲନାଡୁ, କେରଳ, ପୁଡ଼ୁଚେରି ଭଳି ରାଜ୍ୟ। ଓଡ଼ିଶାକୁ ଟଙ୍କାକର ଫାଇଦା ହେବନାହିଁ। କେନ୍ଦ୍ର ସରକାରଙ୍କ ନୀତି ନିୟମକୁ ଦଳିମକଚି ଦୁଇ କେନ୍ଦ୍ରୀୟ ସଂସ୍ଥା ଏବେ ଅନ୍ୟ ରାଜ୍ୟ ସହିତ ଏଭଳି ବିଦ୍ୟୁତ୍ କିଣା ଚୁକ୍ତି ସ୍ବାକ୍ଷର କରିସାରିଲେଣି। ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ବାରା ରାଜ୍ୟବାସୀ ପରିବେଶ ଆଦି କାରଣରୁ କେତେ କ୍ଷତି ସହିବେ, ତାହା ଆକଳନ ହୋଇନାହିଁ। ମାତ୍ର ଶକ୍ତି ସମୀକ୍ଷକମାନେ ହିସାବ କଲେଣି ଯେ ରାଜ୍ୟର ପାଖାପାଖି ୬୭୪ କୋଟି ଟଙ୍କା ଲାଭ ଅର୍ଥ ହାତଛଡା଼ ହେବ। ଏଭଳି ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି। ଆହୁରି କୌତୂହଳ କଥା ହେଉଛି, ରାଜ୍ୟ ସରକାରଙ୍କ ନିରବତା ଏ କ୍ଷେତ୍ରରେ ଯେମିତି ରହସ୍ୟଜନକ, ଗ୍ରିଡ୍କୋ ଭୂମିକା ସେମିତି ସନ୍ଦେହ କଲାଭଳି। ଖବରଟି ହେଲା ଏମିତି।
ହାତଛଡ଼ା ହୋଇପାରେ ୬୭୪ କୋଟି
ସନ୍ଦେହରେ ସରକାର, ଗ୍ରିଡ୍କୋ, ଓଇଆର୍ସି ଭୂମିକା
ଓଡ଼ିଶାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ହେଲେ ରାଜ୍ୟ ପ୍ରଦୂଷଣର ଜ୍ବାଳା ସହିବ ହିଁ ସହିବ। ଏହାର ପ୍ରତିବଦଳରେ ସ୍ବାଭାବିକ ଭାବେ ରାଜ୍ୟ ଉତ୍ପାଦିତ ବିଦ୍ୟୁତ୍ରୁ ନିର୍ଦ୍ଦିଷ୍ଟ ଭାଗ ପାଇବାକୁ ହକ୍ଦାର। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ପୂର୍ବରୁ କେନ୍ଦ୍ରୀୟ ବିଦ୍ୟୁତ୍ ଉଦ୍ୟୋଗ ଉତ୍ପାଦିତ ବିଦ୍ୟୁତ୍ରୁ ସଂପୃକ୍ତ ରାଜ୍ୟକୁ ୧୦% ପ୍ରଦାନ କରୁଥିଲେ। ଏବେ ତାହା ସଂଶୋଧିତ ହୋଇ ୫୦%କୁ ବୃଦ୍ଧି ପାଇଛି। ହେଲେ ଏଭଳି ଆନୁଷ୍ଠାନିକ ବ୍ୟବସ୍ଥାକୁ ଉଭୟ ସଂସ୍ଥା ଫାଙ୍କିଦେଇଛନ୍ତି। ଏନ୍ଏଲ୍ସି ଓ ଏମ୍ସିଏଲ୍ ତଲାବିରା ଏବଂ ବସୁନ୍ଧରା କୋଇଲା ଖଣି ଅଞ୍ଚଳରେ ଯଥାକ୍ରମେ ୨୪୦୦ ଓ ୧୬୦୦ ମେଗାୱାଟ୍ ଉତ୍ପାଦନ କ୍ଷମତାର ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ଲାଗି ଯୋଜନା ଚୂଡ଼ାନ୍ତ କରିଛି। ଉଭୟ ପ୍ରକଳ୍ପ ଲାଗି ପ୍ରାୟ ୩୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ହେଲେ ରାଜ୍ୟ ପାଇଁ ଏଭଳି ବିପୁଳ ପୁଞ୍ଜିନିବେଶ ଏବେ ଆଶୀର୍ବାଦ ବଦଳରେ ଅଭିଶାପ ହେବାକୁ ଯାଉଛି। କାରଣ ଉଭୟ ପ୍ରକଳ୍ପରୁ ଓଡ଼ିଶା ଗୋଟିଏ ମେଗାଵାଟ୍ ବିଦ୍ୟୁତ୍ ପାଇବାର ନାହିଁ। ବିଦ୍ୟୁତ୍ ସମୀକ୍ଷକମାନଙ୍କର ଯୁକ୍ତି ହେଲା- ସ୍ବତନ୍ତ୍ର କୋଇଲା ଖଣି ଆଇନ (ସିଏମ୍ଏସ୍ପି) ଅନୁଯାୟୀ ଏନ୍ଏଲ୍ସିକୁ ରାଜ୍ୟର ତଲାବିରା ଓ ଏମ୍ସିଏଲ୍କୁ ବସୁନ୍ଧରା କୋଇଲା ଖଣି ମିଳିଛି। ସେମାନେ ଶସ୍ତା କୋଇଲା ସହ କମ ପରିବହନ ଖର୍ଚ୍ଚରେ ବିଦ୍ୟୁତ୍ ଉତ୍ପାଦନ କରିବେ। ଏଣୁ ବିଦ୍ୟୁତ୍ ଉତ୍ପାଦନ ମୂଲ୍ୟ ମଧ୍ୟ ଶସ୍ତା ହେବ।
କେନ୍ଦ୍ରୀୟ ଉଦ୍ୟୋଗ ଦ୍ବୟର ଯୋଜନା ଅନୁଯାୟୀ ୪୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଦୁଇଟି ପ୍ରକଳ୍ପରୁ ୮୫% ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର (ପିଏଲ୍ଏଫ୍) ହିସାବରେ ୩୪୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହେବ। ବ୍ୟବସ୍ଥିତ ୫୦% କୋଟା ଅନୁସାରେ ସ୍ଥାପିତ ହେବାକୁ ଥିବା ଉଭୟ ପ୍ରକଳ୍ପରୁ ରାଜ୍ୟ ସରକାର ବା ଗ୍ରିଡ୍କୋ ୧୭୦୦ ମେଗାୱାଟ୍ (ବାର୍ଷିକ ପ୍ରାୟ ୧୫୦୦୦ ନିୟୁତ ୟୁନିଟ୍) ଶସ୍ତା ବିଦ୍ୟୁତ ପାଇବାକୁ ହକ୍ଦାର। ମାତ୍ର ଏନ୍ଏଲ୍ସିର ପ୍ରସ୍ତାବିତ ତଲାବିରା ପ୍ରକଳ୍ପରୁ ଉତ୍ପାଦିତ ହେବାକୁ ଥିବା ୨୦୪୦ ମେଗାୱାଟ୍ ବିଦ୍ୟୁତ୍ରୁ ତାମିଲନାଡୁକୁ ୧୪୫୦ ମେଗାୱାଟ୍, କେରଳକୁ ୪୦୦ ମେଗାୱାଟ୍ ଓ ପୁଡୁଚେରୀକୁ ୧୦୦ ମେଗାୱାଟ୍ ଯିବ। ସେହିପରି ଏମ୍ସିଏଲ୍ର ପ୍ରସ୍ତାବିତ ବସୁନ୍ଧରା ପ୍ରକଳ୍ପରୁ ୧୩୬୦ ମେଗାୱାଟ୍ ବିଦ୍ୟୁତ୍ ଅନ୍ୟାନ୍ୟ ରାଜ୍ୟକୁ ଯୋଗାଣ ଲାଗି ପିପିଏ ସମ୍ପାଦିତ ହୋଇଛି।
ଏଭଳି ଷଡ଼୍ଯନ୍ତ୍ର ପ୍ରତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଆଖିବୁଜି ଦେବା ଘଟଣା ରହସ୍ୟଜନକ ମନେହେଲାଣି। ଏଇଥିପାଇଁ ଯେ ବିଦ୍ୟୁତ୍ ଆଇନ-୨୦୦୩ର ଧାରା ୮୬ (୨) ଅନୁସାରେ ବିଦ୍ୟୁତ୍ ଉତ୍ପାଦନ ସମେତ ଏହାର ଅର୍ଥନୈତିକ ଦିଗ ସମ୍ପର୍କରେ ଆୟୋଗ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ କ୍ଷମତାପ୍ରାପ୍ତ। ତେଣୁ ଉପରୋକ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବୟରୁ ରାଜ୍ୟ ଭାଗ ହିସାବରେ ଉଦ୍ଦିଷ୍ଟ ଶସ୍ତା ବିଦ୍ୟୁତ୍ ହାତଛଡ଼ା ହେବା ଓ ସେଥିପାଇଁ ରାଜ୍ୟ ପାଖାପାଖି ୬୭୪ କୋଟି ଟଙ୍କା ଲାଭରୁ ବଞ୍ଚିତ ହେବା ଭଳି ଚକ୍ରାନ୍ତରେ ଆୟୋଗ କାହିଁକି ମୌନ ଅଛନ୍ତି?
ବିଦ୍ୟୁତ୍ ସମୀକ୍ଷକଙ୍କ ମତରେ ସରକାର ଉଭୟ କେନ୍ଦ୍ରୀୟ ଉଦ୍ୟୋଗ ସହ ଚୁକ୍ତି କରିଥିଲେ ରାଜ୍ୟକୋଟା ଆଧାରରେ ବାର୍ଷିକ ଯେଉଁ ଶସ୍ତା ବିଦ୍ୟୁତ ମିଳିବ ତାହାକୁ ଦ୍ବିପାକ୍ଷିକ ଚୁକ୍ତି, ପାୱାର ଏକ୍ସଚେଞ୍ଜ କିମ୍ବା ପାୱାର ବ୍ୟାଙ୍କିଙ୍ଗ୍ ଜରିଆରେ ଅନ୍ୟ ରାଜ୍ୟକୁ ବିକି ବେଶ ଲାଭ ପାଇପାରିବେ। ହିସାବ କରାଯାଉଥିବା ୧୭ଶହ ମେଗାଵାଟ୍କୁ ବିଚାରକୁ ନେଲେ ତାମିଲନାଡୁ ସମେତ ଅନ୍ୟାନ୍ୟ ବିଦ୍ୟୁତ୍ ନିଅଣ୍ଟ ରାଜ୍ୟଗୁଡ଼ିକର ଆବଶ୍ୟକତା ପୂରଣ ନିମନ୍ତେ ଗ୍ରିଡ୍କୋ ପ୍ରଥମ ବିକଳ୍ପ ଭାବେ ଦ୍ବିପାକ୍ଷିକ ଚୁକ୍ତି କରି ୟୁନିଟ୍ ପିଛା ଅନ୍ୟୂନ ୭ ପଇସା ହିସାବରେ ବର୍ଷକୁ ୧୦୦ କୋଟି ଟଙ୍କାରୁ ଅଧିକ ଲାଭ ପାଇଥାନ୍ତା। ଦ୍ବିତୀୟ ବିକଳ୍ପ ସ୍ବରୂପ ଗ୍ରିଡ୍କୋ ସେହି ୧୭୦୦ ମେଗାୱାଟ୍ରୁ ୭୦୦ ମେଗାୱାଟ୍ ପାୱାର ଏକ୍ସଚେଞ୍ଜରେ ବିକିଥିଲେ ୟୁନିଟ୍ ପିଛା ଅତିକମରେ ୧ ଟଙ୍କା ହିସାବରେ ବର୍ଷକୁ ୬୧୩ କୋଟି ଟଙ୍କା ଲାଭ ପାଇଥାନ୍ତା। ଅବଶିଷ୍ଟ ୧୦୦୦ ମେଗାୱାଟ୍କୁ ଦ୍ବିପାକ୍ଷିକ ଚୁକ୍ତିରେ ବିକିଲେ ୟୁନିଟ୍ ପିଛା ୭ ପଇସା ହିସାବରେ ଆଉ ୬୧ କୋଟି ଟଙ୍କା ଲାଭ ଗ୍ରିଡ୍କୋକୁ ମିଳିଥାନ୍ତା। ଯେହେତୁ ଗ୍ରିଡ୍କୋର ବିଦ୍ୟୁତ୍ ବ୍ୟବସାୟ ଲାଭ ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଅନୁମୋଦିତ ହେଉଛି, ଏଣୁ ବାର୍ଷିକ ହାତଛଡ଼ା ହେବାକୁ ଥିବା ଏହି ବିପୁଳ ଅର୍ଥରାଶିର ବୋଝ ଉପୋଭୋକ୍ତାଙ୍କ ମୁଣ୍ଡକୁ ଯିବ।
ଉଲ୍ଲେଖଯୋଗ୍ୟ, ବଳକା ବିଦ୍ୟୁତ୍ ବିକି ସେଥିରୁ ରାଜସ୍ବ ଆୟ ବୃଦ୍ଧି ନିମନ୍ତେ ସରକାର ତଥା ଗ୍ରିଡ୍କୋ ହାତରେ ୩ଟି ସୁଯୋଗ ଅଛି। ସେଗୁଡ଼ିକ ହେଲା-ନିଅଣ୍ଟ ରାଜ୍ୟଗୁଡ଼ିକ ସହ ଦୀର୍ଘମିଆଦି ଦ୍ବିପାକ୍ଷିକ ଚୁକ୍ତି, ପାୱାର ଏକ୍ସଚେଞ୍ଜ ଓ ସ୍ବଳ୍ପ ମିଆଦି ପାୱାର ବ୍ୟାଙ୍କିଙ୍ଗ୍। ଗ୍ରିଡ୍କୋର ୨୦୨୧-୨୨ ରିପୋର୍ଟ ଅନୁସାରେ, ଏହି ସରକାରୀ ସଂସ୍ଥା ସେ ବର୍ଷ ୫୩୭୫.୩୪ ନିୟୁତ ୟୁନିଟ୍ ବଳକା ବିଦ୍ୟୁତ୍ ବିକି ୟୁନିଟ୍ ପିଛା ୩ ଟଙ୍କା ୮୩ ପଇସା ହିସାବରେ ୨୦୫୮ କୋଟି ୫ ଲକ୍ଷ ଟଙ୍କା ରାଜସ୍ବ ଆୟ କରିଥିଲା। ସେହିପରି ୨୦୨୨-୨୩ ବର୍ଷରେ ଗ୍ରିଡ୍କୋ ୟୁନିଟ୍ ପିଛା ୪ ଟଙ୍କା ୫୫ ପଇସା ଦରରେ ୩୭୧୪.୨୦ ନିୟୁତ ୟୁନିଟ୍ ବଳକା ବିଦ୍ୟୁତ୍ ବିକି ୧୬୮୯ କୋଟି ୮୪ ଲକ୍ଷ ଟଙ୍କା ରାଜସ୍ବ ଆୟ କରିଥିଲା। ଏଭଳି ପରିସ୍ଥିତିରେ କେଉଁ ବିଶେଷ କାରଣରୁ ସରକାର କେନ୍ଦ୍ରୀୟ ସଂସ୍ଥାରୁ ୧୫୦୦୦ ନିୟୁତ ୟୁନିଟ୍ ହାତଛଡ଼ା କରୁଛନ୍ତି, ତାହା ଅନୁସନ୍ଧାନ ସାପେକ୍ଷ।